କମିସନ୍‌ ଦେଲେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ

ଶ୍ରୀମନ୍ଦିର ପରିଚାଳନା ସଂସ୍କାର ପ୍ରସଂଗ

କଟକ : ପୁରୀ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ତଦନ୍ତ କମିସନ ଆଜି ସରକାରଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ବିଧାନସଭା ପରିସରରେ ଆଇନମନ୍ତ୍ରୀଙ୍କୁ ବନ୍ଦ୍‌ ଲଫାପାରେ ଅନ୍ତରୀଣ ରିପୋର୍ଟ କମିସନଙ୍କ ସଚିବ ବିଭୁ ପ୍ରସାଦ ପରିଜା ପ୍ରଦାନ କରିଛନ୍ତି। ୪୮ ପୃଷ୍ଠାର ଏହି ରିପୋର୍ଟରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ଅନ୍ତରୀଣ ରିପୋର୍ଟ ସଂପର୍କରେ ଜଷ୍ଟିସ ବିମଳ ପ୍ରସାଦ ଦାସ କହିଛନ୍ତି ଯେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଇତିହାସର ପ୍ରଚାର ପ୍ରସାର ଉପରେ ଏହି ରିପୋର୍ଟ ପ୍ରଦାନ କରାଯାଇଛି। ଜଗନ୍ନାଥ ସଂସ୍କୃତି ସହିତ ଜଡିତ ରାଜ୍ୟର ବିଭିନ୍ନ ସ୍ଥାନର କିଭଳି ପ୍ରଚାର ପ୍ରସାର ହୋଇ ପାରିବ ସେ ସଂପର୍କରେ ବିସ୍ତତ ରିପୋର୍ଟ ପ୍ରଦାନ କରାଯାଇଛି। ତୃତୀୟ ରିପୋର୍ଟ ଜଗନ୍ନାଥ ସେବକଙ୍କ କଲ୍ୟାଣ ଓ ଶ୍ରୀମନ୍ଦିରର ସଂସ୍କାରକୁ ନେଇ ଥିବା ଅନ୍ୟ କେତେକ ପ୍ରସଂଗରେ ପ୍ରଦାନ କରାଯିବ ବୋଲି ଜଷ୍ଟିସ୍‌ ଦାସ କହିଛନ୍ତି। ପୁରୀ ଶ୍ରୀଜଗନ୍ନାଥଙ୍କ ସହିତ ରାଜ୍ୟର ବହୁ ସ୍ଥାନର ସଂପର୍କ ରହିଛି। ଏହି ସବୁ ଐତିହାସିକ ସ୍ଥାନ ଶ୍ରୀଜଗନ୍ନାଥଙ୍କ ସହିତ ସିଧାସଳଖ ଜଡିତ ହୋଇଥିବା ବେଳେ ପ୍ରଚାର ପ୍ରସାର ଅଭାବରୁ ଲୋକଲୋଚନକୁ ଆସି ପାରୁ ନାହିଁ ଓ ଅବହେଳିତ ଅବସ୍ଥାରେ ରହିଛି। ରିପୋର୍ଟରେ ପ୍ରଦାନ କରାଯାଇଥିବା ପରାମର୍ଶ କାର୍ଯ୍ୟକାରୀ କରି ସରକାର ଜଗନ୍ନାଥଙ୍କ ସହିତ ଜଡିତ ପୀଠ ଗୁଡିକର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ଜଗନ୍ନାଥ ସଂସ୍କୃତିିର ଉପଯୁକ୍ତ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୭, ଏପ୍ରିଲ ୨୦ ତାରିଖରେ କମିସନ୍‌ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ୬୦ ପୃଷ୍ଠାର ଏହି ରିପୋର୍ଟରେ ଶ୍ରୀମନ୍ଦିରର ନିରାପତ୍ତା, ସୁରକ୍ଷା ବ୍ୟବସ୍ଥା, ପର୍ବପର୍ବାଣୀ ଓ ନୀତିକାନ୍ତି ସମୟରେ ଶୃଙ୍ଖଳା ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ରିପୋର୍ଟ ପ୍ରସ୍ତୁତି ପୂର୍ବରୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ବ୍ୟାପକ ପ୍ରସଂଗକୁ କମିସନ୍‌ ଗୁରୁତ୍ୱ ଦେଇଥିଲେ। ଗତ ଅଗଷ୍ଟ ମାସରେ କମିସନ୍‌ଙ୍କ କଳାବିକାଶ କେନ୍ଦ୍ର ନିକଟସ୍ଥ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ତଥା ବାହାରେ ଜଗନ୍ନାଥ ସଂସ୍କୃତି ପ୍ରସାର କିପରି ବ୍ୟାପକ ହୋଇ ପାରିବ ତା ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବହୁ ଧର୍ମସ୍ଥାନ ଅବହେଳିତ ଅବସ୍ଥାରେ ରହିଛି। ଏଭଳି ସବୁ ପୀଠର ରକ୍ଷଣାବେକ୍ଷଣ, ସୁରକ୍ଷା ଓ ପ୍ରଚାର ପ୍ରସାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହିତ ପଞ୍ଚସଖାଙ୍କ ପୀଠର ଉନ୍ନତିକରଣ ଓ ସେହି ପୀଠସବୁକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ସେ ପ୍ରସଂଗରେ ବିଚାର ବିମର୍ଶ କରାଯାଇଥିଲା।

ବୈଠକରେ ସବଜେକ୍ଟ ସ୍ପେଶାଲିଷ୍ଟ ମହିମୋହନ ତ୍ରିପାଠୀ, ଇନଟାକ୍‌ର ବରିଷ୍ଠ ଅଧିକାରୀ, ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ, ଆଇନଜୀବୀ, ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହିତ ବିଶିଷ୍ଟ ଶିକ୍ଷାବିତ ଓ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଏଥି ସହିତ କମିସନଙ୍କ ନିକଟରେ ଦାଖଲ ସତ୍ୟପାଠ ଓ ପ୍ରସ୍ତାବ ଗୁଡିକ ମଧ୍ୟ ଯାଞ୍ଚ କରାଯାଇଥିଲା। ଏଥିରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପ୍ରସଂଗରେ ଯେଉଁ ପରାମର୍ଶ ଓ ପ୍ରସ୍ତାବ ରହିଥିଲା ସେ ଗଡିକୁ ମଧ୍ୟ ତର୍ଜମା କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୁରୀ ପୁଲିସ, ବନ ବିଭାଗ, ଏଏସଆଇ, ବନ ବିଭାଗ, ପର୍ଯ୍ୟଟନ ବିଭାଗ ଓ ଅନ୍ୟ କେତେକ ବିଭାଗ ନିକଟରୁ ମିଳିଥିବା ରିପୋର୍ଟ, ସତ୍ୟପାଠରେ ପ୍ରଦାନ କରାଯାଇଥିବା ପ୍ରସ୍ତାବ ଓ ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶକୁ ବିଚାରକୁ ନେଇ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟରେ ପରାମର୍ଶ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ଏଠାରେ ସୂଚନା ଯୋଗ୍ୟ ଯେ ନୀଳାଦ୍ରିବିଜେ ବିଶୃଙ୍ଖଳା ପରେ ୨୦୧୬, ଜୁଲାଇ ୨୧ରେ ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଓ ଭକ୍ତମାନଙ୍କ ସୁରକ୍ଷା ସଂପର୍କରେ ତଦନ୍ତ କରି ପରାମର୍ଶ ପ୍ରଦାନ ପାଇଁ ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ ନେଇ ଘୋଷଣା କରିଥିଲେ। ଜୁଲାଇ ୨୩ରେ କମିସନ ବସିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ତଦନ୍ତ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀ ତାଙ୍କୁ ସହଯୋଗ କରିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର