ପୁରୀ : ପୁରୀ ଜିଲ୍ଲା ପରିଷଦ ବୈଠକରେ ଆଜି ମନ୍ତ୍ରୀ, ବିଧାୟକଙ୍କ ଅଯଥା ହସ୍ତକ୍ଷେପ ଫଳରେ ବିକାଶମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ବୋଲି ଜିଲ୍ଲା ପରିଷଦର ଜଣେ ସଭ୍ୟା ତଥା ବିଜେଡି ନେତ୍ରୀ ଅଭିଯୋଗ କରିବାକୁ ନେଇ ହଟ୍ଟଗୋଳ ହୋଇଛି। ଏହାକୁ ନେଇ ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ ମୁହାଁମୁହିଁ ହୋଇଛନ୍ତି।

Advertisment

ଆଜି ପୁରୀ ଜିଲ୍ଲା ପରିଷଦର ଥିଲା ଚତୁର୍ଥ ବୈଠକକରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀଙ୍କ ସମେତ ସମସ୍ତ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଯୋଗ ଦେଇଥିଲେ। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀ ୧୮ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟା ତଥା ୭ଥର ବିଜୟିନୀ କୁଞ୍ଜଲତା ସାମଲ୍‌ ଅଭିଯୋଗ କରିଥିଲେ ଯେ ଯେବେଠୁ ସମୀର ଦାଶ ଦଳକୁ ଆସିଛନ୍ତି, ତାଙ୍କୁ ବହୁତ ଅସୁବିଧାରେ ପକାଇଛନ୍ତି। ଜଣେ ପୂର୍ବତନ ଜିଲ୍ଲା ପରିଷଦଙ୍କ ନାଁରେ ବେଆଇନ୍‌ ଭାବେ ଓ ପୁରୁଣା ତାରିଖରେ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ଦିଆଯାଇଛି।‌ ବାରମ୍ବାର ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଏ ସମ୍ପର୍କରେ ଅଭିଯୋଗ ପରେ ବି ସ୍ଥିତି ବଦଳୁନି। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଶ୍ରୀମତୀ ସାମଲ ଏନେଇ ପ୍ରଶ୍ନ କରିଥିଲେ।

ଅପରପକ୍ଷେ, ଜିଲ୍ଲାପାଳ ଅବା ମୁଖ୍ୟ ନିର୍ବାହୀ ଅଧିକାରୀ ଉତ୍ତର ଦେବାପୂର୍ବରୁ ମନ୍ତ୍ରୀ ଶ୍ରୀ ଦାଶ ‘ଯିଏ ଟେଣ୍ଡର ନେଇଛି, ସେ ହିଁ କାମ କରିବ’ ବୋଲି ଉତ୍ତର ଦେଇଥିଲେ। ଏହାପରେ ଶ୍ରୀମତୀ ସାମଲ ବୈଠକରୁ ଚାଲି ଆସିଥିଲେ।

ଯେଉଁଠି ଜିଲ୍ଲାପାଳଙ୍କୁ ପ୍ରଶ୍ନ ହେଉଛି, ସେଥିରେ ମନ୍ତ୍ରୀ କାହିଁକି ଉତ୍ତର ଦେବେ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିବେ ବୋଲି ଶ୍ରୀମତୀ ସାମଲ ପ୍ରଶ୍ନ କରିଥିଲେ। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କାନ୍ଦିକାନ୍ଦି କହିଛନ୍ତି।

ଏ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ଦାସ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାଦେଶ ପାଇଛନ୍ତି। ଇତିମଧ୍ୟରେ କାମ ଆରମ୍ଭ ହୋଇସାରିଛି। ଏହି ପ୍ରକଳ୍ପକୁ ପରିବର୍ତ୍ତନ ପାଇଁ ଶ୍ରୀମତୀ ସାମଲ୍‌ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ, ଏହା ସମ୍ଭବ ନୁହେଁ। ଏଣୁ ନୂଆ ଜିଲ୍ଲା ପରିଷଦ ଭାବେ କ’ଣ ପ୍ରକଳ୍ପ ଚାହୁଛନ୍ତି, ସେ ଉପରେ ପ୍ରସ୍ତାବ ଦେବାକୁ କୁହାଯାଇଥିଲା। ଦୁର୍ବ୍ୟବହାର କଥାକୁ ଶ୍ରୀ ଦାଶ ଖଣ୍ଡନ କରିଛନ୍ତି।