ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା : ବିସ୍ତୃତ ବିବରଣୀ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

‘ତଦନ୍ତର ସ୍ଥିତି ଜଣାଅ, ରିପୋର୍ଟ ଦିଅ’

କଟକ : ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ଆଜି ରିପୋର୍ଟ ତଲବ କରିଛନ୍ତି। ସୋମବାର ସୁଦ୍ଧା ତଦନ୍ତର ସ୍ଥିତି, ଶବ ବ୍ୟବଚ୍ଛେଦ ‌ରିପୋର୍ଟ ଓ ଘଟଣା ସଂପର୍କିତ ବିସ୍ତୃତ ବିବରଣୀ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ବାସେଳିସାହିର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଏ ସଂପର୍କିତ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର କରାଯାଇଥିଲା। ଏ ନେଇ ଆବେଦନକାରୀଙ୍କ ପକ୍ଷରୁ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଖଣ୍ଡପୀଠ ଏ ସଂପର୍କିତ ରିପୋର୍ଟ ସରକାରଙ୍କ ନିକଟରୁ ତଲବ କରିବା ସହିତ ଆସନ୍ତା ସୋମବାର ଦିନ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ଦାୟର ହୋଇଥିବା ଏହି ଜନସ୍ବାର୍ଥ ମାମଲାରେ ପୁଲିସ ହାଜତରେ ହୋଇଥିବା ଏଭଳି ବର୍ବର ଘଟଣାର ତଦନ୍ତ ଅଦାଲତ ନିଜେ ତଦାରଖ କରନ୍ତୁ ବୋଲି ଅନୁରୋଧ କରାଯାଇଛି। ପୁଲିସ ହେପାଜତରେ ଥିବା କେ.ରମେଶଙ୍କ ମୃତ୍ୟୁ ହୋଇଥିବାବେଳେ ସମଗ୍ର ଘଟଣାର ଉପଯୁକ୍ତ ତଦନ୍ତ ଆବଶ୍ୟକ। ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏସଡିଜେଏମ୍ ଅଦାଲତ ହୋଇଥିବାବେଳେ କୋର୍ଟଚାଲାଣ ନ କରି ବିନା କାରଣରେ ରମେଶଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। ଲୋକନାଥ ରୋଡ୍ ନିକଟରେ ବ୍ୟବସାୟ କରି ପରିବାର ଚଳାଉଥିବା ରମେଶଙ୍କୁ ‌କେଉଁ କାରଣରୁ ଥାନାରେ ଅଟକ ରଖାଯାଇଥିଲା ଓ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଥିଲା, ତାହା ତଦନ୍ତ ହେବା ଆବଶ୍ୟକ। ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିବାବେଳେ ଏହି ଘଟଣାରେ ପୁଲିସ ଆଇନ ଉଲ୍ଲଂଘନ କରିଛି। ଏଭଳି ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ପୀଡ଼ିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ପୁରୀ ଜିଲ୍ଲାପାଳ, ଏସପି ଓ ବାସେଳିସାହି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୀପକ ମହାପାତ୍ର, କବିରାଜ ପ୍ରଧାନ ଓ ପଦ୍ମାଳୟା ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର