ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି: ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ସଂରକ୍ଷିତ ହେବ ନାଗାର୍ଜୁନ ବେଶ

ପୁରୀ: ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେତେକ ଗୁରୁତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲ୍ଲାପାଳ ବଲବନ୍ତ ସିଂହ ଓ ଛତିଶାନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି ଯେ ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ନାଗାର୍ଜୁନ ବେଶ ରହିବ। ଏଥିଲାଗି ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଶୃଙ୍ଖଳିତ ନୀତିକାନ୍ତି ଉପରେ ବି ଏହି ବୈଠକରେ ଆଲୋଚନା ହୋଇଛି।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ରାତି ୨ଟାରେ ହରଚଣ୍ଡୀ ସାହିରୁ ଶ୍ରୀମନ୍ଦିରକୁ ନାଗାର୍ଜୁନ ବେଶ ଯିବ। ଶ୍ରୀମନ୍ଦିର ପ୍ରଶାସନ ଅନଲାଇନ ଦାନ ପାଇଁ ନାମ ପଞ୍ଜିକରଣ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆଗାମୀ ଡିସେମ୍ବର ଦ୍ବିତୀୟ କିମ୍ବା ୩ୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିପାରେ।
ସୂଚନାଯୋଗ୍ୟ, ନାଗାର୍ଜୁନ ବେଶ ଚଳିତ ମାସ ୨୭ ତାରିଖରେ ହେବ। ପବିତ୍ର କାର୍ତ୍ତିକ ଦ୍ବାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହେବ। ସେହି କାର୍ତ୍ତିକ ମାସରେ ୬ ଦିନ ପଞ୍ଚକ ପଡ଼ୁଥିବାରୁ ଅତିରିକ୍ତ ଦିନିଟି ନାଗାର୍ଜୁନ ବେଶ ହେବ। ଶେଷ ଥର ଏହି ବେଶ ୧୯୯୪ରେ ହୋଇଥିଲା। ସେତବେଳେ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲ‌ା। ପରିଚାଳନା ଗତ ତ୍ରୁଟି ଯୋଗୁଁ ଭକ୍ତ ପ୍ରାଣ ହରାଇଥିଲେ। ଏହି ବେଶରେ ମହାପ୍ରଭୁଙ୍କ ବୀର ତଥା ପାର୍ବତ୍ୟ ବେଶରେ ସଜ୍ଜିତ ହୋଇଥା’ନ୍ତି। ଅନ୍ୟ ବେଶଠାରୁ ଏହା ବିରଳ ଓ ଆକର୍ଷଣୀୟ। ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ପୁରୀକୁ ଆସିଥା’ନ୍ତି।

ତଥ୍ୟ ମୁତାବକ ୧୯୬୬, ୧୯୮୩ ଓ ୧୯୯୩ ଓ ୧୯୯୪ରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏହା ପରଠାରୁ ଏ ତିଥି ପଡ଼ିନଥିଲା। ଏହି ବେଶରେ ମହାପ୍ରଭୁଙ୍କ ଯୋଦ୍ଧା ବେଶରେ ସଜା ଯାଇଥାଏ। ମହାପ୍ରଭୁଙ୍କ ଅଣ୍ଟାରେ ନାଗା ତାଟି ଭିଡ଼ାଯାଏ। ଧନୁଶର ପୂର୍ଣ୍ଣ ତୁଣୀର, କୁଟାରି, ଛୁରି ବାଘନଖ, ଏରାପକ୍ଷୀର ପର ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ବେଶ ପାଇଁ ଶ୍ରୀହସ୍ତ, ଶ୍ରୀପୟର ଲାଗି ହୋଇଥାଏ। ମହାପ୍ରଭୁ ଉଭୟ ହସ୍ତରେ ଦୁଇଟି ଓଳମାଳି ଧରିଥା’ନ୍ତି। ବିଭିନ୍ନ ମାଳିରେ ମହାପ୍ରଭୁଙ୍କ ବେଶ ହୋଇଥାଏ। ସୁଭଦ୍ରାଙ୍କ ମସ୍ତକରେ ସୁନାର ମୁକୁଟ, ଚନ୍ଦ୍ରିକା, କର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି ହୋଇଥାଏ। ଏହାକୁ ମହାପ୍ରଭୁଙ୍କ ପର୍ଶୁରାମ ବେଶ ବୋଲି ମଧ୍ୟ କୁହାଯାଇଥାଏ। ହିମାଚଳ ପ୍ରଦେଶର ଜଣେ ସନାତନ ବ୍ରାହ୍ମଣ ଏହି ବେଶର ପ୍ରଚଳନ କରିଥିବା ଜଣାଯାଏ।

ସମ୍ବନ୍ଧିତ ଖବର