ମହାପ୍ରଭୁଙ୍କ ସେବାକୁ ବିପଦ : ମୁହାଁମୁହିଁ ହେବାକୁ ଯାଉଛନ୍ତି ପ୍ରଶାସନ-ସେବାୟତ

କୋର୍ଟ ଆଦେଶ ଲାଗୁ ପାଇଁ ଅଣ୍ଟାଭିଡ଼ିଲା ପ୍ରଶାସନ, ତାଲିକା ପ୍ରସ୍ତୁତ, କଟକଣା ଲାଗୁକରିବାକୁ ନିଷ୍ପତ୍ତି; ସେବାୟତଙ୍କ ଧମକ: ଗଜପତିଙ୍କୁ ଫେରାଇ ଦେବୁ ଚାବି

ପୁରୀ : ରଥଯାତ୍ରାରେ କାଳେ ବିଭ୍ରାଟ ଘଟିବ, ସରକାର ଅପବାଦ ମୁଣ୍ଡାଇବେ, ସେଥିପାଇଁ ସମସ୍ତଙ୍କ ଡର ଥିଲା। ଏଣୁ ଶ୍ରୀମନ୍ଦିରରେ ସଂସ୍କାର ନେଇ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଥିଲେ, ତାହାର କାର୍ଯ୍ୟକାରିତା ଲାଗି ପ୍ରଶାସନ ଚାପ ପକାଇନଥିଲା। ଯେହେକୁ ଆସନ୍ତା ମାସରେ କୋର୍ଟରେ ଜବାବ ଦାଖଲ କରିବାକୁ ପଡିବ, ଖୁବ୍‌ଶୀଘ୍ର ଆମିକସ୍‌ କ୍ୟୁରି ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ ପୁରୀ ଆସିବେ, ଏଣୁ ଶ୍ରୀମନ୍ଦିର ପ୍ରଶାସନ ଛାତିରେ ଛନକା ପଶିଛି। କୋର୍ଟଙ୍କ ନିର୍ଦେଶ ଶତପ୍ରତିଶତ ପାଳନ ଲାଗି ପ୍ରଶାସନ ଅଣ୍ଟା ଭିଡିଛି।

ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଛତିଶାନିଯୋଗ ସହିତ ଆଲୋଚନା ବେଳେ ରୋକ୍‌ଠୋକ୍‌ ଜଣାଇ ଦେଇଛନ୍ତି ଯେ ଶ୍ରୀମନ୍ଦିରରେ ଯେଉଁ ଥାଳି, ଗରା, ଅନ୍ନଦାନ ଆଟିକା ଆଦି ରହୁଛି ସେସବୁକୁ ଆଉ କେହି ରଖିପାରିବେନି। କେଉଁ କେଉଁ ସାମଗ୍ରୀ ଶ୍ରୀମନ୍ଦିରକୁ ନିଷିଦ୍ଧ କରାଯାଇଛି ତାର ତାଲିକା ପ୍ରସ୍ତୁତ ସରିଛି। ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସମସ୍ତେ ମାନିବାକୁ ବାଧ୍ୟ। ଯାହାର ଯାହା କହିବାର ଅଛି, ସେ ଆମିକସ୍‌କ୍ୟୁରିଙ୍କ ନିକଟରେ ତଥ୍ୟ ରଖିବେ।

ସେପଟେ ଶ୍ରୀମନ୍ଦିର ପ୍ରଶାସନର ଆଭିମୁଖ୍ୟ ଜାଣି, ସେବାୟତମାନେ ବି ଆଜି ନିଜର କଠୋର ମନୋଭାବ ପ୍ରକଟ କରିଛନ୍ତି। ସିଧା ଧମକାଇଛନ୍ତି, ଯଦି ଦକ୍ଷିଣା ଓ ପ୍ରାପ୍ୟ ପାଇବୁ ନାହିଁ, ତେବେ ଶ୍ରୀମନ୍ଦିର କାହିଁକି ଯିବୁ? ଏକଥା ବି କହିଛନ୍ତି, ସରକାର ସେମାନଙ୍କ କଥା ବିଚାର ନ କଲେ ଶ୍ରୀମନ୍ଦିରର ସମସ୍ତ ଚାବି ଗଜପତିଙ୍କୁ ହସ୍ତାନ୍ତର କରି ଦିଆଯିବ, ତେଣିକି ସରକାର ବୁଝିବେ।
ଆଜିର ବୈଠକର ଏଭଳି ନିଷ୍ପତ୍ତି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ବିଚଳିତ କରିଛି।

ନିର୍ଦିଷ୍ଟ କିଛି ବ୍ୟବସ୍ଥା ନ କରି ପ୍ରଶାସନ ଯେଭଳି ଢଙ୍ଗରେ କାର୍ଯ୍ୟ ଆରମ୍ଭ କରିଛି, ତାହାକୁ କେହି ପସନ୍ଦ କରିପାରିନାହାନ୍ତି। ବର୍ଷ ବର୍ଷ ଧରି ନିଜର ଅପରାଗତାକୁ ଢାଙ୍କିବା ଲାଗି କୋର୍ଟଙ୍କ ଆଦେଶକୁ ପ୍ରଶାସନ ଢାଲି କରିଥିବା କୁହାଯାଉଛି। ଉଭୟ ପ୍ରଶାସନ ଓ ସେବାୟତ ମୁହାଁମୁହିଁ ସ୍ଥିିତିକୁ ଆସିଯାଇଥିବା କାରଣରୁ ଶ୍ରୀମନ୍ଦିରରେ ଯେକୌଣସି ସମୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରିସ୍ଥିତିକୁ ଏଡାଇ ଦେଇ ହେବନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ସଂପର୍କିତ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଦେଇଥିବା ଅନ୍ତରୀଣ ଆଦେଶ ଉପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଛତିଶା ନିଯୋଗ ମଧ୍ୟରେ ଆଲୋଚନା ହୋଇଥିଲା। ମୁଖ୍ୟ ପ୍ରଶାସକ ପର୍ଯ୍ୟାୟ କ୍ରମେ ବିଭିନ୍ନ ସେବାୟତ ନିଯୋଗମାନଙ୍କୁ ଡାକି ମଧ୍ୟ ପୃଥକ ଭାବେ ଆଲୋଚନା କରିଥିଲେ।

ବୈଠକ ପରେ ଆଲୋଚନାର ନିଷ୍ପତ୍ତି ଶୁଣାଇ ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଥିଲେ, ଶ୍ରୀମନ୍ଦିର ଉପରେ ସୁପ୍ରିମ୍‌କୋର୍ଟଙ୍କ ପରବର୍ତୀ ଶୁଣାଣି ଆସନ୍ତା ମାସରେ ରହିଛି। ଆଦେଶର କାର୍ଯ୍ୟକାରିତା ସଂପର୍କରେ ଏକ ସତ୍ୟପାଠ ଚଳିତ ମାସ ଶେଷ ସୁଦ୍ଧା କୋର୍ଟରେ ଦାଖଲ କରାଯିବ। ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଦାନଦକ୍ଷିଣା ବନ୍ଦ ଭଳି ୧୨ଟି ବିଷୟ ଉପରେ ସୁପ୍ରିମ୍‌କୋର୍ଟ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଆଦେଶ ଦ୍ୱାରା ପ୍ରଭାବିତ ହେଉଥିବା ବିଭିନ୍ନ ନିଯୋଗଠାରୁ ମତାମତ ଲୋଡ଼ାଯାଇଛି। ଯାହାର କିଛି ପକ୍ଷ ରଖିବାର ଅଛି ମାସେ ଭିତରେ ସତ୍ୟପାଠ ଜରିଆରେ ଜଣାଇବାକୁ ପରାମର୍ଶ ଦିଆଯାଇଛି।

ମୁଖ୍ୟ ପ୍ରଶାସକ କହିଥିଲେ, ରୋଷ ଘର, ଚୁଲାକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରଖିବାକୁ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ରହିଛି। ଖୁବ୍‌ଶୀଘ୍ର ଏହାକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ଅଧୀନକୁ ଆଣିବ। ଏ ସଂପର୍କରେ ସୁଆର ମହାସୁଆର ନିଯୋଗକୁ ସପ୍ତାହକ ଭିତରେ ମତାମତ ରଖିବାକୁ କୁହାଯାଇଛି। କୋର୍ଟ ଆଦେଶ ଦ୍ୱାରା ବିଶେଷ ପ୍ରଭାବିତ ହେଉଥିବା ପୂଜାପଣ୍ଡା, ସୁଆର ମହାସୁଆର, ଭିତର ସେବାୟତ ନିଯୋଗ, ପ୍ରତିହାରୀ, ଖୁଣ୍ଟିଆ ମେକାପ, ପତ୍ରିବଡ଼ୁ, ସୁଆରବଡ଼ୁ, ଚୁନରା ସେବକ ପ୍ରମୁଖଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇଛି। ନିକଟରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ପୁରୀ ଆସୁଥିବା ବେଳେ ଯାହାର କିଛି ପକ୍ଷ ରଖିବାର ଅଛି କିମ୍ବା କାଗଜପତ୍ର ଦେବାର ଅଛି ସେଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ସୁପ୍ରିମ୍‌କୋର୍ଟଙ୍କ ଆଦେଶର ୧, ୨ ଓ ୧୨ ନମ୍ବର ଟିପ୍ପଣୀ ବଂଶାନୁକ୍ରମିକ ସେବା ବନ୍ଦ, ଶ୍ରୀମନ୍ଦିର ଆଇନରେ ପରିବର୍ତନ ଆଦି ସଂପର୍କରେ ପରବର୍ତୀ ସମୟରେ ଆଲୋଚନା ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ବାକି ସମସ୍ତ ଆଦେଶ କିପରି କାର୍ଯ୍ୟକାରୀ ହୋଇପାରିବ ତା’ ଉପରେ ସମସ୍ତଙ୍କୁ ଅବଗତ କରାଯାଇଛି।

କୋର୍ଟଙ୍କ ନିର୍ଦେଶ ଅନୁସାରେ, ଏଣିକି ଶ୍ରୀମନ୍ଦିର ରୋଷଘର ଓ ଚୁଲା ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିବ। ନିଜେ ଶ୍ରୀମନ୍ଦିର ପ୍ରଶାସନ ଏହାର ପରିଚାଳନା କରିବ। ଯେଉଁ ସେବାୟତମାନଙ୍କ ଅଧୀନରେ ଚୁଲା ସବୁ ରହିଛି ସେମାନଙ୍କ ଲାଗି ବାର୍ଷିକ ଟେଣ୍ଡର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରରେ ଥାଳି, ଗରା, ଅନ୍ନଦାନ ଆଟିକା ପ୍ରଭୃତି ନିଷିଦ୍ଧ କରାଯିବ। ଅରୁଣ ସ୍ତମ୍ଭଠାରୁ ଆରମ୍ଭ କରି ଗରୁଡ଼ ସ୍ତମ୍ଭ, ଭିତରକାଠ ପର୍ଯ୍ୟନ୍ତ ଚୁନରା, ପୂଜାପଣ୍ଡା, ଖୁଣ୍ଟିଆ ମେକାପ, ପତ୍ରିବଡ଼ୁ, ସୁଆରବଡ଼ୁ ସେବକମାନେ ଯେଉଁ ଦାନଦକ୍ଷିଣା ଆଦାୟ କରୁଛନ୍ତି ତା ଉପରେ ବି ରୋକ୍‌ ଲାଗିବ। ସେହିପରି ଆନନ୍ଦ ବଜାରରେ ଅବଢ଼ା, ଓଳି ଆଦିର ଦର ତାଲିକା ଲାଗିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର