ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା : ଷ୍ଟାଟସ୍ ରିପୋର୍ଟ ଦେଲେ ପୁରୀ ଏସ୍‌ପି

କଟକ : ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ଅଭିଯୋଗ ସଂପର୍କିତ ମାମଲାରେ ଆଜି ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ପୁରୀ ଏସ୍‌ପିଙ୍କ ତରଫରୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି।

ପୂର୍ବରୁ ଏହି ମାମଲାରେ ପୁରୀ ଏସ୍‌ପିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଥିବା ଜବାବ ଉପରେ ଆବେଦନକାରୀଙ୍କ ପକ୍ଷରୁ ଜାନୁଆରି ୨୭ରେ ପ୍ରତିଜବାବ ଦାଖଲ କରାଯାଇଥିଲା। ଏସ୍‌ପି ଡକ୍ଟର କେ.ଭି. ସିଂହ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏହା ହାଜତ ମୃତ୍ୟୁ ନୁହେଁ ବୋଲି କହିଥିଲେ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କେ. ରମେଶଙ୍କ ବାସେଳିସାହି ଥାନା ହାଜତରେ ମୃତ୍ୟୁ ହୋଇଥିବାବେଳେ ପୁରୀ ପୁଲିସ ଏହି ଘଟଣାକୁ ଲୁଚାଇବାକୁ ଉଦ୍ୟମ କରୁଛି। ପୁଲିସ ସହିତ ଧସ୍ତାଧସ୍ତି ବେଳେ ‌ରମେଶ ପଡ଼ିଯାଇ ଅଚେତ ହୋଇଯାଇଥିଲେ ବୋଲି ପୁରୀ ଏସ୍‌ପି ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାହା ପ୍ରକୃତ ଘଟଣା ନୁହେଁ। ଆଜି ଏସ୍‌ପିଙ୍କ ପକ୍ଷରୁ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଛି। ରି‌ପୋର୍ଟରେ ଦର୍ଶାଯାଇଛି ‌ଯେ, କେ. ରମେଶଙ୍କ ମୃତ୍ୟୁ ଘଟଣାକୁ ନେଇ ବାସେଳିସାହି ଥାନାରେ ୨୦୨୧ ଜାନୁଆରି ୮ରେ ଆଇପିସିର ଦଫା ୩୨୩, ୩୦୪-କରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ତଦନ୍ତ ଦାୟିତ୍ବ ସଦର ଏସ୍‌ଡିପିଓଙ୍କୁ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ଏହି ଘଟଣା ସଂକ୍ରାନ୍ତରେ ପୁରୀ ଜେଏମ୍‌ଏଫ୍‌ସି କରୁଥିବା ତଦନ୍ତ ଶେଷ ହୋଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜେଏମ୍‌ଏଫ୍‌ସିଙ୍କ ଏ ସଂପର୍କିତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପୁରୀ ଜିଲ୍ଲାଜଜଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କେ. ରମେଶଙ୍କ ମୃତ୍ୟୁକୁ ନେଇ ଜାନୁଆରି ୮ରେ ରୁଜୁ ଏତଲାର ନକଲ ଓ ତଦନ୍ତର ଅଗ୍ରଗତି ସଂପର୍କିତ ରିପୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥାପନ କରିବାକୁ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୩କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଆଇନଜୀବୀ ଦୀପକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିବାବେଳେ କବିରାଜ ପ୍ରଧାନ ଓ ପଦ୍ମାଳୟା ମହାପାତ୍ର ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର