ସୁମନ୍ତ ପରିଡ଼ା
ପୁରୀ: ୨୦୧୯ ସାଧାରଣ ନିର୍ବାଚନଠାରୁ ପୁରୀ ଜିଲ୍ଲାରେ ବିଜେଡି ଗଡ଼ ଭୁଶୁଡ଼ିବାରେ ଲାଗିଛି। ଦୁଇ ପ୍ରମୁଖ ନିର୍ବାଚନମଣ୍ଡଳୀ ପୁରୀ ଓ ବ୍ରହ୍ମଗିରି ଶାସକ ଦଳ ହାତରୁ ଚାଲିଯିବା ଏବଂ ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡିର ନିରାଶାଜନକ ପ୍ରଦର୍ଶନ ପରେ ୨୦୨୪ ନିର୍ବାଚନ ଦଳ ପାଇଁ ଆହ୍ବାନ ପାଲଟିଛି। ପୁରୀ ସଂସଦୀୟ କ୍ଷେତ୍ର ବି ଅଳ୍ପକେ ବିଜେଡି ହାତରେ ରହିଛି। ଆଉ କେଇ ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବରିଷ୍ଠ ନେତା ମହେଶ୍ବର ମହାନ୍ତିଙ୍କ ଦେହାନ୍ତ ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। କାରଣ ମହେଶ୍ବର ଏକମାତ୍ର ନେତା ଯିଏ ଜିଲ୍ଲା ନେତାଙ୍କ ଉପରେ କମାଣ୍ଡିଂ ପାୱାର(ଦକ୍ଷତା) ରଖିଥିଲେ। ଏଣୁ ମହେଶ୍ବରଙ୍କ ବିକଳ୍ପ ଭାବେ କିଏ ଜିଲ୍ଲା ବିଜେଡିର ମଙ୍ଗ ଧରିବେ, କାହା ପାଖରେ ମହେଶ୍ବରଙ୍କ ଭଳି କମାଣ୍ଡିଂ ଦକ୍ଷତା ରହିଛି, ତାର ଅନ୍ବେଷଣରେ ରହିଛି ବିଜେଡି। ଏଭଳି ସ୍ଥିତିରେ ରାଜନୈତିକ ମହଲରେ ଦଳରେ ଓ ଦଳ ବାହାରେ ଥିବା କିଛି ପୁରୁଖା ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚାରେ ସର୍ବାଗ୍ରେ ରହିଛି ବ୍ରଜକିଶୋର ତ୍ରିପାଠୀ, ସଂଜୟ କୁମାର ଦାସବର୍ମା ଓ ଶଙ୍କର୍ଷଣ ପରିଡ଼ା।

Advertisment

ମହେଶ୍ବର ଥିଲେ ଜିଲ୍ଲାର ଅଦ୍ବିତୀୟ ନେତା। କଂଗ୍ରେସ ଗଡ଼କୁ ଭାଙ୍ଗି ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରୁ ସେ ୫ ଥର ଲଗାତର ପୁରୀ ନିର୍ବାଚନମଣ୍ଡଳୀର ବିଧାୟକ ହୋଇଥିଲେ। ଅନେକ ବଡ଼ ବଡ଼ ମନ୍ତ୍ରୀପଦ ବି ଅକ୍ତିଆର କରିଥିଲେ। ବିଧାନସଭାର ସର୍ବୋଚ୍ଚ ସ୍ଥାନ ବାଚସ୍ପତି ପଦରେ ବି ବସିଥିଲେ। ଏଣୁ ମହେଶ୍ବରଙ୍କ ଭଳି ଦକ୍ଷତା ରଖିଥିବା ପୁରୁଖା ନେତାଙ୍କୁ ଆଣି ବିଜେଡି ପୁରୀ ଜିଲ୍ଲା ସଭାପତି ପଦରେ ବସାଇବାକୁ ଚାହୁଛି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ବି ବିଜୁ ଜନତା ଦଳର ଜଣେ ବଡ଼ ନେତା ଥିଲେ। ସେ ୩ଥର ବିଧାୟକ ଓ ୨ ଥର ପୁରୀ ସଂସଦୀୟ କ୍ଷେତ୍ରରୁ ସାଂସଦ ହୋଇଛନ୍ତି। କିନ୍ତୁ ୨୦୦୯ ସାଧାରଣ ନିର୍ବାଚନରେ ସାଂସଦ ପିନାକୀ ମିଶ୍ରଙ୍କ ଏଣ୍ଟ୍ରି ପରେ ବ୍ରଜ ଦଳଠାରୁ ଦୂରେଇ ରହିଛନ୍ତି। ଏପରିକି ବିଜେପିରେ ଯୋଗ ଦେଇ ସଫଳତା ନପାଇବାରୁ ସେ ବିଜେପିକୁ ତ୍ୟାଗ କରି ନିଜସ୍ବ ଦଳ ଗଢ଼ିଥିଲେ। ଏଥିରେ ବି ସଫଳତା ପାଇନାହାନ୍ତି। ବ୍ରଜ ଗତ କିଛି ଦିନ ଦେବ ବିଜେଡି ସରକାର ନେଇ ନିରବତା ଅବଲମ୍ବନ କରି ରହିଛନ୍ତି। ଏଣୁ ଦଳର ପୁରୁଖା ଓ ବରିଷ୍ଠ ନେତା ଭାବେ ବ୍ରଜଙ୍କୁ ଦଳକୁ ପୁଣିଥରେ ଫେରାଇ ଆଣି ଜିଲ୍ଲା ବିଜେଡି ସଭାପତି ପଦରେ ବସାଇବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି। ଜିଲ୍ଲା ସଭାପତି ପାଇଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ କୁମାର ଦାସବର୍ମା।

ମହେଶ୍ବରଙ୍କ ପରେ ସଂଜୟ ବି ବୟସ ଦୃଷ୍ଟିରୁ ବରିଷ୍ଠ ଅଟନ୍ତି। ସଂଜୟ ପୂର୍ବତନ ମନ୍ତ୍ରୀ ସମୀର ରଂଜନ ଦାଶଙ୍କଠାରୁ ଅଳ୍ପ କିଛି ବର୍ଷ ସାନ। ପୂର୍ବରୁ ବ୍ରହ୍ମଗିରି କଂଗ୍ରେସ ଗଡ଼ ଭାବେ ଜଣାଶୁଣା। କିନ୍ତୁ ଏଠାରେ କଂଗ୍ରେସ ଗଡ଼କୁ ଭାଙ୍ଗି ବିଜେଡିକୁ ଆଗକୁ ଆଣିବାରେ ସଂଜୟଙ୍କ ପ୍ରମୁଖ ଭୂମିକା ରହିଛି। ଏଣୁ ମହେଶ୍ବରଙ୍କ ଭଳି ସେ ବି ଜିଲ୍ଲା ସଭାପତି ଦାୟିତ୍ବରେ ଶ୍ରେଷ୍ଠତା ପ୍ରଦର୍ଶନ କରି ପାରିବେ ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲା ସଭାପତି ପଦ ପାଇଁ ଚର୍ଚ୍ଚାରେ ଥିବା ଅନ୍ୟତମ ନେତା ହେଉଛନ୍ତି ଶଙ୍କର୍ଷଣ ପରିଡ଼ା। ସେ ବି ପୂର୍ବତନ ବିଜେଡି ନେତା। ମହେଶ୍ବରଙ୍କ ସମସାମୟିକ ରାଜନେତା। ବିଜେଡିରେ ଥିବା ସମୟରେ ୫ ଥର ଜିଲ୍ଲା ଯୁବ ବିଜେଡି ସଭାପତି ଦାୟିତ୍ବ ସମ୍ଭାଳିଛନ୍ତି। ଜିଲ୍ଲା ସଭାପତି ଓ ଅନ୍ୟାନ୍ୟ ଗୁରୁ ଦାୟିତ୍ବ ବି ସମ୍ଭାଳିଛନ୍ତି। ପୁରୀ ସଦର ପଞ୍ଚାୟତ ସମିତିର ସର୍ବକନିଷ୍ଠ ଅଧ୍ୟକ୍ଷ ଓ ସର୍ବକନିଷ୍ଠ ଜିଲ୍ଲା ପରିଷଦ ସଭାପତି ଭାବେ ବି ସେ ନିର୍ବାଚିତ ହୋଇଥିଲେ। କିନ୍ତୁ ମହେଶ୍ବରଙ୍କ ସହ ଅପଡ଼ ପରେ ସେ ଦୀର୍ଘ ବର୍ଷ ହେବ ବିଜେଡି ହାତ ଛାଡ଼ି ବିଜେପିରେ ଅଛନ୍ତି। ସାହିତ୍ୟ କ୍ଷେତ୍ରରେ ଅଧିକ ରୁଚି ରଖୁଛନ୍ତି। ବିଜେଡି ପକ୍ଷରୁ ଦଳକୁ ଫେରିବାକୁ ଶଙ୍କର୍ଷଣଙ୍କୁ ଡକରା ହୋଇଥିବା ଶୁଣିବାକୁ ମିଳୁଛି। ଶଙ୍କର୍ଷଣ ପୁଣିଥରେ ପୁରୀ ଜିଲ୍ଲା ବିଜେଡିର ମଙ୍ଗୁଆଳ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେପଟେ ୨୦୧୯ ନିର୍ବାଚନ ପରଠାରୁ ପୁରୀ ନିର୍ବାଚନମଣ୍ଡଳୀରେ ମହେଶ୍ବରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଆସୁଛନ୍ତି ଶୁଭାଶିଷ ଖୁଣ୍ଟିଆ। ଏହା ପୂର୍ବରୁ ଗୁନ ସିଂହାରୀଙ୍କୁ ଛାଡ଼ିଦେଲେ, ଅନ୍ୟ କେହି ସେଭଳି ମହେଶ୍ବରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉନଥିଲେ। ତୃତୀୟ ମହଲାରେ ଶୁଭାଶିଷ ଖୁଣ୍ଟିଆଙ୍କ ଲବି ଥିବାରୁ ସେ ବି ଆଶାୟୀ ତାଲିକାରେ ଚର୍ଚ୍ଚାରେ ରହିଛନ୍ତି।

ଜିଲ୍ଲା ସଭାପତି ଦାୟିତ୍ବ ମିଳୁଛି କି ପ୍ରଶ୍ନରେ ଶ୍ରୀ ଦାସବର୍ମା କହିଛନ୍ତି, ତାଙ୍କ ପାଖରେ ସେଭଳି କିଛି ସୂଚନା ନାହିଁ କି ଦାୟିତ୍ବ ଦେବା ସଂପର୍କରେ କୌଣସି ଆଲୋଚନା ହୋଇନି। ତଥାପି ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ, ତାହା ସର୍ବମାନ୍ୟ ବୋଲି ସେ କହିଛନ୍ତି। ବିଜେପି ନେତା ଶ୍ରୀ ପରିଡ଼ା କହିଛନ୍ତି, ଯାହା ବି ଚର୍ଚ୍ଚା ହେଉଛି, ସେଥିରେ କିଛି ସତ୍ୟତା ନାହିଁ।