ପୁଲିସ-ଜେଟିପି ମଧ୍ୟରେ ରହୁନି ସମନ୍ବୟ : କୁହୁଳୁଛି ଅସନ୍ତୋଷ, ବଢ଼ୁଛି ସମସ୍ୟା

ପୁରୀ : ଶ୍ରୀମନ୍ଦିରରେ ରହିଛି ଦୈତ ସୁରକ୍ଷା ବ୍ୟବସ୍ଥା। ଓଡ଼ିଶା ପୁଲିସ ଓ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ ନିର୍ବାହ କରୁଛନ୍ତି ଏହି ଦାୟିତ୍ବ। ହେଲେ ଏମାନଙ୍କ ମଧ୍ୟରେ ନାହିଁ ତାଳମେଳ। ସମନ୍ବୟ ରକ୍ଷା ହୋଇପାରୁନି। ଯାହାଦ୍ବାରା ଶ୍ରୀମନ୍ଦିରର ଅନେକ କିଛି ବ୍ୟବସ୍ଥା ବିଗିଡ଼ି ଯାଉଛି। କେଉଁଠି ସରକାରଙ୍କ ନାକ କଟୁଛି ତ ଆଉ କେଉଁଠି ହେଉଛି ଅଘଟଣ। ପୁଲିସ ଓ ଜେଟିପି ମଧ୍ୟରେ ସମନ୍ବୟ ରଖିବା ପାଇଁ ନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦକ୍ଷେପ ନେଉଛନ୍ତି ନା ଉପମୁଖ୍ୟ ପ୍ରଶାସକ ନା ଜିଲ୍ଲାପାଳ ନା ଏସ୍‌ପି। ଫଳରେ ଶ୍ରୀମନ୍ଦିରରେ ଅନେକ କିଛି ବିଭ୍ରାଟ ହେଉଛି। ଅନେକ ସମୟରେ ପୁଲିସ ଓ ଜେଟିପି ମୁହାଁମୁହିଁ ହେଉଛନ୍ତି।

ଶ୍ରୀମନ୍ଦିରରେ ପୂର୍ବରୁ ଜେଟିପି ସୁରକ୍ଷା ବ୍ୟବସ୍ଥା ବୁଝୁଥିଲେ। ଏମାନେ ଭିଡ଼ ନିୟନ୍ତ୍ରଣ କରୁଥିଲେ। ନୀତି ସମ୍ପାଦନାରେ ବି ସହଯୋଗ କରୁଥିଲେ। ଏମାନଙ୍କ ନିଯୁକ୍ତି ଏମିତି ଯେ, ମନ୍ଦିରର କୌଣସି ବି ସ୍ଥାନକୁ ଏମାନେ ଯାଇପାରିବେ। ଏମାନଙ୍କର ପ୍ରମୁଖ ଦାୟିତ୍ବ ସେବାୟତଙ୍କୁ ଚିହ୍ନଟ କରିବା, ଅଣହିନ୍ଦୁଙ୍କୁ ଚିହ୍ନଟ କରି ଦ୍ବାର ପ୍ରବେଶ ଅନୁମତି ଦେବା। ଏପରି ଅନେକ ପାରମ୍ପରିକ କାର୍ଯ୍ୟ ଏମାନଙ୍କର। ଭକ୍ତଙ୍କ ଭିଡ଼ ବଢ଼ିଲା, ଗହଳି ନିୟନ୍ତ୍ରଣ କରିବା ଜେଟିପିମାନଙ୍କ ପକ୍ଷେ ସମ୍ଭବ ହେଲାନାହିଁ। ଏହାବ୍ୟତୀତ ସୁରକ୍ଷା ପ୍ରସଙ୍ଗ ଜଟିଳ ହେଲା। ତେଣୁ ପୁଲିସର ପ୍ରବେଶ ହେଲା। ପୁଲିସ ଧୀରେ ଧୀରେ ମନ୍ଦିରରେ ଆଧିପତ୍ୟ ବିସ୍ତାର କରିଦେଇଛି। ହେଲେ ଜେଟିପିଙ୍କ ଭଳି ସବୁଠି ଯିବାକୁ ଓ ପାରମ୍ପରିକ ଦାୟିତ୍ବ ତୁଲାଇବାକୁ ପାଇନି କ୍ଷମତା। ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ କାର୍ଯ୍ୟ ପୁଲିସ କରିପାରିବେ ନାହିଁ। ପୁଲିସ ଯେତିକି କାମ କରୁଛି ଜେଟିପି କରିପାରିବେ ନାହିଁ। ହେଲେ ଉଭୟଙ୍କ ମଧ୍ୟରେ ରହୁନି ସମନ୍ବୟ। ସବୁବେଳେ ବାଦବିବାଦ ଲାଗିଛି। ଜେଟିପି ଭିତର ଗହଳି ବୁଝନ୍ତୁ କହି ଦୂରେଇ ଯାଉଛି ପୁଲିସ। ପୁଲିସ ବାହାରେ ସମସ୍ୟା ବୁଝୁ ବୋଲି କହି ଅନେକ କ୍ଷେତ୍ରରେ ଜେଟିପିମାନେ ଦୂରେଇ ରହୁଛନ୍ତି। ଏପରିକି ଡିସେମ୍ବର ୨୭ ତାରିଖ ରାତିରେ ଜେଟିପି ନଥିବାରୁ ପୁଲିସ ଓ ଭିତରଚ୍ଛ ବିବାଦ ହେଲା। ଜେଟିପି ଚାହିଁଥିଲେ ତାହା ହୋଇ ନଥାନ୍ତା। ମାତ୍ର ପୁଲିସ ସହ ସମନ୍ବୟ ନଥିବାରୁ ସେଠାରେ ଅଭାବନୀୟ ଘଟଣା ହେଲା ଓ ଏତେବଡ଼ ଅଘଟଣ ଘଟିଲା।

ଠିକ୍‌ ସେହିପରି ଗୁରୁବାର ଇଣ୍ଡୋନେସିଆ ବାଲିର ରାଣୀ ଓ ରାଜ ପ୍ରତିନିଧିମାନେ ଆସିଥିଲେ ଶ୍ରୀମନ୍ଦିରକୁ। ସେମାନେ ହିନ୍ଦୁ କି ନୁହନ୍ତି ତାହା ଚିହ୍ନଟ କରିବାକୁ ଶ୍ରୀମନ୍ଦିର ପ୍ରଶାସନର କେହି ଅଧିକାରୀ ବା ଜେଟିପି ନଥିଲେ। ଜେଟିପି ଅନୁମୋଦନ କରିଥିଲେ ପୁଲିସ ଛାଡ଼ି ପାରିଥାନ୍ତା। ମାତ୍ର ତାହା ବି ହେଲାନାହିଁ। ଯାହାଦ୍ବାରା ରାଜ୍ୟ ଅତିଥିଙ୍କୁ ଘଣ୍ଟାଧିକ କାଳ ଛିଡ଼ା ହେବାକୁ ପଡ଼ିଲା। ଏମିତି ପ୍ରତିଦିନ ଘଟୁଛି ଅଘଟଣ। ଭିତର କେତେକ ଦ୍ବାରରେ ଜେଟିପିଙ୍କ ହାତରେ ରହୁଛି ନିୟନ୍ତ୍ରଣ। ସେପଟେ ଭକ୍ତ ଯାଉଥିବାରୁ ପୁଲିସ ବି ତାହାକୁ ଗ୍ରହଣ କରିପାରୁନି। ପୁଲିସ ସେମାନଙ୍କ ଅତିଥିଙ୍କୁ ନେଇଯିବାକୁ ଜେଟିପି ସହ୍ୟ କରିପାରୁନାହାନ୍ତି। ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହେଲେ ଏହାକୁ ସମାଧାନ କରିବା ଦିଗରେ କାହାର ଆନ୍ତରିକତା ନାହିଁ। ପୁଲିସ ଓ ଜେଟିପି ମଧ୍ୟରେ ବିବାଦ ଦୂର କରିବା ଓ ସମନ୍ବୟ ଭିତ୍ତିରେ ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କି ପୁଲିସ ଉଦ୍ୟମ କରୁନାହିଁ। ୮ବର୍ଷ ପୂର୍ବେ ଥରଟିଏ ସମନ୍ବୟ ବୈଠକ ହୋଇଥଲା। ଏହା ପରେ ଆଉ ସମନ୍ବୟ ପାଇଁ ପଦକ୍ଷେପ ନିଆଯାଇନାହିଁ। ତେଣୁ ସ୍ଥିତି ଗମ୍ଭୀର ହେଉଛି। ଏ ଦିଗରେ ଧ୍ୟାନ ଦିଆନଗଲେ, ଶ୍ରୀମନ୍ଦିର ସ୍ଥିତି ଆହୁରି ବିଗିଡ଼ିଯିବ ବୋଲି ଶ୍ରୀମନ୍ଦିରର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର