ଭିଜିଲାନ୍ସ ପଞ୍ଝାରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ

ପୁରୀ : ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ହୃଷୀକେଶ କାଣ୍ଡି। ତ‌ାଙ୍କ ସରକାରୀ ଗାଡ଼ିରୁ ୧ ଲକ୍ଷ ୧୧ ହଜାର ଟଙ୍କା ଜବତ ହୋଇଥିବାବେଳେ ଭିଜିଲାନ୍ସ ଯାଞ୍ଚ ବେଳେ ୮୧ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି।

ଗତକାଲି ବାହୁଡ଼ା ଯାତ୍ରା ପାଇଁ ସରକାରୀ କଳ ବ୍ୟସ୍ତ ଥିବା ବେଳେ ଶ୍ରୀ କାଣ୍ଡି ଗତକାଲି ତାଙ୍କ ସରକାରୀ ଗାଡ଼ିରେ ଏକ ବ୍ରିଫ୍‌କେସରେ ଲକ୍ଷାଧିକ ଟଙ୍କା ନେଇ ଭୁବନେଶ୍ବର ଡୁମୁଡୁମାସ୍ଥିତ ବାସଭବନକୁ ଯାଉଥିଲେ। ଏ ସଂପର୍କରେ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ପାଇବା ପରେ ପୁରୀ ଭିଜିଲାନ୍ସ ଟିମ୍ ତାଙ୍କୁ ଅପରାହ୍ନ ପ୍ରାୟ ୫ଟା ବେଳକୁ ମାଳତୀପାଟପୁର ବାଇପାସ୍‌ ରୋଡ୍‌ରେ ଅଟକାଇ ଯାଞ୍ଚ କରିଥିଲା। ଧରପଗଡ଼ ବେଳେ ଗାଡ଼ିରେ ଥିବା ତାଙ୍କ ବ୍ରିଫ୍‌କେସ ମଧ୍ୟରୁ ଜବତ ହୋଇଥିଲା ଏକ ଲକ୍ଷ ୧୧ ହଜାର ଟଙ୍କା। ଏହି ଟଙ୍କା କେଉଁଠୁ ଆସିଲା, କିଏ ଦେଇଥିଲା ସେ ସମ୍ପର୍କରେ ଶ୍ରୀ କାଣ୍ଡି କିଛି କହି ପାରିନଥିଲେ। ତେଣୁ ତାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି ଭୁବନେଶ୍ବର ନେଇ ଯାଇଥିଲା। ଏଥିସହିତ ତାଙ୍କ ସରକାରୀ କ୍ବାର୍ଟର୍ସ, ଅଫିସ ପ୍ରକୋଷ୍ଠ ଏବଂ ଡୁମୁଡୁମାରେ ଥିବା ବ୍ୟକ୍ତିଗତ ବାସଭବନରେ ଏକା ସଙ୍ଗେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଜରୁରି କାଗଜପତ୍ର ଜବତ କରିଥିଲା। ଡୁମୁଡୁମାରେ ଶ୍ରୀ କାଣ୍ଡିଙ୍କର ଦୁଇ ମହଲା କୋଠା, ଗୋଟିଏ ବୋଲେରୋ ଗାଡ଼ି, ୬ ଶହ ଗ୍ରାମ ଓଜନର ସୁନା ଅଳଙ୍କାର, ୭ ଶହ ଗ୍ରାମ ଓଜନର ରୁପା ଅଳଙ୍କାର ସହିତ ପ୍ରାୟ ୮୧ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି।

ସମ୍ବନ୍ଧିତ ଖବର