ରାତି ପାହିଲେ ଖୋଲିପାରେ ରତ୍ନ ଭଣ୍ଡାର ! ୪୦ବର୍ଷ ତଳର ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ସମ୍ପର୍କିତ ତାଲିକା

ପୁରୀ: ଆସନ୍ତା ସୋମବାର ଦିନ ରହସ୍ୟମୟ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିପାରେ। ବର୍ଷ ବର୍ଷ ଧରି ବନ୍ଦ ପଡିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ତନାଘନା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଫିଟିବା ନେଇ ସମୟ ଯେତିକି ପାଖେଇ ଆସୁଛି ବିଭିନ୍ନ ମହଲରୁ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି ।

୧୯୭୮ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟ ଦ୍ୱାରା ପ୍ରସ୍ତୁତ ରତ୍ନଭଣ୍ଡାରରେ ଗଚ୍ଛିତ ସୁନା, ରୂପା ଓ ରତ୍ନଖଚିତ ଅଳଙ୍କାରର ଏକ ତାଲିକା ସାମ୍ନାକୁ ଆସିିଛି। ୧୯୭୮ ମସିହା ମେ’ ମାସରୁ ଜୁଲାଇ ମାସ ମଧ୍ୟରେ ଅଳଙ୍କାରଗୁଡିକୁ ଗଣନା କରାଯାଇ ହିସାବ କରାଯାଇଥିଲା। ଏହି ତାଲିକା ଅନୁସାରେ ବାହାର ଭଣ୍ଡାରରେ ୭୯ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଯାହାର ଓଜନ ପାଖାପାଖି ୯୫ କେଜି ବୋଲି ଦର୍ଶାଯାଇଛି । ଏହା ସହ ରହିଛି ପ୍ରାୟ ୫୫ କେଜି ଓଜନର ରୁପା ସାମଗ୍ରୀ । ସେହିପରି ଚଳନ୍ତି ଭଣ୍ଡାରରେ ରହିଛି ପାଖାପାଖି ସାଢ଼େ ୩ କେଜି ସୁନା ଅଳଙ୍କାର । ଜଗନ୍ନାଥଙ୍କ ସୁନା ବେଶ ସମୟରେ ବାହାର ଭଣ୍ଡାର ଘରୁ ଯାଇଥାଏ ଅଳଙ୍କାର ।

ସବୁଠାରୁ ଅଧିକ ରହସ୍ୟ ଭିତର ଭଣ୍ଡାରକୁ ନେଇ । ଭିତର ଭଣ୍ଡାରରେ କେତୋଟି ଗୃହ ରହିଛି, ଏ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । କୁହାଯାଉଛି, ଭିତର ଭଣ୍ଡାରର ସମସ୍ତ ଗୃହ ଏପର୍ଯ୍ୟନ୍ତ ଖୋଲିବାକୁ କେହି ସାହସ କରି ନାହାନ୍ତି ।

ଐତିହ୍ୟ ବିଶାରଦ ସୁରେନ୍ଦ୍ର ମିଶ୍ର କୁହନ୍ତି ୫୯୮ ପ୍ରକାର ଅଳଙ୍କାର ଭିତର ଭଣ୍ଡାରରେ ରହିଛି । ସୁନା, ରୂପା ଠାରୁ ଆରମ୍ଭ କରି ହୀରା, ଲୀଳା, ମୋତି, ମାଣିକ୍ୟ, ବୈଦୁୁର୍ଯ୍ୟ ଆଦି ଦୁର୍ଲଭ ରତ୍ନ ଗଚ୍ଛିତ ରହିଛି ଭିତର ଭଣ୍ଡାର ଘରେ । ରତ୍ନଭଣ୍ଡାରର ଉଚ୍ଚତା କମ୍‌ ଓ ଭିତର ଘନ ଅନ୍ଧକାରମୟ। ଶୁଣିବାକୁ ମିଳେ ତୃତୀୟ ଓ ଚତୁର୍ଥ ଭଣ୍ଡାର ଖୋଲିବାକୁ ଇଂରେଜ ଶାସନ ଅମଳରେ ଜଣେ ଜିଲ୍ଲାପାଳ ଉଦ୍ୟମ କରିଥିଲେ, ହେଲେ ମହାବିପଦ ମାଡିଆସିବାରୁ ଏଥିରେ ସେ ନିବୃତ ରହିଥିଲେ ।

ଐତିହ୍ୟ ବିଶାରଦ ସୁରେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ଇଂରେଜ ଶାସନ ସମୟରେ ଯେଉଁ ଜିଲ୍ଲାପାଳ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ ତାଙ୍କର ପୁଅ ଖୁବ କମ ବୟସରେ ପ୍ରାଣ ହରାଇଥିଲେ । ଏହାସହ ରାତିରେ ସେ ମଧ୍ୟ ଅଜବ ଅଜବ ସ୍ୱପ୍ନ ଦେଖୁଥିଲେ । ଶେଷରେ ଅଧିକ ଅଘଟଣ ଆଶଙ୍କା କରି ରତ୍ନଭଣ୍ଡାର ଖୋଲିବା ନିଷ୍ପତିକୁ ପ୍ରତ୍ୟାହାର କରିନେଇଥିଲେ ଜିଲ୍ଲାପାଳ ।

ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ଜଗିଥାନ୍ତି ବୋଲି ଲୋକକଥା ରହିଛି । କୁହାଯାଏ, ଯେଉଁ ସମୟରେ ବହୁ ଦ୍ୱାର ବିଶିଷ୍ଟ ଭିତର ଭଣ୍ଡାରକୁ ଖୋଲିବାକୁ ଉଦ୍ୟମ ହୋଇଛି ବହୁ ବାଧାବିଘ୍ନ ଘଟିଛି । ଅବଶ୍ୟ ଏହାର କିଛି ପ୍ରମାଣ ଲିପିବଦ୍ଧ ହୋଇନାହିଁ ।

ସମ୍ବନ୍ଧିତ ଖବର