ଗୃହ ନିର୍ମାଣ ଆମ ପାଇଁ ଚ୍ୟାଲେଞ୍ଜ : ଜିଲ୍ଲାପାଳ ବଲୱନ୍ତ ସିଂହ

ସାମୁଦ୍ରିକ ଝଡ଼ବାତ୍ୟା ‘ଫନି’ ପୁରୀ ସହର ଉପକଣ୍ଠ ବାଲୁଖଣ୍ଡ ନିକଟରେ ଭୂପୃଷ୍ଠ ଛୁଇଁବା ପରେ ଧ୍ବଂସଲୀଳା ରଚିଥିଲା। ଏହି ଭୟଙ୍କର ବାତ୍ୟାରେ ସମଗ୍ର ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳରେ ରିଲିଫ, ଥଇଥାନ, ପୁନର୍ବାସ ଆଦି କାମକୁ ତ୍ବରାନ୍ବିତ କରିବା ଲାଗି ଯୁବ ଆଇଏଏସ୍‌ ଅଫିସର ବଲୱନ୍ତ ସିଂହଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି। ବାତ୍ୟା ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ, ଥଇଥାନ ଓ ପୁନରୁଦ୍ଧାର ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏ ସଂପର୍କରେ ତାଙ୍କ ସହ ଆଲୋଚନା କରିଛନ୍ତି ‘ସମ୍ବାଦ’ର ଚିଫ୍ ରିପୋର୍ଟର ଚିନ୍ମୟ ପତି।

ବାତ୍ୟା ପର ସ୍ଥିତି ମୁକାବିଲାରେ କେତେ ଦୂର ସଫଳ ହୋଇଛି ପ୍ରଶାସନ
ବାତ୍ୟା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ପୁନଃନିର୍ମାଣ। ଜିଲ୍ଲାରେ ପ୍ରାୟ ୧ ଲକ୍ଷରୁ ଅଧିକ କଚ୍ଚା ଘର ଭାଙ୍ଗିଛି। ସରକାରଙ୍କ ଘୋଷଣା ଅନୁଯାୟୀ ଜିଲ୍ଲାରେ ସମସ୍ତ କଚ୍ଚା ଘରକୁ ପକ୍କା କରିବାକୁ ପଡ଼ିବ। ଯାହାଦ୍ବାରା ବିପର୍ଯ୍ୟୟ ବେଳେ ଆଉ ଏତେ କ୍ଷୟକ୍ଷତି ହେବନାହିଁ। ଧନଜୀବନ ହାନି ହେବ ନାହିଁ। କେନ୍ଦ୍ରର ଅନୁଦାନ ଆସିବା ପରେ ସେସବୁକୁ ଧୀରେ ଧୀରେ ପକ୍କା ଘର କରାଯିବ।

କ୍ଷୟକ୍ଷତି ଆକଳନ ଓ ସହାୟତା ନେଇ ଲୋକେ ଏବେ ବି ଦ୍ବନ୍ଦ୍ବରେ
ଏହା ହୋଇଥାଇପାରେ। ମାତ୍ର ଆମର ଦେଖିବାର କଥା, ପ୍ରତିଟି ପ୍ରଭାବିତ ପରିବାର ନିକଟରେ ଆକଳନକାରୀ ଟିମ୍‌ ପହଞ୍ଚିଛନ୍ତି କି ନାହିଁ। ସମସ୍ତଙ୍କ ନାମ ଠିକଣା ଆସିବା ପରେ ବାକି କାମ ପ୍ରଶାସନର। ସମସ୍ତ ପ୍ରଭାବିତଙ୍କୁ ଏନ୍‌ଡିଆର୍‌ଏଫ୍‌ ନିୟମ ଅନୁସାରେ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ସେମାନେ ଘର ସାମୟିକ ମରାମତି କରିପାରିବେ। ପରେ ସେମାନଙ୍କୁ ସ୍ଥାୟୀ ଘର ଦିଆଯିବ। ଏହି ଆକଳନ ପାଇଁ ୧୫୦ଟି ଟିମ୍‌ ଲାଗିଛନ୍ତି। ୧୦ ତାରିଖ ମଧ୍ୟରେ ସମସ୍ତଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହେବ।

ଏବେ ମଧ୍ୟ ବିଜୁଳି ସମସ୍ୟାକୁ ନେଇ ଲୋକେ ହଇରାଣ ହେଉଛନ୍ତି
ବିଜୁଳି ସମସ୍ୟା ନିରାକରଣ ପାଇଁ ଜୋରସୋରରେ କାର୍ଯ୍ୟ ଚାଲିଛି। ୧୫ ତାରିଖ ମଧ୍ୟରେ ରାସ୍ତା ଆଲୋକ କାର୍ଯ୍ୟକାରୀ କରାଯିବ। ରଥ ପୂର୍ବରୁ ହାଇମାଷ୍ଟ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାମଧ୍ୟରେ ପ୍ରତି ବ୍ଲକ ମୁଖ୍ୟାଳୟକୁ ବିଜୁଳି ସଂଯୋଗ ହୋଇସାରିଛି।

ସମ୍ବନ୍ଧିତ ଖବର