ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା : ତଦନ୍ତର ଅଗ୍ରଗତି ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ

ମୂଳ ଏଫଆଇଆର୍‌ରେ ଅଦଳବଦଳ ଅଭିଯୋଗ

କଟକ : ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ଅଭିଯୋଗ ସଂପର୍କିତ ମାମଲାରେ ତଦନ୍ତର ଅଗ୍ରଗତି ସଂପର୍କରେ ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬କୁ ଧାର୍ଯ୍ୟ କରାଯାଇଥିବାବେଳେ ଏହାପୂର୍ବରୁ ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଏହି ମାମଲାରେ ପୁରୀ ଏସ୍‌ପିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଥିବା ଜବାବ ଉପରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଛି। ଏହି ଜନସ୍ବାର୍ଥ ଆବେଦନ ଗ୍ରହଣୀୟ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିବାବେଳେ ଏହାକୁ ଆବେଦନକାରୀଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଦାଖଲ ପ୍ରତିଜବାବରେ ବିରୋଧ କରାଯାଇଛି। ଏହି ଜନସ୍ବାର୍ଥ ମାମଲା‌ ଗ୍ରହଣୀୟ ବୋଲି ପ୍ରତିଜବାବରେ ଉଲ୍ଲେଖ କରିଛନ୍ତି ଆବେଦନକାରୀ।

ପ୍ରତିଜବାବରେ ଦର୍ଶାଯାଇଛି ଯେ ଏଫଆଇଆରରେ କେ.ରମେଶ ବ୍ରହ୍ମଗିରି ପଟୁ ପୁରୀକୁ ଆସୁଥିବା ଉଲ୍ଲେଖ କରାଯାଇଥିବାବେଳେ ପୁରୀ ଏସପି ପ୍ରେସମିଟରେ କେ.ରମେଶ ବାଟମଙ୍ଗଳା ପଟୁ ପୁରୀ ଆସୁଥିବା ସୂଚନା ଦେଇଥିଲେ। ସେହିଭଳି ଭାବେ ଏଫଆଇଆରରେ ଥିବା ତଥ୍ୟ ଅନୁସାରେ ରମେଶ ରାସ୍ତାର ବାମପଟେ ମୋଟରସାଇକେଲ ରଖି ଜଙ୍ଗଲ ଭିତରକୁ ଦୌଡିଥିଲେ ବୋଲି ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ପୁରୀ ଏସପିଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ରମେଶ ମୋଟରସାଇକେଲ ଛାଡି ଦୌଡ଼ି ଥିଲେ। କେ.ରମେଶଙ୍କ ମୃତ୍ୟୁ ନେଇ ରୁଜୁ ଏଫଆଇଆର ଦାଖଲ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବଦଳରେ ଏହି ଘଟଣାରେ ପ୍ରାଣହରାଇଥିବା କେ.ରମେଶଙ୍କ ବିରୋଧରେ ରୁଜୁ ଏଫ୍‌ଆଇଆର ସରକାରଙ୍କ ପକ୍ଷରୁ ସତ୍ୟପାଠ ସହିତ ହାଇକୋର୍ଟରେ ଦାଖଲ କରାଯାଇଥିଲା। କେ.ରମେଶଙ୍କ ବିରୋଧରେ ରୁଜୁ ମୂଳ ଏଫଆଇଆର ଠାରୁ ସରକାର ଦାଖଲ କରିଥିବା ଏଫଆଇଆର ଭିନ୍ନ ଓ ଏ ସଂପର୍କିତ ରିପୋର୍ଟରେ ଅଦଳ ବଦଳ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୭ ତାରିଖକୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଆଇନଜୀବୀ ଦୀପକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିବାବେଳେ କବିରାଜ ପ୍ରଧାନ ଓ ପଦ୍ମାଳୟା ମହାପାତ୍ର ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର