ବାତ୍ୟା ଆଶଙ୍କା: ପୁରୀ-ଜଗତସିଂହପୁର-କେନ୍ଦ୍ରାପଡ଼ା ଜିଲ୍ଲାରେ ୨ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛି। ଜିଲ୍ଲା ପ୍ରଶାସନର ଘୋଷଣା ଅନୁସାରେ ନଭେମ୍ବର ୮ ରୁ ୯ ତାରିଖ ଯାଏଁ ଦୁଇ ଦିନ ପାଇଁ ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସମସ୍ତ ସ୍କୁଲ-କଲେଜ ଛୁଟି ରହିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ କରି ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ୮ ତାରିଖ ସକାଳୁ ସମୁଦ୍ର ଅଶାନ୍ତ ରହିବା ସହ ବର୍ଷା ଆରମ୍ଭ ହୋଇଯିବ। ବାତ୍ୟା ପ୍ରଭାବରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଂଜ ଜିଲ୍ଲାରେ ବର୍ଷା ହେବ। ନଡ଼ାଛପର ଘର ଭାଙ୍ଗିଲା ଭଳି ପବନ ହେବାକୁ ଥିବା ବେଳେ ବିଦ୍ୟୁତ, ଟେଲିଫୋନ୍‌ ଲାଇନ୍‌ ପ୍ରଭାବିତ ହେବାର ଅନୁମାନ କରାଯାଉଛି। ବାତ୍ୟା ବଙ୍ଗୋପସାଗର ଉପର ଦେଇ ବାଲାଂଦେଶ ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ୯ ତାରିଖ ସକାଳେ ପବନର ଘଣ୍ଟା ପିଛା ବେଗ ୫୫ରୁ ୬୫ କିଲୋମିଟର ରହିବ। ସେହିଭଳି ଅପରାହ୍ନରେ ଘଣ୍ଟା ପିଛା ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ।

ବାତ୍ୟା ଯୋଗୁଁ ଅଶାନ୍ତ ହେବାକୁ ଥିବା ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ଉପଦେଶ ଦିଆଯାଇଛି। ଆହୁରି କୁହାଯାଇଛି କି, ଯେଉଁମାନେ ସମୁଦ୍ରକୁ ମାଛମାରି ଯାଇଛନ୍ତି, ସେମାନେ ଫେରିଆସନ୍ତୁ।

ସମ୍ବନ୍ଧିତ ଖବର