ଶ୍ରୀମନ୍ଦିର ପ୍ରଶାସନକୁ ଜିଲ୍ଲା ଜଜ୍‌ଙ୍କ ଜବାବ୍‌ ତଲବ : ଶୃଙ୍ଖଳିତ ଦର୍ଶନ ପାଇଁ କ’ଣ ପଦକ୍ଷେପ ନେଇଛ ଜଣାଅ

ପୁରୀ : ଶ୍ରୀମନ୍ଦିର ସଂପର୍କିତ ଏକ ମାମଲାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ପୁରୀ ଜିଲ୍ଲା ଜଜ୍‌ଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିି। ଏହି ପ୍ରସଙ୍ଗରେ ପୁରୀ ଜିଲ୍ଲା ଜଜ୍‌ ଶ୍ରୀମନ୍ଦିର ପ୍ରଶାସନକୁ ବିଭିନ୍ନ ପ୍ରସଙ୍ଗ ଉପରେ ଜବାବ ତଲବ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କି ପ୍ରକାର ପଦକ୍ଷେପ ନିଆଯାଇଛି, ଶ୍ରୀମନ୍ଦିରର ପରିମଳ ବ୍ୟବସ୍ଥା, ଶ୍ରୀମନ୍ଦିରରେ କେତୋଟି କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ଲାଗିଛି ଓ ଏହାର ସ୍ଥିତି କଣ ସେ ସଂପର୍କରେ ଜଣାଇବାକୁ  କୁହାଯାଇଛି। ଏଥିସହିତ ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ପୂର୍ବରୁ କେତୋଟି କମିସନ୍‌ ଗଠନ କରାଯାଇଛି ସେ ସଂପର୍କରେ ମଧ୍ୟ ସୂଚନା ଦେବାକୁ ଜିଲ୍ଲା ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ ଦଇତାଙ୍କ ବୈଠକ

ପୁରୀ : ଦାନଦକ୍ଷିଣା ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଆଜି ଦଇତାମାନଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଦୋଳମଣ୍ଡପ ସାହି ରାଧାବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶୃଙ୍ଖଳିତ ରଥଯାତ୍ରା ଓ ରଥଯାତ୍ରାରେ ଦଇତାମାନଙ୍କ ଦାନଦକ୍ଷିଣା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସୁପ୍ରିମ୍‌କୋର୍ଟଙ୍କ ରାୟ ସହ ଦଇତାଙ୍କ ଦାନଦକ୍ଷିଣାର କୌଣସି ସଂପର୍କ ନଥିବାବେଳେ ଏହା ଉପରେ ଦଇତାମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଦଇତାମାନେ କହିଛନ୍ତି, ବର୍ଷକୁ ଥରେ ରଥଯାତ୍ରା ସମୟରେ ସେମାନଙ୍କ ସେବା ପଡ଼େ। ଏହି ସମୟରେ ଯାହା କିଛି ଦାନଦକ୍ଷିଣା ମିଳେ ସେଥିରେ ଆମେ ବର୍ଷେ ଚଳୁ। ଏହି ସମୟରେ ଦାନଦକ୍ଷିଣା ଉପରେ କୌଣସି କଟକଣା ଜାରି କରାଯିବା ଠିକ ନୁହେଁ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଦଇତାମାନେ କହିଛନ୍ତି। ଆଜିର ଏହି ବୈଠକରେ ଦେବପତି ମହାପାତ୍ର, ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ପ୍ରେମାନନ୍ଦ ଦାସ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ଗଣେଶ ଦାସ ମହାପାତ୍ର, ଦୁର୍ଗାଦାସ, ଚନ୍ଦ୍ରଶେଖର, ବିନାୟକ ଦାସ ମହାପାତ୍ର, କାର୍ତ୍ତିକ ଦାସ ମହାପାତ୍ର, ରାଜା ସ୍ୱାଇଁ, ହଳଧର ଦାସ ମହାପାତ୍ରଙ୍କ ସମେତ ଯୁବ ଦଇତାପତିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର