ମୂର୍ତ୍ତି ଚୋରି ଗ୍ୟାଙ୍ଗର ଚରାଭୂଇଁ ପୁରୀ; ତିନି ମାସରେ ୧୦ରୁ ଅଧିକ ଚୋରି, ପୁଲିସ ହାତ ଖାଲି

ଲୁଟିନେଲେଣି ଲକ୍ଷ ଲକ୍ଷ ଟଙ୍କାର ବହୁମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତି
ବନ୍‌ଜାରାଙ୍କ ଉପରେ ପୁଲିସର ସନ୍ଦେହ ନଜର

ପୁରୀ : ପୁରୀ ଜିଲ୍ଲାରେ ମାତିଛନ୍ତି ମୂର୍ତ୍ତି ଚୋରି ଗ୍ୟାଙ୍ଗ। ଟାର୍ଗେଟ୍‌ର ବହୁ ପୁରାତନ ମନ୍ଦିରରେ ପୂଜା ପାଉଥିବା ଅଷ୍ଟଧାତୁରେ ନିର୍ମିତ ପ୍ରତିମୂର୍ତ୍ତି। ବିଶେଷକରି ରାଜା ମୁକୁନ୍ଦଦେବ, ଅନଙ୍ଗ ଦେବ, ଚୋଡ଼ ଗଙ୍ଗଦେବ, ନରସିଂହ ଦେବଙ୍କ ସମସାମୟିକ ମନ୍ଦିରକୁ ଏମାନେ ନଜରରେ ରଖିଛନ୍ତି। ଗତକାଲି କଣାସ ବ୍ଲକ୍‌ ଗଡ଼ିଶାଗୋଦା ଥାନା ଶ୍ରୀମୁକୁନ୍ଦପୁର ଈଶାନେଶ୍ବର ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ରାଧାକୃଷ୍ଣ ଓ ଶିବପାର୍ବତୀଙ୍କ ଚାରି ମୂର୍ତ୍ତି ଚୋରି ପରେ ଜିଲ୍ଲା ପୁଲିସର କାର୍ଯ୍ୟଦକ୍ଷତା ଉପରେ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ବଡ଼କଥା ହେଉଛି, ପୁରୀ ଜିଲ୍ଲାରୁ ତିନି ମାସ ଭିତରେ ୧୦ରୁ ଅଧିକ ପୁରାତନ ମନ୍ଦିରରୁ ଏଭଳି ଲୁଟ୍‌ପାଟ ହେଲାଣି।

ରାଜରାଜୁଡ଼ା ସମୟରୁ ପୁରୀ ଜିଲ୍ଲାରେ ଅନେକ ମନ୍ଦିର ପ୍ରତିଷ୍ଠା ସହ ଏଠାରେ ଅଷ୍ଟଧାତୁରେ ନିର୍ମିତ ବହୁମୂଲ୍ୟ ମୂର୍ତ୍ତି ପୂଜା ପାଉଛନ୍ତି। ଏହି ମୂର୍ତ୍ତିକୁ ଚୋରି ପରେ ବିଦେଶକୁ ରପ୍ତାନି କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ଉଠୁଛି। ମୂର୍ତ୍ତି ଚୋରି ଗ୍ୟାଙ୍ଗର ଚେର ଦେଶ, ବିଦେଶକୁ ବି ଲମ୍ବିଥିବା ପୁଲିସ ଅନୁମାନ କରୁଛି। ସେପଟେ ପୁରୀ ଜିଲ୍ଲାକୁ ନିୟମିତ ବ୍ୟବଧାନରେ ବଞ୍ଜାରାମାନେ ଆସି ରହୁଛନ୍ତି। ଯେଉଁମାନଙ୍କ ଠିକଣା ବି ଆଜି ପର୍ଯ୍ୟନ୍ତ ପୁଲିସ ହସ୍ତଗତ କରିପାରିନି। ପୁଲିସ ଏମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛି।

ଅତୀତର ଏଭଳି ଚର୍ଚ୍ଚିତ ମୂର୍ତ୍ତି ଚୋରି ଘଟଣା ଉପରେ ନଜର ପକାଇଲେ, କଣାସ ଥାନା ବଡ଼ାସ ଗାଁର ପ୍ରତ୍ୟକ୍ଷ ଦେବତା ବାବା ବୈଦ୍ୟନାଥ ଦେବଙ୍କ ମନ୍ଦିରରୁ ଶିବପାର୍ବତୀଙ୍କର ଅଷ୍ଟଧାତୁ ମୂର୍ତ୍ତି ସହ ପିତଳ ପ୍ରଭା ଓ ଅନ୍ୟାନ୍ୟ ଆସବାବ ଚୋରି ହୋଇଯାଇଥିଲା। ଚୋରି ପରେ ମନ୍ଦିର ପୂଜାରି କଣାସ ଥାନାରେ ଅଭିଯୋଗ କରିଥିଲେ। ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌‌ ବି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଥିଲେ। ଠାକୁରଙ୍କ ପିନ୍ଧା ବସ୍ତ୍ର ମନ୍ଦିରଠାରୁ ମାତ୍ର ୫ଶହ ମିଟର ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାକୁ ମାସେ ବିତିଥିଲେ ବି ଚୋରିର ସାମାନ୍ୟତମ ସୁରାକ ପାଇ ପାରିନି ପୁଲିସ। ଗତ ଜାନୁଆରି ୩୦ ବିଳମ୍ବିତ ରାତିରେ ପିପିଲି ଥାନା କାକୁଡ଼ିଆସ୍ଥିତ ବହୁ ପୁରାତନ ଗୋପୀନାଥ ଦେବଙ୍କ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନ ପୂଜା ପାଉଥିବା ଅଷ୍ଟଧାତୁରେ ନିର୍ମିତ ରାଧାକୃଷ୍ଣ, ମହଲାକ୍ଷ୍ମୀ ଓ ନାରାୟଣଙ୍କ ମୂର୍ତ୍ତି ବି ଚୋରି କରି ନେଇଥିଲେ। ମନ୍ଦିର ପୂଜକଙ୍କ ଅଭିଯୋଗର ବହୁଦିନ ପରେ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦୁଝରରୁ ଗିରଫ କରାଯାଇଥିଲା। ସେହିଭଳି ଗତ ଫେବ୍ରୁଆରି ୯ରେ ଚନ୍ଦନପୁର ଥାନା ଜଗନ୍ନାଥପୁର ଗାଁର ଲକ୍ଷ୍ମୀନୃସିଂହ ମନ୍ଦିରରୁ ରାଧାକୃଷ୍ଣଙ୍କ ଅଷ୍ଟଧାତୁ ମୂର୍ତ୍ତି ସହ ପାର୍ଶ୍ବ ଦେବାଦେବୀଙ୍କ ମୂର୍ତ୍ତି ବି ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ଚୋରି ଅଷ୍ଟଧାତୁର ଓଜନ ୮୦ କେଜିରୁ ଅଧିକ ହେବ। ଅଭିଯୋଗକୁ ମାସେ ବିତିଥିଲେ ବି ଚୋରିର ‌ଟେର୍‌ ବି ପୁଲିସ ପାଇପାରିନି। ଏହାର କିଛିଦିନ ପୂର୍ବରୁ ବି ଚନ୍ଦନପୁର ଥାନା ସୁନ୍ଦର ଗାଁର ବଟେଶ୍ବର ମନ୍ଦିରରୁ ପ୍ରାୟ ୪୫ କେଜି ଓଜନର ଶିବ-ପାର୍ବତୀଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା।

ସବୁଠାରୁ ବଡ଼ ଚୋରି ଘଟଣା ଦେଖିବାକୁ ମିଳିଥିଲା ସତ୍ୟବାଦୀ ଥାନା ଅଞ୍ଚଳରେ। ଏହି ଥାନା ଅଧୀନରେ ଥିବା ନୂଆ ସୋମେଶ୍ବରପୁରର ଗୋପିନାଥ ଦେବଙ୍କ ମନ୍ଦିରରୁ ଗତ ଫେବ୍ରୁଆରି ୧୩ରେ ମନ୍ଦିରରେ ପୂଜା ପାଉଥିବା ଅଷ୍ଟଧାତୁରେ ନିର୍ମିତ ୪୦ କେଜି ଓଜନର ମା’ ଦୁର୍ଗାଙ୍କ ମୂର୍ତ୍ତି, ମଦନମୋହନଙ୍କ ମୂର୍ତ୍ତି, ୧୦ କେଜି ଓଜନର ଆଉ ଏକ ଦୁର୍ଗାମୂର୍ତ୍ତି, ଚନ୍ଦ୍ରଶେଖରଙ୍କ ମୂର୍ତ୍ତି, ଦୁଇଟି ରାଧାକୃଷ୍ଣ ମୂର୍ତ୍ତି ଚୋରି ହୋଇଯାଇଥିଲା। ଏ ସଂପର୍କରେ ମନ୍ଦିର ପୂଜକ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି। ମୂର୍ତ୍ତି ଫେରି ପାଇବା ପାଇଁ ଗାଁ ଲୋକେ ଉପବାସ ପାଳନ କରିଥିଲେ ବି ବିଫଳ ହୋଇଥିଲେ। ଏହା ପୂର୍ବରୁ ସତ୍ୟବାଦୀ ଥାନା ଆଳିଶ ମହାବୀର ମନ୍ଦିରରୁ ବି ଗତ ଡିସେମ୍ବର ୨୨ ତାରିଖ ରାତିରେ ସୁନା ଅଳଙ୍କାର, ଘଣ୍ଟି, ବାସନକୁସନ ଆଦି ଲୁଟ୍‌ ହୋଇଥିଲା। ସେହିପରି ଗତବର୍ଷ ଜୁନ୍‌ ୨୩ରେ ଇନ୍ଦିପୁର ଗାଁରେ ଥିବା ମନ୍ଦିରରୁ ତିନିଟି ମୂର୍ତ୍ତି ଲୁଟ୍‌ ହୋଇଥିଲା। ୨୦୧୯ ମସିହାରେ ସାକ୍ଷୀଗୋପାଳ ବୀରଗୋବିନ୍ଦପୁରର ପ୍ରତ୍ୟକ୍ଷ ଠାକୁରାଣୀ ମା’ ଦକ୍ଷିଣକାଳୀଙ୍କ ମନ୍ଦିର, ନୂଆଗାଁର ମା’ ଜୟଦୁର୍ଗାଙ୍କ ମନ୍ଦିରରୁ ବି ମୂର୍ତ୍ତି, ଅଳଙ୍କାର ଆଦି ଚୋରି ହୋଇଥିଲା। ଏହାର ବି କୌଣସି ସନ୍ଧାନ ପାଇପାରିନି ପୁଲିସ। ଏଭଳି ସ୍ଥିତିରେ ପୁଲିସ ଉପରୁ ବି ଲୋକେ ବିଶ୍ବାସ ତୁଟାଇ ସାରିଲେଣି।

ସମ୍ବନ୍ଧିତ ଖବର