ଘୋଷ ଯାତ୍ରା ନୀତିରେ ମୋହର, ସାଢ଼େ ୯ଟାରେ ପହଣ୍ଡି, ୪ ଟାରେ ରଥଟଣା

ପୁରୀ : ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ‌ଅଧ୍ୟକ୍ଷତାରେ ‌ଅନୁଷ୍ଠିତ ଏହି ବୈଠକରେ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ନିଳାଦ୍ରୀ ବିଜେ ସହ ଅନ୍ୟାନ୍ୟ ନୀତି ଉପରେ ଛତିଶା ନିଯୋଗ ମୋହର ମାରିଛି। ନିର୍ଘଣ୍ଟ ନୀତି ଅନୁଯାୟୀ ଜୁନ୍‌ ୧୭ ତାରିଖ ଦେବସ୍ନାନ ପୂର୍ଣ୍ଣିମା ଦିନ ରାତି ସାଢ଼େ ୪ରୁ ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହଣ୍ଡି ନୀତି ଅନୁଷ୍ଠିତ ହେବ। ସ୍ନାନ ଓ ଅନ୍ୟାନ୍ୟ ନୀତି ଶେଷ ହୋଇ ରାତି ସାଢ଼େ ୧୦ଟାରେ ବାହୁଡ଼ା ପହଣ୍ଡି ଏବଂ ଅପରାହ୍ଣ ୪ଟାରେ ଗଜବେଶ ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୪ ତାରିଖ ରଥଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧା ମୂର୍ତିଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା କାମ ଶେଷ ହେବ। ଅନ୍ୟପଟେ ସ୍ନାନଯାତ୍ରାଠାରୁ ଆରମ୍ଭ କରି ରଥଯାତ୍ରା, ନିଳାଦ୍ରୀ ବିଜେ ଆଦି ଶାନ୍ତିଶୃଙ୍ଖଳାରେ ଶେଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବ ଦେଇଛି।

ସେବାୟତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ବ୍ୟବସ୍ଥାବଳୀ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି। ନିଳାଦ୍ରୀ ବିଜେ ପରେ ଘଣ୍ଟାଏ ପର୍ଯ୍ୟନ୍ତ ପହୁଡ଼ କରିବାକୁ ନିଷ୍ପତ୍ତି ହୋଇଛି ଏବଂ ଦ୍ବାର ଫିଟିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ କରାଯିବାକୁ ବୈଠକରେ ସ୍ଥିର ହୋଇଛି।

ରବିବାର ସଂଧ୍ୟା ୬ଟାରେ ବସିଥିଲା ଛତିଶା ନିଯୋଗ ବୈଠକ। ଏଥିରେ ଜିଲ୍ଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳଙ୍କ ସମେତ ୩୬ ନିଯୋଗର କର୍ମକର୍ତା ଉପସ୍ଥିତ ଥିଲେ। ଗତ ନୀତି ସବ୍ କମିଟି ବୈଠକରେ ପ୍ରସ୍ତୁତ ନୀତି ଉପରେ ବିସ୍ତୃତ ଆଲୋଚନା ହେବା ପରେ ଛତିଶା ନିଯୋଗ ଏଥିରେ ମୋହର ମାରିଥିଲା। ଚୂଡ଼ାନ୍ତ ନୀତି ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର ୪ଟାରେ ମଙ୍ଗଳାର୍ପଣ, ସାଢ଼େ ୪ରୁ ସାଢ଼େ ୬ଟା ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ। ସକାଳ ୭ଟାରେ ମଙ୍ଗଳ ଆଳତି, ସାଢ଼େ ୭ଟାରେ ମଇଲମ, ୮ଟାରେ ତଡ଼ପଲାଗି, ସାଢ଼େ ୮ଟାରେ ଅଧରପୋଛା, ୯ଟାରେ ଅବକାଶ, ସାଢ଼େ ୯ଟାରେ ବେଶ ଶେଷ, ୯ଟା ୪୦ରେ ରୋ‌ଷହୋମ, ପୂର୍ବାହ୍ଣ ୧୦ଟାରେ ସୂର୍ଯ୍ୟପୂଜା, ୧୦ଟା୨୦‌ରେ ଦ୍ବାରପାଳ ପୂଜା, ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୨ଟା ଜଳବିଜେ, ପୂଜା ଓ ସ୍ନାନ, ଅପରାହ୍ଣ ସାଢ଼େ ୨ଟାରୁ ମଇଲମ, ବେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ବେଶ, ସାଢ଼େ ୩ଟାରେ ଛେରାପହଁରା, ଅପରାହ୍ଣ ୪ରୁ ୫ଟା ଗଜବେଶ, ୫ଟାରୁ ମହନ୍ତ ଶାଢ଼ୀ ବନ୍ଧା, ସାଢ଼େ ୫ଟାରୁ ସାଢ଼େ ୭ଟା ଘଣ୍ଟଛତା, ସକାଳ ଧୂପ, ରାତି ସାଢ଼େ ୭ରୁ ସାଢ଼େ ୯ଟା ସାହାଣମେଲା ଦର୍ଶନ, ରାତି ୧୦ଟାରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ସାଢ଼େ ୧୦ରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି, ରାତି ୨ଟାରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।

ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ୬ରୁ ସାଢ଼େ ୬ଟା ଭିତରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ୭ଟାରୁ ସାଢ଼େ ୭ଟା ଭିତରେ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ, ସକାଳ ୮ରୁ ୯ଟା ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ), ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା୧୫ରେ ମଙ୍ଗଳାର୍ପଣ, ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବ। ସାଢ଼େ ୧୨ଟାରେ ପହଣ୍ଡି ଶେଷ ପରେ ସାଢ଼େ ୧୨ରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ମଦନମୋହନ ବିଜେ, ସାଢ଼େ ଗୋଟାଏରୁ ସାଢ଼େ ୨ଟା ପର୍ଯ୍ୟନ୍ତ ଚିତାଲାଗି, ବେଶ ଶେଷ, ୨ଟାରୁ ୩ଟା ଛେରାପହଁରା, ଅପରାହ୍ଣ ୩ରୁ ୪ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା କାମ ଶେଷ ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ।

‌ସେହିଭଳି ଜୁନ ୧୨ରେ ରାଜେନ୍ଦ୍ରାଭିଷେକ, ଜୁନ ୧୩ରେ ରୁକ୍ମିଣୀ ଏକାଦଶୀ, ଜୁନ ୧୪ରେ ଚମ୍ପକ ଦ୍ବାଦଶୀ, ଜୁନ୍ ୨୮ରେ ଚକାବିଜେ, ଜୁନ୍ ୨୯ରେ ଖଳିଲାଗି ଏକାଦଶୀ, ଜୁନ୍ ୩୦ରେ ରାଜପ୍ରସାଦ ବିଜେ, ଜୁଲାଇ ୧ରେ ଘଣାଲାଗି ଓ ବନକଲାଗି, ଜୁଲାଇ ୨ରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଜୁଲାଇ ୩ରେ ରଥ ଆଜ୍ଞାମାଳ ବିଜେ, ଜୁଲାଇ ୮ରେ ହେରାପଞ୍ଚମୀ, ଜୁଲାଇ ୯ରେ ରଥ ଦକ୍ଷିଣମୋଡ଼, ଜୁଲାଇ ୧୧ରେ ସଂଧ୍ୟା ଦର୍ଶନ ଏବଂ ଜୁଲାଇ ୧୨ରେ ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ ହୋଇଛି। ‌ନବଯୌବନ ଦର୍ଶନ ଦିନ ସାଢ଼େ ୨ଟାରୁ ସାଢ଼େ ୩ଟା ପରିମାଣିକ ଓ ସାଢ଼େ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପାଇଁ ନୀତି ଚୂଡ଼ାନ୍ତ ହୋଇଛି। ବାହୁଡ଼ା ଦିନ ୧୨ଟାରୁ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଓ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର