ବିଶୃଙ୍ଖଳିତ ସେବାୟତଙ୍କୁ ଛାଟ, ୩ ଥର ବିଶୃଙ୍ଖଳା କଲେ ସେବା ଅଧିକାର କଟିବ

ପୁଣି ଝୁଲିଲା ଅବଢ଼ା ଦର ତାଲିକା ଘୋଷଣା, ପ୍ରଚଳନ ହେବ ଶ୍ରୀଜଗନ୍ନାଥ ପଦକ

ପୁରୀ: ଶ୍ରୀମନ୍ଦିର ନୀତିରେ ବିଶୃଙ୍ଖଳା କଲେ‌ ସେବକ ପଦ ମର୍ଯ୍ୟାଦା କଟିଯିବ।‌ ଆଉ ଜୀବନସାରା ସେବା କରିବାର ସୁଯୋଗ ମିଳିବ ନାହିଁ। ବିଶୃଙ୍ଖଳିତ ସେବକଙ୍କୁ ଲଗାମ ଦେବା ଓ ନୀତି ଶୃଙ୍ଖଳା ପାଇଁ ଏମିତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଅନ୍ୟପକ୍ଷରେ ବହୁ ପ୍ରତୀକ୍ଷିତ ଅବଢ଼ା ଦର ତାଲିକା ଆନନ୍ଦ ବଜାରରେ ଲାଗିବା ଆହୁରି ବିଳମ୍ବ ହୋଇପାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ବରାଦି ଭୋଗରେ ପସ୍ତୁତ ଅବଢ଼ା ଦର ଚୂଡ଼ାନ୍ତ ହୋଇ ସାରିଥିଲେ ବି ଦର ତାଲିକାକୁ ନେଇ ମତପାର୍ଥକ୍ୟ ରହୁଥିବାରୁ ଏ ନେଇ ସୁଚିନ୍ତିତ ମତ ରଖିବାକୁ ସୁଆର ମହାସୁଆର ନିଯୋଗକୁ କୁହାଯାଇଥିବା ‌ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି ଶ୍ରୀଜଗନ୍ନାଥଙ୍କ ନାମରେ ରୁପା ପଦକ ବିକ୍ରି ହେବ। ଏହି ପ୍ରସ୍ତାବ ଉପରେ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି।

ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ବିଶୃଙ୍ଖଳିତ ସେବକଙ୍କୁ ଠାକୁରଙ୍କ ସେବାରୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଏଥି ପାଇଁ ସମ୍ପୃକ୍ତ ସେବକଙ୍କୁ ତିନି ଥର ସୁଯୋଗ ଦିଆଯିବ। କୌଣସି ସେବକଙ୍କ ବିଶୃଙ୍ଖଳାକୁ ୩ ଥର ଯାଏ ମନ୍ଦିର ପ୍ରଶାସନ ବରଦାସ୍ତ କରିବ। ଏହା ପରେ ଚତୁର୍ଥ ଥର ଭୁଲ କଲେ ତାଙ୍କୁ ପ୍ରଶାସନ ଦେଇଥିବା ସେବକ ସ୍ବୀକୃତିକୁ ପ୍ରତ୍ୟାହାର କରି ନିଆଯିବ। ଅର୍ଥାତ୍‌ ଯେଉଁ ଶାଢ଼ୀ ବାନ୍ଧି ସେବକ ମାନ୍ୟତା ଦିଆଯାଇଥିବ, ସେହି ଶାଢ଼ୀ ପ୍ରତ୍ୟାହାର ହୋଇଯିବ। ସଂପୃକ୍ତ ସେବକ ଠାକୁରଙ୍କ ସେବା କରିବାର ଅଧିକାର ହରାଇବେ ବୋଲି ବୈଠକରେ ଧାର୍ଯ୍ୟ ହୋଇଛି। ଏହାଦ୍ବାରା ଶ୍ରୀମନ୍ଦିର ନୀତିରେ ଶୃଙ୍ଖଳା ଆସିବା ସହ ସେବାୟତମାନେ ଶୃଙ୍ଖଳିତ ହୋଇ ପାରିବେ ବୋଲି ପରିଚାଳନା କମିଟି ଆଶା ପ୍ରକାଶ କରିଛି। ଏହାବ୍ୟତୀତ ଶ୍ରୀଜଗନ୍ନାଥଙ୍କ ନାମରେ ରୁପା ପଦକ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ୨୦ ଗ୍ରାମ୍‌ ଓଜନର ଏହି ପଦକର ମୂଲ୍ୟ ୨ରୁ ୩ ହଜାର ଟଙ୍କା ରଖାଯିବ। କର୍ପସ୍‌ ପାଣ୍ଠିକୁ ଯେଉଁମାନେ ଦାନ କରୁଛନ୍ତି ବା ମୂଳ ପାଣ୍ଠିକୁ ଦାନ ଦେଇ ମାର୍ବଲ ଫଳକ ଲଗାଇବାକୁ ଇଚ୍ଛାପ୍ରକାଶ କରୁଛନ୍ତି ଓ ସ୍ଥାନାଭାବ ଯୋଗୁ ମାର୍ବଲ ଫଳକ ସ୍ଥାପନ କରାଯାଇପାରୁନାହିଁ, ସେମାନଙ୍କୁ ଏହି ମୁଦ୍ରା ଦିଆଯିବ ବୋଲି ସ୍ଥିର ‌ହୋଇଛି। ଶ୍ରୀବିଗ୍ରହଙ୍କ ଲାଗି ଫୁଲ ଏବଂ ତୁଳସୀକୁ କମ୍ପୋଷ୍ଟ କରାଯାଇ ଆଇଟିସି କମ୍ପାନି ସେଥିରୁ ଧୂପକାଠି ପ୍ରସ୍ତୁତ କରିବ। କମ୍ପାନି ପକ୍ଷରୁ ଦୁଇଟି ବର୍ଗର ଧୂପକାଠି ପ୍ୟାକେଟ୍‌ ବିକ୍ରି କରାଯିବ। ୫୦ ଟଙ୍କାର ପ୍ୟାକେଟରୁ ୧ ଟଙ୍କା ଓ ୧୦୦ ଟଙ୍କାର ପ୍ୟାକେଟ୍‌ରୁ ୨ ଟଙ୍କା ଲେଖା ଠାକୁରଙ୍କ ପାଣ୍ଠିକୁ ଆସିବ। ଓରମାସ୍‌ ସହ ମିଶି ଆଇଟିସି ଏହି ଧୂପ କାରଖାନା ପ୍ରତିଷ୍ଠା କରିବ ବୋଲି ଆସିଥିବା ପ୍ରସ୍ତାବକୁ ପରିଚାଳନା କମିଟି ଗ୍ରହଣ କରିଛି।

ସମ୍ବନ୍ଧିତ ଖବର