ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା: ମାଜିଷ୍ଟ୍ରେଟ୍‌ଙ୍କ ତଦନ୍ତ ରିପୋର୍ଟ ଦାଖଲ

କଟକ : ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ଅଭିଯୋଗର ‌ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ କରିଥବା ତଦନ୍ତର ରିପୋର୍ଟ ଆଜି ହାଇକୋର୍ଟରେ ଦାଖଲ ହୋଇଛି।

ମୁଦା ଲଫାପାରେ ଏହି ରିପୋର୍ଟ ଦାଖଲ କରାଯାଇଥିଲା। ଅନ୍ୟପକ୍ଷରେ ମାର୍ଚ୍ଚ ୧୮ର ନିର୍ଦ୍ଦେଶ ଅନୁସାରେ ତଦନ୍ତର ସାନି ଷ୍ଟାଟସ ରିପୋର୍ଟ ଆଜି କିନ୍ତୁ ପୁରୀ ଏସପି ଦାଖଲ କରି ପାରି ନଥିଲେ। ଏଥିପାଇଁ ସରକରଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା। ହାଇକୋର୍ଟ ଏଥି ପାଇଁ ଅନୁମତି ଦେବା ସହିତ ମାମାଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୯କୁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଏହି ମାମଲାରେ ପୁରୀ ଏସପିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଥିବା ଜବାବ ଉପରେ ଆବେଦନକାରୀଙ୍କ ପକ୍ଷରୁ ଜାନୁଆରି ୨୭ରେ ପ୍ରତିଜବାବ ଦାଖଲ କରାଯାଇଥିଲା। ଏସପି ଡକ୍ଟର କେ.ଭି. ସିଂହ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏହା ହାଜତ ମୃତ୍ୟୁ ନୁହେଁ ବୋଲି କହିଥିଲେ। ଘଟଣାର ତିନୋଟି ସ୍ବାଧୀନ ଓ ନିର‌ପେକ୍ଷ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କେ. ରମେଶଙ୍କ ବାସେଳିସାହି ଥାନା ହାଜତରେ ମୃତ୍ୟୁ ହୋଇଥିବାବେଳେ ପୁରୀ ପୁଲିସ ଏହି ଘଟଣାକୁ ଲୁଚାଇବାକୁ ଉଦ୍ୟମ କରୁଛି। ପୁଲିସ ଛଡ଼ା ଅନ୍ୟ ସ୍ବାଧୀନ ଏଜେନ୍ସି ଦ୍ବାରା ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଆଇନଜୀବୀ ଦୀପକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିବା ବେଳେ କବିରାଜ ପ୍ରଧାନ ଓ ପଦ୍ମାଳୟା ମହାପାତ୍ର ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର