ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: କ୍ଲିନିକ୍‌ରେ ବିଶେଷଜ୍ଞ, କନିଷ୍ଠ ଡାକ୍ତରଙ୍କ ଦାୟିତ୍ବରେ ରୋଗୀ

ଲାଗୁନି ଡାକ୍ତରଙ୍କ ଡ୍ୟୁଟି ଚାର୍ଟ, ସିଡିଏମ୍‌ଓଙ୍କ ଅଜବ ଉତ୍ତର, ମ୍ୟାନେଜର ଜାଣିଥିବେ

ପୁରୀ: କେଉଁ ଡାକ୍ତର କେଉଁଠି ଡ୍ୟୁଟି କରିବେ, ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉଟ୍‌ଡୋର, ଇନ୍‌ଡୋର୍‌ ସହ ବିଭିନ୍ନ ବିଭାଗ ଆଗରେ ଡ୍ୟୁଟି ଚାର୍ଟ ରହିବାର ସରକାରୀ ନିୟମ ରହିଛି। କିନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଥିରେ ବ୍ୟତିକ୍ରମ। ଆଉଟ୍‌ଡୋର ଓ ଇନ୍‌ଡୋର୍‌ରେ ଲାଗିଥିବା ଡ୍ୟୁଟି ଚାର୍ଟ ଖାଲିପଡ଼ିଛି। ଜୁନିୟର ଡାକ୍ତରମାନଙ୍କୁ ଡ୍ୟୁଟି ଧରାଇ ବରିଷ୍ଠ ଡାକ୍ତର ତଥା ବିଶେଷଜ୍ଞମାନେ ଘରୋଇ କ୍ଲିନିକ୍‌ରେ ମାତିଛନ୍ତି। ଯାହା ରୋଗୀ ସେବାକୁ ପ୍ରଭାବିତ କରୁଛି।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ସାରା ଜିଲ୍ଲାର ଲୋକେ ନିର୍ଭରଶୀଳ। ସେପଟେ ଦୈନିକ ହଜାର ହଜାର ସଂଖ୍ୟାରେ ବୁଲି ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ବି ଏହା ଉପରେ ନିର୍ଭରଶୀଳ। କିନ୍ତୁ ଡାକ୍ତରମାନେ ଡ୍ୟୁଟିରେ ରହୁନଥିବାରୁ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉଟ୍‌ଡୋର ପାଖରେ ଡ୍ୟୁଟି ଚାର୍ଟରେ ସମୟ ଅନୁଯାୟୀ ଉଭୟ ଡାକ୍ତର ଓ କର୍ମଚାରୀଙ୍କ ନାମ ଉଲ୍ଲେଖ କରାଯାଉଥିଲା। ୮ ଘଣ୍ଟାରେ ଥରେ ନାମ ପରିବର୍ତ୍ତନ କରାଯାଉଥିଲା। କିନ୍ତୁ ଯେବେଠୁ ଆଉଟ୍‌ଡୋରକୁ ଏମରଜେନ୍ସି ପାଖକୁ ଉଠାଇ ନିଆଯାଇଛି, ସେବେଠୁ ଆଉ ଡାକ୍ତର ଓ କର୍ମଚାରୀଙ୍କ ଡ୍ୟୁଟି ଚାର୍ଟ ଲାଗୁନି। ଡ୍ୟୁଟି ଚାର୍ଟକୁ ଅଦରକାରୀ ବସ୍ତୁ ଭାବେ ଫିଙ୍ଗି ଦିଆଯାଇଛି। ଇନ୍‌ଡୋର୍‌ରେ ଡ୍ୟୁଟି ଚାର୍ଟ ଅଛି ସତ, କିନ୍ତୁ ଡାକ୍ତର, ନର୍ସଙ୍କ ନାଁ ଉଲ୍ଲେଖ ନାହିଁ। କେବଳ ସଫେଇ କର୍ମଚାରୀଙ୍କ ନାମ ଉଲ୍ଲେଖ ରହିଛି। ଶିଶୁ ଓ ମାତୃ ମଙ୍ଗଳ ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରୀଙ୍କ ଡ୍ୟୁଟି ଚାର୍ଟ ବେଷ୍ଟ ପରଫର୍ମାନ୍ସ ବୋର୍ଡ ଭିତରେ ଅଦରକାରୀ ବସ୍ତୁ ଭାବେ ତାଲା ମାରି ରଖାଯାଇଛି।

ଇଏନ୍‌ଟି, ଅସ୍ଥିଶଲ୍ୟ, ଚକ୍ଷୁ, ମାନସିକ ରୋଗ ଆଦି ବିଭାଗରେ ଆଦୌ ଡାକ୍ତରଙ୍କ ଡ୍ୟୁଟି ଚାର୍ଟ ଲଗାଯାଇନି। ଯାହାର ସୁଯୋଗ ନେଇ ବରିଷ୍ଠ ଡାକ୍ତର ଓ ବିଶେଷଜ୍ଞମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ୟୁଟି କରିବା ବଦଳରେ ପୁରୀ ଜିଲ୍ଲା ଓ ଜିଲ୍ଲା ବାହାରେ ଥିବା ବିଭିନ୍ନ କ୍ଲିନିକ୍‌୍‌ରେ ସମୟ କାଟୁଛନ୍ତି ବୋଲି ଅଭିଯୋଗ ହୋଇଛି। ତାଙ୍କ ବଦଳରେ ଜୁନିୟର ଡାକ୍ତର(ଜେଆର) ଡ୍ୟୁଟି କରୁଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ଦିଲୀପ କୁମାର ବରାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରି ଡ୍ୟୁଟି ଚାର୍ଟ ଲାଗୁନଥିବାରୁ ରୋଗୀମାନେ ଡାକ୍ତରଙ୍କ ସମ୍ପର୍କରେ ଜାଣିପାରୁନାହାନ୍ତିଓ ବହୁ ଡାକ୍ତର ଡ୍ୟୁଟି ଠିକ୍‌ରେ କରୁନାହାନ୍ତି। କେବଳ ଉପସ୍ଥାନ ରେଜିଷ୍ଟରରେ ଦସ୍ତଖତ କରି ପଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର କିନ୍ତୁ ଏ ଉପରେ ଅଜବ ଉତ୍ତର ରଖିଛନ୍ତି। ‘ଡ୍ୟୁଟି ଚାର୍ଟ ଦେଖିବା ଦାୟିତ୍ବ ଡାକ୍ତରଖାନା ମ୍ୟାନେଜରଙ୍କର। ଏଥିରେ ମୁଁ କ’ଣ କରିପାରିବି’ ବୋଲି କହି ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।

ସମ୍ବନ୍ଧିତ ଖବର