ପୁରୀ: ପୁରୀ ଜିଲ୍ଲା ବିଜେଡି କଳିରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅପ୍ରତ୍ୟାଶିତ ଭାବେ ବିଜେଡିର ବରିଷ୍ଠ ନେତା ତଥା ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେଡି ସଭାପତି ଘୋଷଣାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ଯୁବନେତା ତଥା ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହା କେବଳ ଜିଲ୍ଲା ରାଜନୀତି ନୁହେଁ, ରାଜ୍ୟ ରାଜନୀତିରେ ବି ହଟଚମଟ ସୃଷ୍ଟି କରିଛି। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ରଣନୀତି ରାଜନେତା, ରାଜନୈତିକ ସମୀକ୍ଷକଙ୍କୁ ବି ଚକିତ କରିଛି।
ଦଳରେ ଥାଇ ବି ଦଶନ୍ଧି ଧରି ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିଲେ ଶୁଭାଶିଷ। ଶୁଭାଶିଷ ପୁରୀ ବିଧାନସଭା ଆସନରୁ ବିଜେଡି ଟିକେଟ୍ ଆଶାୟୀ ଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ବି ସେ ନିଜ ପରାକାଷ୍ଠା ଦେଖାଇଥିଲେ। ଶୁଭାଶିଷଙ୍କ ସମର୍ଥିତ ପ୍ରାର୍ଥୀ ଅଧିକାଂଶ ସ୍ଥାନରୁ ବିଜୟୀ ହୋଇଥିଲେ। ଏଣୁ ୨୦୨୪ ନିର୍ବାଚନରେ ବିଜେଡି କାହାକୁ ଟିକେଟ୍ ଦେବ, ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ମହେଶ୍ୱରଙ୍କ ପରଲୋକ ପରେ ପ୍ରତିଦ୍ବନ୍ଦ୍ବିତା ଓ ଅଙ୍କ ବଦଳି ଯାଇଥିଲା। ମହେଶ୍ୱରଙ୍କ ସ୍ଥାନରେ ଆଉ ଦୁଇ ମୁହଁ ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର ଓ ମହେଶ୍ୱରଙ୍କ ବଡ ପୁଅ ସୁନିଲ ମହାନ୍ତି ଆଗକୁ ଆସିଥିଲେ। ଦିବାକର ମହେଶ୍ୱରଙ୍କ ଅତ୍ୟନ୍ତ ଅନୁଗତ ଓ ରାଜନୈତିକ ଗଡ଼ ସମ୍ଭାଳୁଥିଲେ। ଦଳରେ ରାଜନୈତିକ ଅଭିଜ୍ଞତାକୁ ନେଇ ନିର୍ବାଚନରେ ସେ ବିଜେଡି ବିଧାୟକ ଟିକେଟ୍ ଲବିରେ ଥିଲେ। ସେହିପରି ସୁନିଲ ଉତ୍ତରାଧିକାରୀ ଭାବେ ବିଜେଡି ବିଧାୟକ ଟିକେଟ ଆଶା କରୁଛନ୍ତି। ଏଣୁ ବିଜେଡି ଅଡ଼ୁଆ ସ୍ଥିତି ଦେଇ ଗତି କରୁଥିଲା। ଆଜି ଏଥିରେ ପୂର୍ଣ୍ଣଛେଦ ପକାଇ ମୁଖ୍ୟମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପରିବାର ନିର୍ବାଚନକୁ ଆସିବା ବାଟ ଉନ୍ମୁକ୍ତ କରିଛନ୍ତି ବୋଲି ଗୋଟିଏ ମହଲ ମତ ରଖୁଛନ୍ତି। ଏପରିକି ଅନୁକମ୍ପା ଭୋଟ୍ ପାଇଁ ମୁଖ୍ୟମନ୍ତ୍ରୀ ମହିଳା କାର୍ଡ ଖେଳିପାରନ୍ତି ଓ ମହେଶ୍ବରଙ୍କ ବୋହୂଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି।
ଅନ୍ୟ ଗୋଟିଏ ବର୍ଗର ମତ ହେଉଛି, ବିଜେପି ଛାଡ଼ି ଜୟନ୍ତ ଷଡ଼ଙ୍ଗୀ ଆଗକୁ ବିଜେଡି ଆସିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଏମିତି ହେଲେ, ପୁରୀ ଲୋକସଭା ଆସନରେ ଦଳ ବିଜେପିକୁ ରୋକିପାରିବ। ଏସବୁ ଭିତରେ କିନ୍ତୁ ଅନ୍ୟ ଯେଉଁ ପ୍ରସଙ୍ଗଟି ସାମ୍ନାକୁ ଆସୁଛି ତାହା ହେଲା, ପୁରୀରୁ ମୁଖ୍ୟମନ୍ତ୍ରୀ ଏଥର ପ୍ରାର୍ଥୀ ହୋଇପାରନ୍ତି। ଦଳର କିଛି ବରିଷ୍ଠ ନେତା ଇତିମଧ୍ୟରେ ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ଖୋଲାଖୋଲି ମନ୍ତବ୍ୟ ଦେବା ସହିତ ଦଳର ସୁପ୍ରିମୋଙ୍କୁ ନିବେଦନ କରିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/sfhsfshh.jpg)