ଗର୍ଭଗୃହର ଫଟୋ ଭାଇରାଲ ପ୍ରସଙ୍ଗ, ଫଟୋ ସେୟାରକାରୀ ମାଗିଲେ କ୍ଷମା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଫେସ୍‌ବୁକ୍‌ରେ ଭାଇରାଲ ହେବା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟ ପ୍ରଶାସକ ଶ୍ରୀ ଜେନା କହିଛନ୍ତି, ବିହାରର ଧନବାଦରେ ଥିବା ସିଆଇଏମଏସଆର (ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଇନିଂ ଫ୍ୟୁଏଲ ରିସର୍ଚ୍ଚ)ର ଜଣେ ବରିଷ୍ଠ ବିଶେଷଜ୍ଞ ସଦାନନ୍ଦ ଶର୍ମା ଗର୍ଭଗୃହ ମରାମତି କାର୍ଯ୍ୟରେ ସହଯୋଗ କରିଥିଲେ। ସେ ଏହି ଫଟୋକୁ ଫେସ୍‌ବୁକ୍‌ରେ ସେୟାର କରିଥିଲେ। ସେ ଏଏସ୍‌ଆଇ ଅନୁଧ୍ୟାନ ପୂର୍ବରୁ ଟିମ୍‌ ସହିତ ଆସିଥିଲେ। ଫଟୋ ଭାଇରାଲ ନେଇ ସଦାନନ୍ଦ କ୍ଷମା ମାଗିଛନ୍ତି। ଇ-ମେଲ ଜରିଆରେ ମନ୍ଦିର ପ୍ରଶାସନକୁ କ୍ଷମା ମାଗିଛନ୍ତି। ଶ୍ରୀ ଜେନା କହିଛନ୍ତି, ଏ ନେଇ ମନ୍ଦିର ପ୍ରଶାସନ ଏଏସଆଇ ସହ କଥା ହୋଇଛି। ପରବର୍ତ୍ତୀ ପଦକ୍ଷେପ ପାଇଁ ଜିଲ୍ଲାପାଳ ଓ ଏସ୍‌ପି ସହ କଥା ହେଉଛୁ।

ସେହିଭଳି ଶ୍ରୀମନ୍ଦିର ସଂସ୍କାର କମିସନ ଜଷ୍ଟିସ ବିପି ଦାସ କହିଛନ୍ତି, ଏଭଳି ଘଟଣା ନିନ୍ଦନୀୟ। ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ସ୍ପଷ୍ଟ କରୁଛି। କମିସନ ପକ୍ଷରୁ ରାଜ୍ୟ ଆଇନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ହୋଇଥିବା ଜଣାପଡ଼ିଛି। ସେହିଭଳି କମିସନ୍‌ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଓ ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ମନ୍ଦିର ଭିତରକୁ ମୋବାଇଲ ନନେବା ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ହୋଇଛି। ସେହିଭଳି ସେବାୟତ ମଧ୍ୟ ମୋବାଇଲ ନନେବାକୁ କଡ଼ା ନିର୍ଦ୍ଦେଶ ହୋଇଛି।

ସୋସିଆଲ ମିଡିଆରେ ଗର୍ଭଗୃହର ଫଟୋ ଭାଇରାଲ ହେବା ପରେ ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଲାଗିଛି। ଏହି ଫଟୋ ରଥଯାତ୍ରା ସମୟର ବୋଲି କୁହାଯାଉଛି। ଏଏସ୍‌ଆଇ ଗର୍ଭଗୃହ ଅନୁଧ୍ୟାନ ବେଳର ଫଟୋ ହୋଇଥିବା ଅନୁମାନ କରାଯାଉଛି। ଶ୍ରୀମନ୍ଦିର ପରଂପରା ଅନୁସାରେ ପ୍ରତିବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବେଳେ ଗର୍ଭ ଗୃହ ସ୍ଥିତିର ଅନୁଧ୍ୟାନ ହୋଇଥାଏ। କିଏ ଓ କେମିତି ଫଟୋ ଭାଇରାଲ କଲା ସେ ସମ୍ପର୍କରେ ଜଣା ପଡ଼ି ନଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ସେବାୟତମାନେ ଘଟଣାର ଉଚ୍ଚସ୍ତରୀୟ ଦାବି କରିଛନ୍ତି।

ଗର୍ଭଗୃହର ଫଟୋ ଭାଇରାଲ ହେବା ପରେ ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ଏ ନେଇ ପଚରାଯିବାରୁ ସେ କହିଛନ୍ତି, ଘଟଣା ସମ୍ପର୍କରେ ମୋର ଧାରଣା ନାହିଁ କିନ୍ତୁ ମୁଁ ଏ ବାବଦରେ ତଦାରଖ କରୁଛି।

ସମ୍ବନ୍ଧିତ ଖବର