ପୁରୀ : ପୁରୀ ଲୋକସଭା ଆସନ ଅନ୍ତର୍ଗତ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଚିତ୍ର ସ୍ପଷ୍ଟ ହୋଇଛି। ଆଜି ବିଜେଡି ସତ୍ୟବାଦୀ ଓ ବ୍ରହ୍ମଗିରି ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ପୁରୀ ଜିଲ୍ଲାର ଏହି ଦୁଇ ପ୍ରମୁଖ ଆସନରେ ପ୍ରାର୍ଥୀଙ୍କୁ ନେଇ ରହିଥିବା ସନ୍ଦେହ ଦୂର ହୋଇଛି। ପୂର୍ବରୁ କଂଗ୍ରେସ ଓ ବିଜେପି ଏହି ଦୁଇ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଥିଲା। ସତ୍ୟବାଦୀରେ ଏଥର ତ୍ରିମୁଖୀ ଲଢେଇ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଖାତା ଖୋଲିନଥିବା ବିଜେଡି ଏଠାରେ ଗତଥରର ସ୍ବାଧୀନ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କୁ ଟିକଟ୍ ଦେଇଛି। ସେହିପରି ସତ୍ୟବାଦୀରେ ବିଜେପି ଓମ୍ପ୍ରକାଶ ମିଶ୍ରଙ୍କୁ ଟିକଟ୍ ଦେଇଛି। ଓମ୍ପ୍ରକାଶଙ୍କୁ ଟିକଟ୍ ମିଳିବା ପରେ ସ୍ଥାନୀୟ ବିଜେପିରେ ବିଦ୍ରୋହ ଦେଖାଦେଇଛି। ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ରମାରଂଜନ ବଳିୟାର ସିଂହ ନିରାଶ ହୋଇଛନ୍ତି। ରମାଙ୍କ ସମର୍ଥକମାନେ ଏହାର ବିରୋଧ କରିଛନ୍ତି। ଏହି ଆସନ ପାଇଁ କଂଗ୍ରେସ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଟିକଟ୍ ଦେଇଛି। ସତ୍ୟବାଦୀରେ ଉମା-ଓମ୍ ଓ ପ୍ରସାଦଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ଥୟ।
ସେହିଭଳି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚିତ୍ର ସ୍ପଷ୍ଟ ହୋଇଛି। ବିଜେପି ବ୍ରହ୍ମଗିରି ଆସନ ପାଇଁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାମ ଘୋଷଣା କରିଥିବା ବେଳେ କଂଗ୍ରେସ ଯୁବ ନେତା ଉମାକାନ୍ତ ବରାଳଙ୍କ ନାମ ଘୋଷଣା କରିଛି। ଆଜି ବିଜେଡି ଦୁଇ ଥର ବିଧାୟକ ହୋଇଥିବା ସଂଜୟ ଦାସବର୍ମାଙ୍କୁ ପୁଣି ଥରେ ଟିକଟ୍ ଦେଇଛି। ଏଠାରେ ସଂଜୟ-ଲଳିତେନ୍ଦୁ ଓ ଉମାକାନ୍ତଙ୍କ ମଧ୍ୟରେ ଲଢେଇ ହେବ। ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ପୁରୀ ସଦର ବିଧାନସଭା ଆସନ ପାଇଁ କୌଣସି ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି। ନିମାପଡାରେ କେବଳ ବିଜେପି ପ୍ରଭାତୀ ପରିଡାଙ୍କ ନାମ ଘୋଷଣା କରିଛି। ପିପିଲିରେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କ ନାମ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏ ପର୍ଯ୍ୟନ୍ତ କାହା ନାମ ଘୋଷଣା କରିନାହାନ୍ତି। କାକଟପୁର ଆସନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବିଜେପି ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବିଶ୍ବଭୂଷଣ ଦାସଙ୍କ ନାମ ଘୋଷଣା କରିଛି। ବିଜେଡି ଏଯାବତ କାହାକୁ ପ୍ରାର୍ଥୀ ଭାବେ ଘୋଷଣା କରିନାହିଁ।