ୟୁକ୍ରେନରୁ ଓଡ଼ିଆଙ୍କୁ ଫେରାଇବାର ଦାୟିତ୍ବ ନେଲେ ପୁରୀ ଝିଅ

ବୈଶାଳୀ ରୋମାନିଆର ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତ

ପୁରୀ : ମିଳିତ ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ପୁରୀର ଝିଅ ବୈଶାଳୀ ମହାନ୍ତିଙ୍କୁ ରାଜ୍ୟ ସରକାର ରୋମାନିଆର ସ୍ବତନ୍ତ୍ର ପ୍ରତନିଧି ଭାବେ ମନୋନୀତ କରିଛନ୍ତି। ସଂପ୍ରତି ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନରେ ଫସି ରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇବାର ଗୁରୁ ଦାୟିତ୍ବ ବହନ କରିଛନ୍ତି ବୈଶାଳୀ।

ମିଳିତ ଜାତିସଂଘର ନୀତି ଅଧିକାରୀ ଭାବେ ଶାନ୍ତି ପ୍ରତିଷ୍ଠା ଓ ବିବାଦ ସମାଧାନ ଦିଗରେ କାମ କରି ଆସୁଥିବା ବୈଶାଳୀ ଯୁବ ବୟସରେ ଏଭଳି ସଫଳତା ହାସଲ କରି ଅନେକଙ୍କ ପାଇଁ ପ୍ରେରଣା ସାଜି ପାରିଛନ୍ତି। ଜାତୀୟ ମହିଳା କମିସନର ସଭ୍ୟା ମାନସୀ ପ୍ରଧାନ ଏବଂ ବିଦ୍ୟୁତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ରାଧା ବିନୋଦ ମହାନ୍ତିଙ୍କ କନ୍ୟା ବୈଶାଳୀ ପୁରୀର ବ୍ଲେସ୍‌ଡ ସେକ୍ରାମେଣ୍ଟ ହାଇସ୍କୁଲ୍‌ରୁ ବିଦ୍ୟାଳୟ ଏବଂ ଭୁବନେଶ୍ବରସ୍ଥିତ କିଟ୍‌ ଇଣ୍ଟରନାସନାଲ ସ୍କୁଲ୍‌ରୁ ଶିକ୍ଷା ସମାପ୍ତ କରିଥିବା ବ‌େଳେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ୍‌ରୁ ସ୍ନାତକ ହାସଲ କରିଥିଲେ। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଅନ୍ତର୍ଜାତୀୟ ସମ୍ପର୍କ ପାଠ୍ୟକ୍ରମରେ ମାଷ୍ଟର ଡିଗ୍ରି ହାସଲ କରିବା ସହ ନ୍ୟୁକ୍ଲିୟର ଡିପ୍ଲୋମାସି ଉପରେ ନିବନ୍ଧ ପ୍ରସ୍ତୁତ କରିଥିଲେ।୨୦୧୬ ମସିହାରେ ପ୍ରଥମ ଦକ୍ଷିଣ ଏସିଆନ ବ୍ୟକ୍ତି ଭାବେ ଅ‌କ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ‘ହାଇ ପ୍ରୋଫାଇଲ୍‌ ଆଚିଭ୍‌ମେଣ୍ଟ ପୁରସ୍କାର’ ଲାଭ କରିଥିଲେ। ୨୦୧୭ ମସିହାରେ ସେ ମିଳିତ ଜାତିସଂଘର ଇଣ୍ଟରନାସନାଲ ସିଭିଲ୍‌ ସର୍ଭିସ ପାଇଁ ଚୟନ ହୋଇଥିଲେ।

ସମ୍ବନ୍ଧିତ ଖବର