ପୁରୀ: ଗଜପତି ମହରାଜ ଦିବ୍ୟସିଂହ ଦେବଙ୍କ ପୂଷ୍ୟାଭିଷେକ ନୀତି ବଡ଼ଦାଣ୍ଡସ୍ଥିତ ରାଜନଅରରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ରାଜନଅର ଉତ୍ସବମୁଖର ହୋଇ ଉଠିଥିଲା। ୧୬ ଶାସନର ଶୋତ୍ରୀୟ ବ୍ରାହ୍ମଣମାନେ ଗଜପତି ମହରାଜଙ୍କୁ ସୁତା, ଅଷ୍ଟଧାତୁ ପଇତା, ନଡିଆ ଆଦି ଭେଟି ଦେବା ସହ ଶୁଭାଶୀର୍ବାଦ ଦେଇଥିଲେ। ପରେ ମହାରାଜ ଗାଦି ବିଜେ କରିଥିଲେ। ବିଧି ଅନୁଯାୟୀ, ଆଜି ସକାଳେ ଗଜପତି ମହାରାଜ ପଇତାଲାଗି ହୋଇଥିଲେ। ପରେ ଦେବାର୍ଚ୍ଚନା ଓ ସକାଳର ଅନ୍ୟାନ୍ୟ କାର୍ଯ୍ୟ ଶେଷ ହୋଇଥିଲା। ସଂଧ୍ୟାରେ ଦେବୀପ୍ରସାଦ ରାଜଗୁରୁ ଓ ସୁଧାଂଶୁ ରାଜଗୁରୁଙ୍କ ଦ୍ଵାରା ପୁଷ୍ୟାଭିଷେକ ନୀତି ସଂପାଦନ ହୋଇଥିଲା।

Advertisment

ଏହି ଉପଲକ୍ଷେ ଶ୍ରୀନଅରରେ ବରୁଣ ପୂଜା, ବର୍ଦ୍ଧନୀକଳସ ପୂଜା, ରାମାଭିଷେକ, ପଞ୍ଚଦେବତା, ମହାପ୍ରଭୁଙ୍କ ପୂଜା ଶାସ୍ତ୍ରୀୟ ଉପଚାରରେ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତୀ ପାଟ୍ଟମହାଦେବୀ ପୂଜାସ୍ଥଳୀକୁ ବିଜେ କରିଥିଲେ। ପ୍ରଥମେ ମଙ୍ଗଳାର୍ପଣ ନୀତି ସଂପାଦନ କରାଯାଇଥିଲା। ରାଜଗୁରୁଆଣୀ ପ୍ରଜ୍ଞାପରମିତା ରାଜଗୁରୁ ମହାରାଜ ଓ ମହାରାଣୀଙ୍କୁ ବନ୍ଦାପନ କରିଥିଲେ।

ବନ୍ଦାପନା ପରେ ମହାପ୍ରଭୁଙ୍କ ପାଖରୁ ଆସିଥିବା ସ୍ୱତନ୍ତ୍ର ତାଟ ଭୋଗ ଗଜପତି ମହାରାଜ ସେବନ କରି ଗାଦିକୁ ବିଜେ କରିଥିଲେ। ଏହାପରେ ୧୬ ଶାସନ ବ୍ରାହ୍ମଣମାନେ ସୁତା ଓ ବିଭିନ୍ନ ଧାତୁର ପଇତା, ଶ୍ରୀଫଳ ଗଜପତିଙ୍କ ଉଦ୍ଦେଶ୍ୟରେ ରାଜଗୁରୁଙ୍କୁ ପ୍ରଦାନ କରିଥିଲେ। ରାଜଗୁରୁ ଏହାକୁ ଗଜପତିଙ୍କ ମସ୍ତକରେ ଛୁଆଁଇବା ପରେ ପରେ ୧୬ ଶାସନର ବ୍ରହ୍ମଣମାନେ ଗଜପତି ମହାରାଜଙ୍କୁ ଆଶୀର୍ବାଦ କରିଥିଲେ।