ପୁରୀ : ଫନିର କରାଳ ରୂପରୁ ବର୍ତ୍ତି ପାରିନି ଶ୍ରୀମନ୍ଦିର। ଶ୍ରୀମନ୍ଦିର ବାହାରପଟରେ ନୀଳଚକ୍ର ପର୍ଯ୍ୟନ୍ତ ଲାଗିଥିବା ଲୁହାଭାରା ଭୁଶୁଡ଼ି ପଡ଼ିଛି। ‘ଫନି’ ପ୍ରଭାବରେ ପ୍ରାୟ ୨ ଟନ୍ ଓଜନର ଲୁହାଭାରା ଉପରୁ ଭୁଶୁଡ଼ି ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଜମା ହୋଇରହିଛି। ଲୁହା ପାଇପ୍ ଭୁଶୁଡ଼ିବାରୁ ଶ୍ରୀମନ୍ଦିରର ଅନେକ କଳାକୃତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଏସ୍ଆଇ ଦ୍ବାରା ଲଗାଯାଇଥିବା ଏହି ଲୁହାଭାରା ତାଡ଼ି ହୋଇ ଖସି ପଡ଼ିବା ଦ୍ବାରା ବଡ଼ ଦେଉଳ ପ୍ରଭାବିତ ହୋଇଛି। କେବଳ ସେତିକି ନୁହେଁ, ‘ଫନି’ ମହାପ୍ରଭୁଙ୍କ ଫୁଲ ବଗିଚାକୁ ବି ନାରଖାର କରିଦେଇଛି।
ଶ୍ରୀମନ୍ଦିର ମୂଳ ଢାଞ୍ଚାରେ ‘ଫନି’ର କୌଣସି ପ୍ରଭାବ ପଡ଼ି ନଥିଲେ ମଧ୍ୟ ଦକ୍ଷିଣପଟେ ଥିବା କେତେକ କଳାକୃତି ପ୍ରଭାବିତ ହୋଇଛି। ଏଏସ୍ଆଇ ଲଗାଇଥିବା ଲୁହାଭାରା ଯୋଗୁ ତାହା ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ସକାଳ ସାଢ଼େ ୮ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ‘ଫନି’ର ପ୍ରଳୟରେ ଶ୍ରୀମନ୍ଦିରରେ ଲାଗିଥିବା ଲୁହାଭାରାକୁ ଭୁଶୁଡ଼ାଇ ଦେଇଥିଲା। ଦିନ ପ୍ରାୟ ୧୦ଟା ପରେ ଏହି ଲୁହାଭରା ଖସି ପଡ଼ିଥିବା ଦାମୋଦର ପ୍ରତିହାରୀ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଲୁହାଭାରା ଖସିବା ବେଳେ ବିକଟାଳ ଶବ୍ଦ ହୋଇଥିଲା। ଦେଉଳ ଭିତରେ ତାଙ୍କର ପାଳି ଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ବାହାରକୁ ଆସି ଦେଖିବା ବେଳକୁ ଲୁହା ପାଇପ୍ଗୁଡ଼ିକ ଅଜାଡ଼ି ହୋଇ ତଳେ ପଡ଼ିଛି। ତାହା ସହ ପଡ଼ିଛି ଅନେକ ଛୋଟ ପଥର ଖଣ୍ଡ। ଲୁହା ପାଇପ୍ ଯେଉଁଠୁ ତାଡ଼ି ହୋଇ ଆସିଛି, ସେଠାରୁ ପଥର ଖଣ୍ଡ ଖସାଇ ଦେଇଛି। ଏପରିକି କେତେକ କଳାକୃତିର ଭଗ୍ନ ଅଂଶ ବି ପଡ଼ିଥିବା ଦେଖା ଯାଇଥିଲା।
ଖାଲି ସେତିକି ନୁହେଁ, ଜଗମୋହନ ଭିତରେ ଲାଗିଥିବା ଏସିର ଆଉଟ୍ଡୋର୍ ବି ଭାଙ୍ଗି ପଡ଼ିଛି। କେତେକ ସ୍ଥାନରେ ଏସିର ପାଇପ୍ ଉପୁଡ଼ି ପଡ଼ିଛି। ‘ଫନି’ ମାଡ଼ରେ ନୀଳାଚଳ ଉପବନରେ ଥିବା ନଡ଼ିଆଗଛରୁ ଆଉ ମାତ୍ର ୪ଟି ରହିଛି। ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ତୁଳସୀ ବଗିଚା, ଫୁଲ ବଗିଚା ନାରଖାର୍ ହୋଇଯାଇଛି। ଏସବୁ ପାଇପ୍ ଓ ଗଛକୁ ବଡ଼ ଦେଉଳରୁ ସଫା କରିବା ପାଇଁ ଆଜି ଦିନସାରା କର୍ମଚାରୀମାନେ ଲାଗିଛନ୍ତି।
ଭାଙ୍ଗିଲା କଳ୍ପବଟ
ପୁରୀ : କଳ୍ପବଟକୁ କ୍ଷତି ପହଞ୍ଚାଇଛି ସାମୁଦ୍ରିକ ଝଡ଼ ‘ଫନି’। ଏହାର ତୀବ୍ର ପବନ କଳ୍ପବଟର ଅନେକ ଶାଖାକୁ ଭାଙ୍ଗି ଦେଇଥିବା ବେଳେ ଛିଣ୍ଡି ଯାଇଛି ହଜାର ହଜାର ଭକ୍ତଙ୍କ ମାନସିକ ଡୋରି। ଏଣେତେଣେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି। ସେସବୁକୁ ଗୋଟାଇବା ବି ସମ୍ଭବ ହେଉନି। ଅନେକ ଡୋରିକୁ ଉଡ଼ାଇ ନେଇଛି ‘ଫନି’।
ଶ୍ରୀମନ୍ଦିର କଳ୍ପବଟରେ ମାନସିକ ଡୋରି ବାନ୍ଧିଥାନ୍ତି ଭକ୍ତ। ମାନସିକ ପୂରଣ ହେଲେ ତାହାକୁ ଖୋଲି ଦିଅନ୍ତି। ଏହି ବିଶ୍ବାସ ରହି ଆସିଛି। ସେଥି ପାଇଁ କାହିଁ କେଉଁ କାଳରୁ ଏହି ଡୋରି ବନ୍ଧା ପ୍ରକ୍ରିୟା ଚାଲୁ ରହିଛି। ତେବେ ସାମୁଦ୍ରିକ ଝଡ଼ ‘ଫନି’ ଅନେକଙ୍କ ମାନସିକ ଡୋରିକୁ କଳ୍ପବଟରୁ ଛିଣ୍ଡାଇ ଫିଙ୍ଗି ଦେଇଛି। କଳ୍ପବଟର ପ୍ରାୟ ୫ଟି ଡାଳ ଭାଙ୍ଗି ଯାଇଛି। ଏଥିସହ ସେହି ସବୁ ଡାଳରେ ବନ୍ଧାଯାଇଥିବା ମାନସିକ ଡୋରି ବି ଛିଣ୍ଡି ଯାଇଛି। ପବନରେ ଡୋରିଗୁଡ଼ିକ ମୁକ୍ତିମଣ୍ଡପଠାରୁ ଗଣେଶ ମନ୍ଦିର ପର୍ଯ୍ୟନ୍ତ ବିକ୍ଷିପ୍ତ ହୋଇ ପଡ଼ିଛି। ସେସବୁକୁ ଗୋଟାଇବା ବି ସମ୍ଭବ ହୋଇ ପାରିନାହିଁ। ଫଳସ୍ବରୂପ ‘ଫନି’ରେ ଛିଣ୍ଡି ଯାଇଥିବା ଅନେକ ମାନସିକ ଡୋରିକୁ ଫିଙ୍ଗିବାକୁ ବାଧ୍ୟ ହୋଇଛି ମନ୍ଦିର ପ୍ରଶାସନ। ସୂଚନାଯୋଗ୍ୟ, ନିକଟରେ ବଲିଉଡ୍ ଅଭିନେତ୍ରୀ ଜୁହି ଚାୱାଲା କଳ୍ପବଟରେ ଡୋରି ବାନ୍ଧିଥିଲେ। ପୂର୍ବରୁ ସେ ମାନସିକ କରି ଡୋରି ବାନ୍ଧିଥିଲେ। ସେହି ମାନସିକ ପୂରଣ ହେବାରୁ ପୁରୁଣା ଡୋରି ଖୋଲି ନୂଆ ବାନ୍ଧିଥିଲେ।