ପୁରୀ : ବସ ଡ୍ରାଇଭର୍ ଅର୍ଜୁନ ମହାକୁଡଙ୍କ ମୃତ୍ୟୁର ପ୍ରତିବ‌ାଦରେ ପୁରୀ ନୀଳଗିରି ମୋଟର କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରା ପ୍ରତ୍ୟାହାର ହୋଇଛି। ଫଳରେ ପୁରୀକୁ ବସ ଚଳାଚଳ ସ୍ବାଭାବିକ ରହିଛି। ଆଜି ସକାଳୁ ପୁରୀରୁ ବିଭିନ୍ନ ରୁଟରେ ବସ୍‌ ଚଳାଚଳ ଆରମ୍ଭ ହୋଇଛି । ପୁରୀ ଉପଜିଲ୍ଲାପାଳ, ଆରଟିଓ ଏବଂ ଅତିରିକ୍ତ ଏସପିଙ୍କ ହସ୍ତକ୍ଷେପ ପରେ ନୀଳଗିରି ମୋଟର କର୍ମଚାରୀ ସଂଘ ଧର୍ମଘଟରୁ ଓହରିଛି । ୭ ଦିନ ମଧ୍ୟରେ‘ଷୋଳପୁଅ ମା’ ବସ ଡ୍ରାଇଭର ଅର୍ଜୁନ ମହାକୁଡଙ୍କ ହତ୍ୟା ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ସଂଘ ପକ୍ଷରୁ ଧର୍ମଘଟକୁ ପ୍ରତ୍ୟାହାର କରାଯାଇଛି।

Advertisment

ଗତକାଲି ପୁରୀ-କୋଣାର୍କ,ପୁରୀ-ଭୁବନେଶ୍ବର, ପୁରୀ-ସାତପଡା ଓ ଅନ୍ୟ ରୁଟ୍‌କୁ ପୁରୀରୁ ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ନୀଳଗିରି ମୋଟର କର୍ମଚାରୀ ସଂଘର ସାଧାରଣ ସଂପାଦକ ହୃଷୀକେଶ ପାଣି କହିଥିଲେ । ପୁରୀକୁ ପ୍ରତିଦିନ ଯା’ଆସ କରୁଥିବା ପ୍ରାୟ ୨୦୦ରୁ ଅଧିକ ବସ୍‌ ଓ ସେଥିରେ କାମ କରୁଥିବା ୮୦୦ ରୁ ଅଧିକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ଘୋଷଣା କରିଥିଲେ। ମାତ୍ର ସୋମବାର ବିଳମ୍ବିତ ରାତିରେ  ଦାବିପୂରଣ ନେଇ  ବୈଠକ ପରେ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛି। ଫଳରେ ପୁରୀକୁ ବସ ଚଳାଚଳ ପୂର୍ବବତ ଜାରି ରହିଛି।Image result for puri bus

ଉଲ୍ଲେଖଯୋଗ୍ୟ, ଗତ ୩୦ ତାରିଖ ଦିନ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ର ଚନ୍ଦ୍ରଭାଗା ନିକଟରେ ଦୁଇଟି ବସ୍‌ ମଧ୍ୟରେ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରାପଡା ଅଞ୍ଚଳରୁ ରିଜର୍ଭରେ ଆସିଥିବା ଓଡି୨୯-ଜି-୦୫୧୫ ‘ସାଇରାମ’ ନାମକ ଘରୋଇ ବସ୍‌ ସହ ଓଆର-୧୩-୯୬୦୬ ନମ୍ବର ବିଶିଷ୍ଠ ‘ଷୋଳପୁଅ ମା’ ବସର ଧକ୍‌କା ହୋଇଥିଲା। ଏଥିରେ‘ଷୋଳପୁଅ ମା’ ବସ ଡ୍ରାଇଭର ଅର୍ଜୁନ ମହାକୁଡଙ୍କୁ ଅନ୍ୟ ବସର ଯାତ୍ରୀମାନେ ପିଟି ପିଟି ମାରିଦେଇଥିବା ନେଇ ଅଭିଯୋଗ ହୋଇଥିଲା। ହେଲ୍‌ପର୍‌ ରଶ୍ମିରଞ୍ଜନ ବେହେରା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ମାତ୍ର, ଏହି ଘଟଣାକୁ ପୁଲିସ ଚପାଇ ‌ ଦେବାକୁ ଉଦ୍ୟମ କରୁଥିବା ପ୍ରତିବାଦରେ ନୀଳିଗିରି ମୋଟର କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପୁଲିସ ଅଧିକାରୀଙ୍କ ନିଲମ୍ବନ  ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା।