ବୁଡ଼ିଲା ପୁରୀ : ଲୋକେ ଘରୁ ପଦାକୁ ବାହାରି ପାରିନାହାନ୍ତି
ପୁରୀ: ବାହୁଡା ପୂର୍ବରୁ ଏମିତି ବର୍ଷିଥିଲା ଯେ ସମଗ୍ର ସହର ଜଳମୟ ହୋଇ ଯାଇଥିଲା। ବର୍ଷା ଦୁଃଖ ସରିନଥିବା ବେଳେ ଗତକାଲିଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ପୁରୀ ଜିଲ୍ଲା ସ୍ଥିତି ପୂରା ବେହାଲ ହୋଇପଡିଛି। ବର୍ଷାଜଳରେ ବଡ଼ଦାଣ୍ଡ ସମେତ ଉବୁଟୁବୁ ହୋଇଛି ସହରର ସମସ୍ତ ସାହିବସ୍ତି। ଲୋକେ ଘରୁ ପଦାକୁ ବାହାରି ପାରିନାହାନ୍ତି। ୧୨ ଘଣ୍ଟା ମଧ୍ୟରେ ଜିଲ୍ଲାରେ ସର୍ବାଧିକ ୩୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୨୧ ତାରିଖରେ ଜିଲ୍ଲାରେ ୩୪୪ ମିମି ବର୍ଷା ହୋଇଥିବା ବେଳେ ଆଜି ୩୯୫ ମିମି ବର୍ଷା ହୋଇଛି। ବଡଦାଣ୍ଡରେ ଅଣ୍ଟାଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଭିଆଇପି ରୋଡ, ରିଜର୍ଭ ପୁଲିସ୍ ଲାଇନ, ସମୁଦ୍ରକୂଳ ସହିତ ସମସ୍ତ ସାହିବସ୍ତି, ମୁଖ୍ୟ ରାସ୍ତାରେ ପାଣି ଚାଲୁଛି। ବର୍ଷାଜଳ ନିଷ୍କାସନ ହୋଇ ପାରୁନଥିବାରୁ ଗତ ରାତିଠୁ ଆଜି ଦିନତମାମ୍ ଲୋକେ ହିନସ୍ତା ହୋଇଛନ୍ତି। ଲଗାଣ ବର୍ଷା ଯୋଗୁ ଶ୍ରୀମନ୍ଦିର ଭୋଗମଣ୍ଡପରୁ ପାଣି ଗଳୁଥିବା ବେଳେ ପଞ୍ଚତୀର୍ଥ ପୁଷ୍କରିଣୀ ଉବୁଟୁବୁ ହୋଇଛି। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଚେରି ଭୁଶୁଡିପଡିଛି। ମାର୍କଣ୍ଡେୟ ପୁଷ୍କରିଣୀକୁ ଲାଗି ରହିଥିବା ୧୫୦ ବର୍ଷର ଗୋଶାଳା କାନ୍ଥ ମଧ୍ୟ ଭୁଶୁଡିପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲକ୍ଷାଧିକ ଲୋକ ଜଳବନ୍ଦୀ
ଟ୍ରେନ୍ ଚଳାଚଳ ବାତିଲ
ବୁଡ଼ିଗଲା ହେଲିପ୍ୟାଡ଼୍
ଶ୍ରୀମନ୍ଦିର ଭୋଗମଣ୍ଡପରୁ ଗଳିଲା ପାଣି
ଜଳବନ୍ଦୀରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ବାଦ୍ ପଡିନାହିଁ। ଜିଲ୍ଲା ରେକର୍ଡ ରୁମ୍ରେ ଆଣ୍ଠୁଏ ପାଣି ଜମି ରହିିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ସହରରେ ଜନଜୀବନ ପ୍ରଭାବିତ ହୋଇଛି। ରେଳ ଧାରଣା ବୁଡ଼ି ରହିଥିବାରୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ତିନୋଟି ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ୩ଟି ଟ୍ରେନ୍କୁ ସାମୟିକ ଭାବେ ବାତିଲ କରାଯାଇଛି। ସେହିପରି କିଛି ଟ୍ରେନ୍ର ସମୟ ପରିବର୍ତ୍ତନ ହୋଇଥିବା ଖବର ମିଳିଛି। ପ୍ରବଳ ବର୍ଷାରେ ମାଟିମଣ୍ଡପ ସାହି ଦ୍ୱାରିକାନାଥ ଲେନ୍ ରାସ୍ତା ଧୋଇଯାଇଛି। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଦୁଇ ପଟେ ଦୁଇଶହ ଫୁଟର ପାଚେରୀ ଭୁଶୁଡି ପଡିଛି। ଜିଲ୍ଲାର ଡେଲାଙ୍ଗ, ବ୍ରହ୍ମଗିରି, କଣାସ ଓ ପିପିଲି ଅଞ୍ଚଳରେ ମଧ୍ୟ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଯାଇଥିବା ବେଳେ ଜିଲ୍ଲାରେ ଲକ୍ଷାଧିକ ଲୋକ ଜଳବନ୍ଦୀ ରହିଛନ୍ତି।