ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବିବାଦ, ଏଏସଆଇକୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ବେଆଇନ ଖନନ ଓ ନିର୍ମାଣ ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଥିବା ବେଆଇନ ଖନନ ଓ ନିର୍ମାଣ ସଂପର୍କିତ ଅଭିଯୋଗ ଅନୁଧ୍ୟାନ କରିବା ପରେ ଏଏସଆଇ ହାଇକୋର୍ଟ‌େର ସତ୍ୟପାଠ ଦାଖଲ କରିବ। ଏପରି କାର୍ଯ୍ୟ ଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ରହିଛି ବୋଲି ଆବେଦନକାରୀଙ୍କ ଆଶଙ୍କା ରହିଥିବା ବେଳେ ନିର୍ଦ୍ଦେଷ୍ଟ ଭାବେ ଏହି ପ୍ରସଂଗରେ ଏଏସଆଇ ହାଇକୋର୍ଟରେ ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବ। ବର୍ତ୍ତମାନ ଚାଲିଥିବା ଏପରି ନିର୍ମାଣ କାର୍ଯ୍ୟର ଯୁଗ୍ମ ଅନୁଧ୍ୟାନ ଚାହିଁଲେ ଏଏସଆଇ କରି ପାରିବ ବୋଲି ହାଇକୋର୍ଟ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନକୁ ଆଗୁଆ ଅବଗତ କରି ଏଏସଆଇ ଯୁଗ୍ମ ଅନୁଧ୍ୟାନ କରି ପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୧କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହାର ତିନି ଦିନ ପୂର୍ବରୁ ଏଏସଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀ ଦର୍ଶାଇଥିଲେ ଯେ ଆନସିଆଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮ର ଉଲ୍ଲଂଘନ କରି ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ପୁରାତନ ମନ୍ଦିର ପ୍ରତି ବିପଦ ଦେଖା ଦେଇଛି। ଏପରି ନିର୍ମାଣ ଯୋଗୁଁ ମନ୍ଦିରର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହେଉଛି। ଏହି ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର