ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ଜଷ୍ଟିସ ରଘୁବୀର ଦାଶ କମିସନଙ୍କ ବୈଠକ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଚାରବିଭାଗୀୟ ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାଶ କମିସନ୍‌ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ପୁରୀ ଟ୍ରେଜେରି ଅଫିସରଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। ପୂର୍ବରୁ ଜିଲ୍ଲାପାଳ ଓ ମନ୍ଦିର ମୁଖ୍ୟ ପ୍ରଶାସକ କମିସନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠକୁ ତର୍ଜମା କରାଯାଇଛି। ଏହା ପରେ କମିସନ୍‌ କେତେକ ନିର୍ଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଟ୍ରେଜେରି ଅଫିସରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଅଗଷ୍ଟ ୨୯ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ ପାଇଁ ତିନି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଆଜି କମିସନଙ୍କ ବୈଠକ କଟକ ସର୍କିଟହାଉସଠାରେ ଅନୁଷ୍ଠିତ ହୋଇଛି। କମିସନ୍‌ ଅଧ୍ୟକ୍ଷ ଜଷ୍ଟିସ ରଘୁବୀର ଦାଶ, ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ୱତନ୍ତ୍ର ଓକିଲ ଅଯୋଧ୍ୟା ରଂଜନ ଦାଶଙ୍କ ସହିତ ଆଲୋଚନା କରିଥିଲେ। ପୁରୀ ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଓ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ସହକାରୀ ଜିଲ୍ଲାପାଳ ମଧ୍ୟ ଆଜି ଉପସ୍ଥିତ ଥିଲେ। କମିସନଙ୍କ ନିକଟରେ ଦାଖଲ କରାଯାଇଥିବା ୭ଟି ସତ୍ୟପାଠ ଅନୁଧ୍ୟାନ କରିବା ପରେ ଆଇନଜୀବୀ ଶ୍ରୀ ଦାଶ ଏଥିରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ କମିସନଙ୍କୁ ଅବଗତ କରିଥିଲେ। ଏଥି ସହିତ ଟର୍ମସ୍‌ ଅଫ୍‌ ରେଫରେନ୍ସ ଆଧାରରେ ତଦନ୍ତ ପାଇଁ ଆଉ କେଉଁ ତଥ୍ୟ ଆବଶ୍ୟକ ସେ ନେଇ ଆଜି ଆଲୋଚନା ହୋଇଥିଲା। ଅଗଷ୍ଟ ୨୯ରେ କମିସନଙ୍କ ପରବର୍ତ୍ତୀ ବୈଠକ କଟକଠାରେ ବସିବ ବୋଲି ଧାର୍ଯ୍ୟ କରାଯାଇଛି।

କମିସନଙ୍କ ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ପୁରୀର ସମାଜସେବୀ ରାଜକୁମାର ମହାନ୍ତି, ଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସମେତ ୭ ଜଣ ସତ୍ୟପାଠ ଦାଖଲ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ କମିସନଙ୍କ ନିକଟରେ ସତ୍ୟପାଠ ସହିତ କେତେକ ନଥିପତ୍ରର ନକଲ ମଧ୍ୟ ଦାଖଲ କରିଥିଲେ। ସତ୍ୟପାଠ ଗୁଡିକର ନକଲ ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ୱତନ୍ତ୍ର ଓକିଲ ଅଯୋଧ୍ୟା ରଂଜନ ଦାଶଙ୍କୁ ଅନୁଧ୍ୟାନ ପାଇଁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର