ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗ ନେଇ ଗର୍ଜିଲେ କଂଗ୍ରେସ ବିଧାୟକ ଦଳ ନେତା : ରାଜ୍ୟରେ ନାହିଁ ଆଇନର ଶାସନ

ଘଟଣାର ତଦନ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଦ୍ବାରା କରିବାକୁ ଦାବି
ବେକାରୀ ସମସ୍ୟା ନେଇ ଗୃହରେ ଶ୍ବେତପତ୍ର ଦାବି କରିବ କଂଗ୍ରେସ
ମେକ୍‌ ଇନ୍‌-ଇଣ୍ଡିଆକୁ ସଫଳ କରିବାକୁ ବିଲ୍‌ ଆଣିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟର ଶିକାର ହୋଇଥିବା ଯୁବକର ଶବକୁ ତାର ପରିବାରକୁ ହସ୍ତାନ୍ତର ନ କରି ପୁଲିସ ଦାହ କରିଦେବା ଅକ୍ଷମଣୀୟ ଅପରାଧ। ଏହା ବ୍ୟକ୍ତିର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି। ରାଜ୍ୟରେ ଆଉ ଆଇନର ଶାସନ ନାହିଁ। ସରକାରୀ ଅଧିକାରୀମାନେ ସ୍ବେଚ୍ଛାଚାରୀ ହୋଇଯାଇଛନ୍ତି। ଅଥଚ ମୁଖ୍ୟମନ୍ତ୍ରୀ ଚୁପ୍‌। ଲୋକମାନେ ସରକାରୀ କାର୍ଯ୍ୟାଳୟରୁ ନ୍ୟାୟ ପାଉ ନାହାନ୍ତି। ଫଳରେ ତହସିଲ ପୋଡ଼ିବା ଭଳି ଘଟଣା ଦେଖିବାକୁ ମିଳିଲାଣି। ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟରେ ଆଉ ଗଣତନ୍ତ୍ର ଶାସନ ଚାଲୁନାହିଁ। ହାଜତ ମୃତ୍ୟୁକୁ ନେଇ ଗୃହ ମୁଲତବୀ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୋଧରେ ଏପରି ଗର୍ଜିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବେକାରୀ ସମସ୍ୟା ନେଇ ଆସନ୍ତା ଦିନରେ ଗୃହରେ ତାଙ୍କ ଦଳ ସରକାରଙ୍କୁ ଶ୍ବେତପତ୍ର ଦାବି କରିବ ବୋଲି ସେ କହିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, ପୁଲିସ ମାଡ଼ରେ ଯେପରି ଭାବେ ପୁରୀରେ ଜଣେ ଯୁବକର ପ୍ରାଣହାନୀ ଘଟିଛି ତାକୁ କଂଗ୍ରେସ ଘୋର ନିନ୍ଦା କରୁଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଘୋର ଜନଅସନ୍ତୋଷ ଦେଖାଦେଇଛି। ସେହିପରି ସୁନ୍ଦରଗଡ଼ରେ ବି ହାଜତ ମୃତ୍ୟୁ ଘଟଣା ବି ଘଟିଛି। ଯଦିଓ ଏହି ଦୁଇଟି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କୁହାଯାଇଛି କିନ୍ତୁ ଏହାକୁ ସାଧାରଣ ଲୋକେ ବିଶ୍ବାସ କରିବେ ନାହିଁ। ଏପରିକି ପ୍ରଶାସନିକ ତଦନ୍ତ କିମ୍ବା ପୁଲିସ ତଦନ୍ତକୁ ଲୋକେ ଗ୍ରହଣ କରିବେ ନାହିଁ। ଜିଲ୍ଲା ଦୌରାଜଜ୍‌ଙ୍କ ଦ୍ବାରା ଏହି ଘଟଣାର ତଦନ୍ତ କରାଯିବ ଦରକାର। ଖାଲି ସେତିକି ନୁହେଁ ଜିଲ୍ଲା ଏସ୍‌ପିଙ୍କ ସମେତ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ସେଠାରୁ ତୁରନ୍ତ ହଟାଯିବା ଦରକାର। ତା ନ ହେଲେ ତଦନ୍ତରେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ନାହିଁ। ପୁରୀ ହାଜତ ମୃତ୍ୟୁ ଘଟଣାରେ ଯେପରି ଭାବେ ତାର ପରିବାକୁ ଶବ ହସ୍ତାନ୍ତର ନ କରି ପୁଲିସ ଦାହ କରି ଦେଇଛି ତାହା ମଧ୍ୟ ସମ୍ବିଧାନ ବିରୋଧୀ। ଏହି ଘଟଣାରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ରାଜ୍ୟରେ ଗୋଟିଏ ଦିନରେ ଦୁଇଟି ହାଜତ ମୃତ୍ୟୁ ଘଟଣା ଘଟିଥିଲେ ବି ମୁଖ୍ୟମନ୍ତ୍ରୀ ଚୁପ୍‌ ହୋଇ ବସିଛନ୍ତି। ଖାଲି ଏହି ଘଟଣା ନୁହେଁ, ବଲାଙ୍ଗୀର ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା, କଟକ ସହରରେ ଦିନ ଦ୍ବିପହରରେ ୧୦ କ୍ବିଣ୍ଟାଲ ସୁନା ଡକାୟତି, ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଧରି ନପାରିବା ଘଟଣା ପ୍ରମାଣିତ କରୁଛି ଯେ, ରାଜ୍ୟରେ ପୁଲିସ ନିଷ୍କ୍ରିୟ ହୋଇଯାଇଛି। ନାବାଳିକା ଦୁଷ୍କର୍ମ ଘଟଣାରେ ଓଡ଼ିଶା ହାଇକୋର୍ଟ ପୁଲିସ ଡିଜିଙ୍କୁ ଚରମବାଣୀ ଶୁଣାଇଛନ୍ତି। ଆଗକୁ କ୍ରାଇମବ୍ରାଞ୍ଚ୍‌ ଏଡିଜି ବି ହାଇକୋର୍ଟରେ ହାଜର ହେବେ। ବଲାଙ୍ଗୀର, କୋରାପୁଟ ଓ ସୁନ୍ଦରଗଡ଼ରେ ରାହାଜାନୀ ଓ ଠକେଇ ଦିନକୁ ଦିନ ବଢ଼ିଚାଲିଛି। ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଲାଣି।

ଶ୍ରୀ ମିଶ୍ର କହିଥିଲେ, କରୋନା ଲକ୍‌ଡାଉନ୍‌ ଯୋଗୁଁ ଅନେକ ଶିକ୍ଷିତ ଯୁବକ ଯୁବତୀ ଚାକିରି ହରାଇଛନ୍ତି। ରାଜ୍ୟରେ ସେମାନେ ରୋଜଗାର ପନ୍ଥା ନ ପାଇବାରୁ ସେମାନଙ୍କ ଭିତରୁ ଅଧିକାଂଶ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଶିକ୍ଷା ସହାୟକ ଭାବେ ସ୍କୁଲରେ ଶିକ୍ଷକ ନିଯୁକ୍ତି ହେଉଛନ୍ତି। ଅଥଚ ନିୟମିତ ଶିକ୍ଷକ ନିଯୁକ୍ତି ଦେଇ ଗୁଣାତ୍ମକ ଶିକ୍ଷାକୁ ସରକାର ସୁନିଶ୍ଚିତ କରିପାରୁନାହାନ୍ତି। ଫଳରେ ଧନୀ ଘରର ପିଲାମାନେ ଘରୋଇ ସ୍କୁଲରେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଉଥିବାବେଳେ ଗରିବ ଘର ପିଲା ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପାଉନାହିଁ। ଦୁର୍ନୀତି ରାଜ୍ୟରେ ଚରମ ସୀମାରେ ପହଞ୍ଚିଲାଣି। କୋଭିଡ୍‌ ଦୁର୍ନୀତି ସବୁଠୁ ବଳିଯାଇଛି। ସାରା ଭାରତରେ କୋଭିଡ୍‌ ଦୁର୍ନୀତି ଗଣତନ୍ତ୍ରକୁ ଧ୍ବଂସ କରିଦେଇଥିବାବେଳେ ଓଡ଼ିଶା ସରକାର ସେଥିରୁ ବାଦ ପଡ଼ିନାହାନ୍ତି। ୯ଟି ଖଣି ୩୬ ହଜାର କୋଟି ଟଙ୍କା ଲୁଟ୍‌ କରିଥିବା ନେଇ ସରକାରଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ ଜାରି କରିଛନ୍ତି। ଆଉ ଏହି ସବୁ ଖଣି ଲିଜ୍‌ଧାରୀମାନଙ୍କୁ ଦୁର୍ନୀତି କରିବାରେ ରାଜ୍ୟ ସରକାର ସହାୟତା କରିଛନ୍ତି। ଖଣି ଦୁର୍ନୀତିର ତଦନ୍ତ କରୁଥିବା ରାଜ୍ୟ ଭିଜିଲାନ୍‌ସ କେବଳ କେତେକ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବାହାବା ନେଉଛି। ଦୁର୍ନୀତିରେ ସମ୍ପୃକ୍ତ ବଡ଼ବଡ଼ିଆଙ୍କୁ ସରକାର ଘଣ୍ଟ ଘୋଡ଼ାଇଛନ୍ତି।

କୃଷକ ସମସ୍ୟା ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ସଂସଦରେ ବିଜେଡି ବିରୋଧ କରିଥିଲା। କିନ୍ତୁ ପୁଣି ଥରେ ଅଧ୍ୟାଦେଶ ବଳରେ କେନ୍ଦ୍ର ସରକାରଙ୍କ ଆଇନକୁ ସମର୍ଥନ କରି ପୁଣି ଗୋଟିଏ କୃଷକ ବିରୋଧୀ ଅଧ୍ୟାଦେଶ ଜାରି କରିଛନ୍ତି। ମଣ୍ଡିରେ ଧାନ ସଂଗ୍ରହ ବେଳେ ସିସିଟିଭି ଲଗାଇବାକୁ ବିଧାନସଭା ସ୍ଥାୟୀ କମିଟି ସରକାରଙ୍କୁ ସୁପାରିସ କରିଥିଲା। କିନ୍ତୁ ତାକୁ ସରକାର ଗ୍ରହଣ କରିନାହାନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏଥରକ ବିଧାନସଭାରେ ସରକାର ମେକ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶିଳ୍ପ ମନ୍ତ୍ରୀ ଗୋଟିଏ ବିଲ୍‌ ଆଗତ କରିଛନ୍ତି ଯାହାକୁ ସଂଶୋଧନ କରି ଭାରତ ସରକାରଙ୍କ ମେକ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ଯଦି ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ କରାଯାଇଥାନ୍ତା ତାହେଲେ କୌଣସି ଆପତ୍ତି ନ ଥାନ୍ତା। ଏଥିରୁ ସ୍ପଷ୍ଟ ହେଉଛି, ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ। ଉଭୟ ଦଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ସ୍କୁଲରେ ପିଲା ନାହାନ୍ତି ବୋଲି ହଜାର ହଜାର ସ୍କୁଲକୁ ସରକାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରାଧୀନ ଭାରତରେ ବ୍ରିଟିସ ଯେପରି ଭାରତୀୟ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ ରଖିବା ପାଇଁ ବ୍ୟବସ୍ଥା କରିଥିଲା ସେହିପରି ଅନୁରୂପ ଭାବେ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସେହି ସ୍ତରରେ ପହଞ୍ଚାଇଛନ୍ତି। ଗୋଟିଏ ପଟେ ସରକାର ଗୁଣାତ୍ମକ ଶିକ୍ଷା ପାଇଁ ଭଲ ଦରମା ଦେଇ ଶିକ୍ଷକ ନିଯୁକ୍ତ କରୁନାହାନ୍ତି ଅନ୍ୟପଟେ ସ୍କୁଲ ବନ୍ଦ କରି ଲକ୍ଷାଧିକ ପିଲାଙ୍କୁ ଶିକ୍ଷା ପାଇବାରୁ ବଞ୍ଚିତ କରୁଛନ୍ତି। ଏବେ କରୋନା ପାଇଁ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍କୁଲ ଖୋଲିବାକୁ ଗୃହରେ ଦଳ ଦାବି କରିବ।

କରୋନା ପାଇଁ ଶୀତ ଅଧିବେଶନରେ ବି ପ୍ରଶ୍ନକାଳ ନ ରହିବା ବିଧି ସମ୍ମତ ନୁହେଁ। ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଧାନସଭା ବାଚସ୍ପତି କହିଲେ କରୋନା ଯୋଗୁଁ ୫୦% ସରକାରୀ ଅଧିକାରୀରେ କାର୍ଯ୍ୟ ହେଉଥିବାରୁ ପ୍ରଶ୍ନର ସଠିକ୍‌ ଉତ୍ତର ମିଳିପାରିବ ନାହିଁ। ସେଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯାଇଛି। ଯଦି ପ୍ରଶ୍ନକାଳ ନ ରହିଲା ତାହେଲେ ଅଣତାରକା ପ୍ରଶ୍ନର ଉତ୍ତରଗୁଡ଼ିକୁ ବି ୫୦% ସରକାରୀ ଅଧିକାରୀ ଓ କର୍ମଚାରୀ ପ୍ରସ୍ତୁତ କରୁଛନ୍ତି। ତାହେଲେ ବାଚସ୍ପତିଙ୍କ କହିବାଅନୁଯାୟୀ ଏସବୁ ଅଣତାରକା ପ୍ରଶ୍ନର ଉତ୍ତରଗୁଡ଼ିକ ସଠିକ୍‌ ନୁହେଁ। ଏସବୁ କରି ସରକାର ବାସ୍ତବରେ ବିରୋଧୀଙ୍କ ପ୍ରଶ୍ନବାଣରୁ ଖସିଯିବାକୁ ଉଦ୍ୟମ କରୁଛନ୍ତି। କଂଗ୍ରେସ ସୀମିତ ସଂଖ୍ୟାରେ ଥିଲେ ବି ଆଗକୁ ରାଜ୍ୟବାସୀଙ୍କ ସ୍ବାର୍ଥରେ ସରକାରଙ୍କୁ ସମ୍ପୂର୍ଣ୍ଣ ଘେରିବାକୁ ଉଦ୍ୟମ କରିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର