ଆଜି ସକାଳ ୮ଟାରୁ ଆରମ୍ଭ ହେବ ରଥ ନିର୍ମାଣ

ପୁରୀ : ଆସନ୍ତାକାଲି ଶୁକ୍ରବ‌ାର ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ଆଜି ବିଳମ୍ବିତ ରାତିରେ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ତିନି ରଥର ମହାରଣାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି।

ରଥ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଯେଉଁ ଚିଠି ଲେଖାଯାଇ ଅନୁମତି ମଗାଯାଇଥିଲା, ତାର ଉତ୍ତର ଆଜି ସନ୍ଧ୍ୟାରେ ମିଳିଥିଲା। ସାମାଜିକ ଦୂରତ୍ବ ଓ ଅନ୍ୟାନ୍ୟ କରୋନା କଟକଣା ଅନୁପାଳନ କରି ରଥ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ କେନ୍ଦ୍ର ସରକାର ଆଜି ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ଏହି ଚିଠି ମିଳିଲା ପରେ ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିଛି। ବିଳମ୍ବିତ ରାତିରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରଥ ନିର୍ମାଣ ଆରମ୍ଭ ନେଇ ବୈଠକ ବସିଥିଲା। ବୈଠକରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର, ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା, ତାଳଧ୍ବଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ପରିଚାଳନା କମିଟିର ୨ ଜଣ ସଦସ୍ୟ ଉପସ୍ଥିତ ଥିଲେ। ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ରାତି ୧୦ଟା ଯାଏଁ ରଥ ଚାଲିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ଭଉଁରୀ ଦିନ ଚକ ଡେରା କାର୍ଯ୍ୟ କରିବା ପାଇଁ ସେମାନେ ଉଦ୍ୟମ କରି‌ବେ ବୋଲି ତିନି ରଥର ମୁଖ୍ୟ ମହାରଣାମାନେ କହିଛନ୍ତି। ତେବେ ମହାରଣା ସଂଖ୍ୟା ବୃଦ୍ଧି ନେଇ ପରବର୍ତ୍ତୀ ସମୟରେ ଆଲୋଚନା ହେବ ବୋଲି ସ୍ଥିର ହୋଇଛି। ସେହିପରି ଆସନ୍ତାକାଲିଠାରୁ ରୂପକାର ସେବକ, କମାର ସେବକମାନେ ସେମାନଙ୍କ କାମ ଆରମ୍ଭ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର