ବିଜେଡିକୁ ଶଙ୍ଖକ୍ଷେତ୍ର ଚିନ୍ତା : ସଂଜୟ ଓ ମହେଶ୍ବରଙ୍କୁ ଥଇଥାନ ପାଇଁ କସରତ

ପୁରୀ : ବିଜେଡି ଗଡ଼ ଭାବେ ପରିଚିତ ପୁରୀ ଜିଲ୍ଲା‌ରେ ଚଳିତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି। ଜିଲ୍ଲା‌ରେ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୨ଟିରେ ବିଜୟୀ ‌ହୋଇଛି। ଜିଲ୍ଲାରେ ହୋଇଥିବା ସମୁଦାୟ‌ ଭୋଟରୁ ବିଜେପି ମଧ୍ୟ ଏକ ସିଂହଭାଗ ହାସଲ କରି ଦ୍ବିତୀୟ ବୃହତ ଦଳ ଭାବେ ଉଭା ହୋଇଛି। ଏହା ଏବେ ବିଜେଡି ପାଇଁ ଚିନ୍ତାଜନକ ହୋଇପଡିଛି। ପୁରୀ ବିଧାନସଭା ଆସନ ଓ ପଡୋଶୀ ବ୍ରହ୍ମଗିରି ବିଧାନସଭା ଆସନ ବିଜେଡି ହାତରୁ ଖସିଯାଇଛି। ଏଠାରେ ବିଜେପି ପ୍ରାର୍ଥୀଙ୍କୁ ବହୁମତ ମିଳିଛି। ଜିଲ୍ଲ‌ାରେ ବଢୁଥିବା ବିଜେପିକୁ ଚେକ୍ ଦେବା ପାଇଁ ବିଜେଡି ତା’ର ରଣନୀତି ଚଳାଇଥିବା ପୁରୀରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଆଗକୁ ପୌର ନିର୍ବାଚନ ଥିବାରୁ ବିଜେଡିକୁ ପୁଣି ଥରେ ଫର୍ମ ଫେରାଇବାକୁ ପଡିବ। ଏଥିପାଇଁ ଦଳ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ଓ ବ୍ରହ୍ମଗିରି ପୂର୍ବତନ ବିଧାୟକ ସଂଜୟ ଦ‌ାସବର୍ମାଙ୍କୁ ପଦପଦବି ଦେବା ପାଇଁ କସରତ ଆରମ୍ଭ କରିଛି। ବିଜେଡି ଗଡ ସମ୍ଭାଳିବାକୁ ଏ ପ୍ରକାର ଯୋଜନା ଥିବା ଜଣାପଡିଛି। ବରିଷ୍ଠତା ଦୃଷ୍ଟିରୁ ମହେଶ୍ବରଙ୍କୁ ରାଜ୍ୟସଭା ପଠାଯିବ‌ାର ସମ୍ଭାବନା ରହିଛି।

ଚଳିତ ନିର୍ବାଚନରେ ମହେଶ୍ବର ମହାନ୍ତି ୭୨, ୭୩୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ୭୬,୭୪୭ ଖଣ୍ଡ ଭୋଟ ପାଇଥିଲେ। ସେହିଭଳି ବ୍ରହ୍ମଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ୮୭, ୮୧୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ଏଠାରେ ୮୫, ୮୭୭ ପରାଜିତ ହୋଇଛି। ସଂଜୟଙ୍କୁ ଉପନିର୍ବାଚନ ସୁଯୋଗ ଦେବାକୁ ମଧ୍ୟ ସେମାନଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ଏପରିକି ଶ୍ରୀ ଦାସବର୍ମାଙ୍କୁ ଶପଥ ଗ୍ରହଣ ଦିନ ଏକ ବଡ ପଦବି ଦେଇ ବିଜେପିକୁ ଚକମା ଦେବାକୁ ଯୋଜନା କରାଯାଉଥିବା ତାଙ୍କର କିଛି ନିକଟତମଙ୍କ ସୂତ୍ରରୁ ସୂଚନା ମିଳିଛି। ସୂଚନା‌ଯୋଗ୍ୟ, ଏଥର ନିର୍ବାଚନରେ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀରୁ ବିଜେପି ୩ଲକ୍ଷ ୮୯ ହଜାର ୯୪୨ଖଣ୍ଡ ଭୋଟ ପାଇଛି। ବିଜେଡି ବାକ୍ସରେ ୫ଲକ୍ଷ ୧୦ ହଜାର ଭୋଟ ପଡିଛି। ବିଜେପି ବିଜେଡିଠାରୁ ମାତ୍ର ୧ଲକ୍ଷ ୨୦ ହଜାର ଭୋଟ ପଛରେ ରହିଛି। ବିଜେପି ଗତ ନିର୍ବାଚନଠାରୁ ୫ ଗୁଣା ଅଧିକ ଭୋଟ ପାଇଛି। କାକଟପୁରରେ ଦଳକୁ ୩୦,୭୭୧, ନିମାପଡାରେ ୫୯୧୫୨, ପିପିଲିରେ ୭୨, ୭୩୧ ଭୋଟ ମିଳିଛି। ସେହିଭଳି ସତ୍ୟବାଦୀ ମଧ୍ୟ ବିଜେପି ୬୨, ୭୨୫ ଭୋଟ ପାଇଛି। କାକଟପୁରକୁ ଛାଡି ଦେଲେ ବାକି ୫ ଆସନରୁ ବିଜେପି ୨ଟିରେ ବିଜୟୀ ‌ହୋଇଥିବା ବେଳେ ୩ଟିରେ ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର