ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ନିଆରା ପ୍ରୟାସ: ୩୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ବେଳାଭୂମି ସଫେଇ କଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ

ପୁରୀ: ଆଜି ସକାଳେ ଆମେ ଦୁଇ ଜଣ ଜିଲ୍ଲାପାଳଙ୍କ ସଂପର୍କରେ ଭଲ ଖବର ପ୍ରକାଶ କରିଥିଲୁ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଖଲ୍ଲିକୋଟ ବ୍ଲକ୍ ଭରସା ଗ୍ରାମରେ ଚାଷୀଙ୍କ ପାଖକୁ ଆସି ବିଲରେ ପଶି ଧାନ ରୋଇ ଥିଲା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ପାଟକୁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଚାନକ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ। ଠିକ ସେହିଭଳି ଏକ ଖବର ଆସିଛି ପୁରୀରୁ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ୩୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ପୁରୀ ବେଳାଭୂମି ସଫେଇ କରିଛନ୍ତି।

‘ମୋ ବେଳାଭୂମି’ ଯୋଜନା ମାଧ୍ୟମରେ ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିନବ ପ୍ରୟାସ ଆଉ ଏହାର ନେତୃତ୍ୱ ନେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ । ୨୦୦୭ ବ୍ୟାଚର ଏହି ଆଇଏଏସ ଅଧିକାରୀ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ପୁରୀରେ ସଫେଇ ଓ ଫନି ପରର ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦେଇ ଆସୁଛନ୍ତି  । ଆଜି ପ୍ରତ୍ୟୁଷରୁ ଆରମ୍ଭ ହୋଇଥିବା ସଫେଇ ଅଭିଯାନରେ ୩୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ବେଳାଭୂମି ସଫେଇ କରିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ । ଲାଇଟ୍ ହାଉସଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ପାଖାପାଖି ୧. ୫ କିମି ପରିଧି ଭିତରେ ୨୫୦ କେଜି ଆବର୍ଜନା ସଫା ହୋଇଛି ।

ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ବେଳାଭୂମି ସଫେଇ କରିଛନ୍ତି । ଲୋକଙ୍କୁ ବେଳାଭୂମିକୁ ସଫା କରିବା ପାଇଁ ଉତ୍ସାହିତ କରିବା ସହ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି  ସୁଦର୍ଶନ ।

ସମ୍ବନ୍ଧିତ ଖବର