ପୁରୀ ଉଚ୍ଛେଦ ପ୍ରସଙ୍ଗ : ବ୍ୟବସାୟୀଙ୍କ ଥଇଥାନ ପାଇଁ କଣ ବ୍ୟବସ୍ଥା ରହିଛି ଜଣାଅ – ହାଇକୋର୍ଟ

କଟକ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ପୁରୀ ରାଧାବଲ୍ଲଭ ମଠ ପାର୍ଶ୍ବବର୍ତ୍ତୀ ଜାଗାରେ ବେପାର ବାଣିଜ୍ୟ କରୁଥିବା ବ୍ୟବସାୟୀଙ୍କ ଥଇଥାନ ପାଇଁ କି ପ୍ରକାର ପ୍ୟାକେଜ ବ୍ୟବସ୍ଥା ରହିଛି ସେ ସଂକ୍ରାନ୍ତରେ ତଥ୍ୟ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ‌ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କୈଳାଶ ନାୟକ, ସୁରେନ୍ଦ୍ର ଚନ୍ଦ୍ର ନାୟକ, ଜଗନ୍ନାଥ ପାତ୍ର, ନିରଞ୍ଜନ ନାୟକଙ୍କ ପକ୍ଷରୁ ପୃଥକ୍‌ ଭାବେ ଦାୟର ଆବେଦନ ଉପରେ ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ରାଧାବଲ୍ଲଭ ମଠ ପାର୍ଶ୍ବରେ କଂସାରି ପଟି ରହିଥିବାବେଳେ ସେଠାରେ ଅନେକ ବ୍ୟବସାୟୀ କଂସା, ପିତ୍ତଳ ସାମଗ୍ରୀ ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ମଠ ଠାରୁ ୭୫ମିଟର ଦୂରରେ ଏହି ଆବେଦନକାରୀମାନେ ବେପାର କରୁଥିବାବେଳେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ ହେବାର ସମ୍ଭାବନା ରହିଛି। ଯଦି ଉଚ୍ଛେଦ କରାହୁଏ, ତେବେ ଗ୍ରାଣ୍ଡରୋଡରେ ଘର ନିର୍ମାଣ କରାଯାଇ ପ୍ରଦାନ କରାଯାଉ ନଚେତ ଉଚ୍ଛେଦ ପରେ ସେହି ସ୍ଥାନରେ ଥଇଥାନ ବ୍ୟବସ୍ଥା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର