ପୁରୀ ହାଜତ ମୃତ୍ୟୁ ମାମଲା: ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ମହଲତ

କଟକ : ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ଅଭିଯୋଗ ସଂପର୍କିତ ମାମଲାରେ ସରକାରଙ୍କ ପକ୍ଷରୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଲୋଡ଼ାଯାଇଛି।

ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କେ.ରମେଶଙ୍କ ମୃତ୍ୟୁ ଘଟଣାର ଜାତୀୟ ମାନବାଧିକାର କମିସନ ତଦନ୍ତ କରୁଥିବାବେଳେ ଏ ସଂପର୍କିତ ରିପୋର୍ଟ ହସ୍ତଗତ ହୋଇନାହିଁ। ଏଥିସହିତ କରୋନା ସଂକ୍ରମଣ ସ୍ଥିତି ଓ ରଥଯାତ୍ରା ପାଇଁ ପୁରୀ ଜିଲ୍ଲାର ପୁଲିସ ବ୍ୟସ୍ତରେ ରହିଛନ୍ତି। ଏଭଳି ସ୍ଥିତିରେ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରିଥିବା ବେଳେ ଏହାପୂର୍ବରୁ ତଦନ୍ତର ସାନି ସ୍ଥିତି ସଂପର୍କିତ ‌ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ମାମଲାରେ ପୁରୀ ଏସ୍‌ପିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଥିବା ଜବାବ ଉପରେ ଆବେଦନକାରୀଙ୍କ ପକ୍ଷରୁ ଜାନୁଆରି ୨୭ରେ ପ୍ରତିଜବାବ ଦାଖଲ କରାଯାଇଥିଲା। ଏସ୍‌ପି ଡକ୍ଟର କେ.ଭି. ସିଂହ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏହା ହାଜତ ମୃତ୍ୟୁ ନୁହେଁ ବୋଲି କହିଥିଲେ। ତେଣୁ ପୁଲିସ ଛଡ଼ା ଅନ୍ୟ ସ୍ବାଧୀନ ଏଜେନ୍ସି ଦ୍ବାରା ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଆଇନଜୀବୀ ଦୀପକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର