ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା : ୩୧ରେ ଶୁଣାଣି କରିବେ ତିନିଜଣିଆ ଖଣ୍ଡପୀଠ

ପୁରୀ : ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ଜନସ୍ବାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତ‌‌ା ୩୧ ତାରିଖରେ ‌େହବ। ପୂର୍ବରୁ ଏହି ମାମଲାର ଶୁଣାଣି ଦୁଇଜଣିଆ ଖଣ୍ଡପୀଠ କରୁଥିବା ବେଳେ ପ୍ରଥମ କରି ଏହି ମାମଲା ତିନିଜଣିଆ ଖଣ୍ଡପୀଠରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। ସୁପ୍ରିମ୍‌କୋର୍ଟ ଜଷ୍ଟିସ୍‌ ମଦନ ବି ଲୋକୁର, ଜଷ୍ଟିସ୍‌ ଏସ୍ ଅବଦୁଲ ନଜିର, ଜ‌ଷ୍ଟିସ୍‌ ଦୀପକ ଗୁପ୍ତା ଏହି ମାମଲାର ଶୁଣାଣି କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେଦିନ ମାନ୍ୟବର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କର‌ାଯିବ। ସତ୍ୟପାଠ ଦାଖଲ ଲାଗି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶ ଦିଲ୍ଲୀ ଯାଇଥିବା ଜଣାପଡିଛି। ପୁରୀ ହିଂସା ପରେ ଆସନ୍ତା ୩୧ ତାରିଖର ଶୁଣାଣି ଗୁରୁତ୍ବ ବହନ କରୁଛି। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆଇନଜୀବୀ ମୃଣାଳିନୀ ପାଢୀ (ଡବ୍ଲୁପିସି ନଂ-୬୪୯)ରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲା‌େର ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହାର ତିନି ଥର ଶୁଣାଣି କରିବା ସହିତ କିଛି ଅନ୍ତରୀଣ ଆଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ଜିଲ୍ଲା ଜଜ୍ ରିପୋର୍ଟ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ଦେଇଥିବା ୧୨ଟି ଅନ୍ତରୀଣ ଆଦେଶ ମଧ୍ୟରୁ ଶ୍ରୀମନ୍ଦିର ପ୍ରଶାସନ ୯ଟି ଆଦେଶକୁ କାର୍ଯ୍ୟକାରୀ କରିଥିବା ‌ବେଳେ ଅନ୍ୟ ଆଦେଶ ଉପରେ ବିଚାର କରୁଛି। ଅନ୍ୟପକ୍ଷରେ ଆମିକସ୍‌କ୍ୟୁରିଙ୍କ ଅନୁଧ୍ୟାନ ପରେ ଅକ୍ଟୋବର ପହିଲାରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ପୁରୀରେ ଗତ ୩ ତାରିଖରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା।

ପ୍ରଶାସନ-ସବ୍ କମିଟି ବୈଠକ ଆଜି : ଧାଡ଼ି ଦର୍ଶନକୁ ନେଇ ହେବ ସମୀକ୍ଷା

ପୁରୀ : ଅକ୍ଟୋବର ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଧାଡି ଦର୍ଶନକୁ ନେଇ ଆସନ୍ତାକାଲି ଏକ ଜରୁରୀ ବୈଠକ ଡକାଯାଇଛି। ବୈଠକରେ ନିର୍ଦି‌ଷ୍ଟ ଭାବେ କିଛି ଏଜେଣ୍ଡା ନ ଥିବା ବେଳେ ଶ୍ରୀମନ୍ଦିର ସଂସ୍କାର ଓ ଧାଡି ଦର୍ଶନକୁ ନେଇ ଆଲୋଚନା‌ ହେବ ବୋଲି ଜଣାପଡିଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଉପସ୍ଥିତ ରହିବେ। ପ୍ରକାଶଥାଉକି, ଅକ୍ଟୋବର ପହିଲାରୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରି ଗତ ୩ ତାରିଖରେ ପୁରୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଆସନ୍ତାକାଲି ଏ ନେଇ ସମୀକ୍ଷା କରାଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର