ପୁରୀ ଜିଲ୍ଲା: ବନ୍ୟା ସ୍ଥିତି ଗମ୍ଭୀର, ବିପଦ ସଂକେତ ଉପରେ ୪ ପ୍ରମୁଖ ନଦୀ

କଣାସରେ ମକରା ନଈବନ୍ଧରେ ଘାଇ, ପିପିଲି-ଜଟଣୀ ରାସ୍ତାରେ ୩ ଫୁଟର ପାଣି

ପୁରୀ: ଲଘୁଚାପଜନିତ ବର୍ଷା ସହ ବନ୍ୟାଜଳ ନିଷ୍କାସନ ପାଇଁ ହୀରାକୁଦ‌ ଗେଟ୍‌ ଖୋଲିବା ପରେ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଜିଲ୍ଲା ଦେଇ ପ୍ରବାହିତ ନଦୀକୁ ସମ୍ପୂର୍ଣ୍ଣ ବନ୍ୟା ଜଳ ଛୁଇଁ ନଥିଲେ ବି ଏବେଠୁ ପୁରୀ ଜିଲ୍ଲା ବନ୍ୟା ପାଣିରେ ଉବୁଟୁବୁ ହେବାରେ ଲାଗିଛି। ସନ୍ଧ୍ୟା ସୁଦ୍ଧା ବନ୍ୟା ପାଣି ଜିଲ୍ଲାର ପ୍ରମୁଖ ଦୟା, ଭାର୍ଗବୀ, କୁଶଭଦ୍ରା ଓ ଦେବୀ ନଦୀ ବିପଦସଂକେତ ଉପରେ ଚାଲିଛି। ଦୟାର କରାଳ ରୂପ ବି ଏବେଠୁ ଅନୁଭୂତ ହୋଇଛି। ଦୟାର ଶାଖା ନଈ ମକରାରେ ବନ୍ୟା ପାଣି ନଈବନ୍ଧ ଧୋଇନେବାରୁ ୨୦ ଫୁଟରୁ ଅଧିକ ଓସାରର ଘାଇ ସୃଷ୍ଟି ହୋଇଛି। ଫଳରେ କଣାସ ବ୍ଲକ୍‌ର ୮ରୁ ଅଧିକ ପଞ୍ଚାୟତ ବନ୍ୟାପାଣି ଘେରକୁ ଚାଲିଯାଇଛି। ସନ୍ଧ୍ୟା ସୁଦ୍ଧା ଏହି ଘାଇ ବନ୍ଦ କରିବାରେ ପ୍ରଶାସନ ବିଫଳ ହୋଇଛି। ଫଳରେ ମକରା ନଈ ଦେଇ ଦୟାର ପ୍ରଖର ଜଳ କଣାସର ତଳିଆ ଅଞ୍ଚଳକୁ ବୁଡ଼ାଇବାରେ ଲାଗିଛି। ସେପଟେ ପିପିଲି-ଜଟଣୀ ରାସ୍ତା କଣ୍ଟି ଛକ ନିକଟରେ ଦୟା ନଈର ବନ୍ୟାଜଳ ୩ ଫୁଟ ଉଚ୍ଚରେ ଚାଲୁଥିବା ଦେଖିବାକୁ ମିଳିଛି। ଫଳରେ ଏହି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଡେଲାଙ୍ଗ ବ୍ଲକ୍‌ ବହୁ ଅଞ୍ଚଳ ବି ବନ୍ୟା ଜଳ ଘେରକୁ ଚାଲିଯାଇଛି।

ପୁରୀ ଜିଲ୍ଲାର ଗୋପ, ନିମାପଡ଼ା, ଅସ୍ତରଙ୍ଗ, କାକଟପୁର ବ୍ଲକ୍‌ ଦେଇ କୁଶଭଦ୍ରା, ଦେବୀ ନଦୀ ସହ ଧନୁଆ, ପ୍ରାଚୀ ଆଦି ଶାଖା ନଈ ପ୍ରବାହିତ ହେଉଛି। ନିମାପଡ଼ାଠାରେ କୁଶଭଦ୍ରା ନଦୀରେବିପଦ ସଙ୍କେତ ୩୩ ଫୁଟ ଥିବା ବେଳେ ବନ୍ୟାଜଳ ୩୩ ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବା ନିମାପଡ଼ା ଜଳସମ୍ପଦ ବିଭାଗ ସୂଚନା ଦେଇଛି। ସେହିଭଳି ଦେବୀ ନଦୀରେ ବନ୍ୟାଜଳ ବିପଦସଂକେତ ଉପରେ ପ୍ରବାହିତ ହେଉଛି। କାକଟପୁର ବାଉରିଆକଣ ଆନିକଟଠାରେ ଦେବୀ ନଦୀର ବିପଦ ସଂକେତ ୪.୯୩ ମିଟର ଥିବାବେଳେ ପ୍ରାୟ ୧ ଫୁଟ ଅଧିକ ଉଚ୍ଚ ଅର୍ଥାତ୍‌ ୫.୮୧ ମିଟର ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଗୋପରେ ୩ ସ୍ଲୁଇସ ଗେଟ୍‌ ଠେଲି ଧନୁଆ ନଈର ପାଣି ତଳିଆ ଅଞ୍ଚଳକୁ ପ୍ରବେଶ କରୁଥିଲା। ତତ୍କାଳ ଏହାକୁ ବାଲିବସ୍ତା ପକାଇ ବନ୍ଦ କରିବା ପରେ ବିପଦ ଟଳିଛି। ସେପଟେ ବିପଦସଂକେତଠାରୁ ଅଧିକ ଉଚ୍ଚରେ ପାଣି ଚାଲିଥିଲେ ବି ନିମାପଡ଼ା, ଗୋପ, ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ସେତେଟା ପ୍ରଭାବିତ ହୋଇନାହିଁ। କିନ୍ତୁ ଆଜି ଯେଉଁଭଳି ବନ୍ୟାଜଳ ପ୍ରବାହିତ ହେଉଛି, ଏହା ଜାରି ରହିଲେ, ୪ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଉବୁଟୁବୁ ହେବା ଆଶଙ୍କା ସୃଷ୍ଟି ହୋଇଛି। ‌ସେହିଭଳି ପୁରୀ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଭାର୍ଗବୀ, ଦୟା ନଦୀରେ ବି ସଂଧ୍ୟା ସୁଦ୍ଧା ବିପଦସଂକେତର ୧ ଫୁଟ ଅଧିକ ଉଚ୍ଚରେ ପାଣି ଚାଲିଛି।

ପୁରୀ ଜଳସମ୍ପଦ ବିଭାଗ ସୂଚନା ଅନୁଯାୟୀ, ଭାର୍ଗବୀ ନଦୀର ମାଧିପୁର ଆନିକଟଠାରେ ବିପଦ ସଂକେତ ୧୧.୪୦ ମିଟର ଥିବାବେଳେ ୧୩.୫୦ ମିଟର ଉଚ୍ଚରେ ପାଣି ଚାଲୁଛି। ସେହିଭଳି ଦୟା ନଦୀରେ ହରିପୁର ଆନିକଟଠାରେ ବିପଦସଂକେତ ୧୨.୦୯ ମିଟର ଥିବାବେଳେ ୧୨.୩୦ ଉଚ୍ଚରେ ପାଣି ଚାଲିଛି। ଫଳରେ ସଦର ବ୍ଲକ୍‌ର ଉତ୍ତରକଣା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।

ସମ୍ବନ୍ଧିତ ଖବର