ଠାକୁରଙ୍କୁ ମିଳିଲାନି ବାଟ, ଅଟକିଗଲା ନୀତି

ପୁରୀ : ସାମୁଦ୍ରିକ ଝଡ଼ ‘ଫନି’ ପୁରୀରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି। ଚାରିଆଡ଼େ ରଚାଇଛି ତାଣ୍ଡବ। ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି ତ ଘର ଭୁଶୁଡ଼ି ଯାଇଛି। ଅନେକ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି। ଏପରିକି ଆଜି ଅମାବାସ୍ୟା ନାରାୟଣଙ୍କୁ ସାଗର ବିଜେ ପାଇଁ ବାଟ ମିଳିନଥିଲା। ସେବକ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ବାଟ ଖୋଜି ବୁଲିଥିଲେ। ନୀତି ପ୍ରାୟ ୩ ଘଣ୍ଟା ଅଟକି ରହିଥିଲା।

‘ଫନି’ ଦ୍ବାରା ପୁରୀର ଅନେକ ରାସ୍ତା ବନ୍ଦ ରହିଛି। ବିଶେଷ କରି ସାହି ଗୁଡ଼ିକର ରାସ୍ତା ଖୋଲିବାକୁ ପ୍ରଶାସନ ସକ୍ଷମ ହୋଇ ପାରିନାହିଁ। ବାଲିସାହି ରାସ୍ତାରେ ସନ୍ଧ୍ୟା ପର୍ଯ୍ୟନ୍ତ ବିଜୁଳି ଖୁଣ୍ଟ ପଡ଼ି ରହିଥିଲା। ହରଚଣ୍ଡୀ ସାହି ରାସ୍ତା ବି ଖାଲି ନଥିଲା। ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାସ୍ତା ମିଳିନଥିଲା।

ଆଜି ଅମାବାସ୍ୟା। ପରମ୍ପରା ଅନୁଯାୟୀ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ରହିଛି। ସକାଳ ଧୂପ ପରେ ଅମାବାସ୍ୟା ନାରାୟଣ ସାଗର ବିଜେ ନୀତି ପାଇଁ ବାହାରିବା କଥା। ମାତ୍ର ଠାକୁରଙ୍କୁ ରାସ୍ତା ମିଳିନଥିଲା। ଫଳରେ ଠାକୁର ବିଜେ ହୋଇ ପାରିନଥିଲା। ଅପରାହ୍ନ ୩ଟା ବେଳକୁ କମାଣ୍ଡର ରବି ମିଶ୍ର ଏବଂ ଅନ୍ୟମାନେ ମିଶି ଠାକୁରଙ୍କ ବିଜେ ରାସ୍ତା ତଦାରଖ କରିଥିଲେ। ଏହା ପରେ ସାଢ଼େ ୪ଟା ପରେ ଠାକୁରଙ୍କ ବିଜେ ନୀତି ହୋଇଥିଲା। ବାଲିସାହି ଦେଇ ଦିଅଁ ବିଜେ ହୋଇଥିଲେ ଏବଂ ହରଚଣ୍ଡୀ ସାହି ଦେଇ ବାହୁଡ଼ିଥିଲେ।

ସମ୍ବନ୍ଧିତ ଖବର