ମେରାଇନ ଡ୍ରାଇଭ୍‌ ରାସ୍ତା ଧସିଲା ପରେ ଚିନ୍ତା ପଶିଲା; ବାଉଁଶ, ବାଲିବସ୍ତା ଦେଇ ଚାଲିଛି ତାଳିପକା ମରାମତି କାମ

ପୁରୀ/କୋଣାର୍କ : ପୂର୍ବରୁ ଯାହା ଆକଳନ କରାଯାଉଥିଲା, ତାହା ହିଁ ହୋଇଛି। ବାଲିମାଫିଆ-ରାଜସ୍ବ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଆଜି ଚନ୍ଦ୍ରଭାଗା ଓ ଆଖାପାଖ ଅଞ୍ଚଳବାସୀଙ୍କ ପାଇଁ ବିପତ୍ତି ଆଣି ଦେଇଛି। ପ୍ରଶାସନିକ ଅବହେଳା ପାଇଁ ସମୁଦ୍ର ଜୁଆର କୂଳ ଲଂଘି ରାମଚଣ୍ଡୀ-ଚନ୍ଦ୍ରଭାଗା ମଝି ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା(ଜାତୀୟ ରାଜପଥ)କୁ ଧୋଇନେଇଛି। ଜୁଆର ପାଣି ରାସ୍ତାରେ ଲହଡ଼ି ଭାଙ୍ଗିଛି। କ୍ରମାଗତ ସମୁଦ୍ର ଜୁଆର ରାସ୍ତାରେ ପିଟି ହେବା ଫଳରେ ରାସ୍ତା ପତନଠାରୁ ୨୦ ଫୁଟ ତଳ ପର୍ଯ୍ୟନ୍ତ ବାଲିକୁ ସମୁଦ୍ର ଗର୍ଭକୁ ଚାଲିଯାଇଛି। ରାତି ହେଲେ ସମୁଦ୍ର ଭୟଙ୍କର ରୂପ ନେଉଛି। ଯାହା ଆଜି କେବଳ ପୁରୀ-କୋଣାର୍କ ମେରାଇନ୍‌ ରାସ୍ତା, ଆଖପାଖ ଜନବସତି ପାଇଁ ଭୟଙ୍କର ବିପଦର କାରଣ ହେବାକୁ ଯାଉଛି। ସେପଟେ ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର ବଦଳରେ ତାଳିପକା କାମ କରି ଦାୟିତ୍ବ ଓହ୍ଲାଇଦେବାକୁ ଉଦ୍ୟମ ଚଳାଇଛି। ଏତେ ବଡ଼ ସଂକଟକୁ ପୂର୍ଣ୍ଣିମାର ପ୍ରଭାବ କହି ହାଲୁକା ଭାବେ ନେବା ସହ ବାଉଁଶ, ବସ୍ତା ଦେଇ ସମୁଦ୍ର ଜୁଆରକୁ ଅଟକାଇବାକୁ ଚେଷ୍ଟା କରୁଛି। ଅନ୍ୟପଟେ ବେଳାମାର୍ଗରେ ଏବେ ବି ବାଲିଝଡ଼ ଜାରି ରହିଛି। ବାଲିଝଡ଼ର ପ୍ରଖରତା ଏତେ ଯେ ଲୋକେ ଏହି ରାସ୍ତାରେ ଛିଡ଼ା ହେବା କଷ୍ଟକର ହୋଇପଡ଼ୁଛି।

କୂଳ ଲଂଘିଲା ସମୁଦ୍ର
ଭୁଶୁଡ଼ିଲା ପ୍ରାଚୀନ ପଥର ପ୍ରାଚୀର, ବିଦ୍ୟୁତ୍‌ ଖୁଣ୍ଟ
ଧୋଇନେଲା ୩୦୦ ମିଟର ରାସ୍ତା

ଗତ କିଛିଦିନ ହେଲାଣି କ୍ରମାଗତ ଭାବେ ରାମଚଣ୍ଡୀ-ଚନ୍ଦ୍ରଭାଗା ମଝି ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତାକୁ ସମୁଦ୍ର ଧୋଇ ନେଉଥିବା ଦୃଷ୍ଟିଗୋଚର ହୋଇଥିଲା। ଏ ସଂପର୍କରେ ‘ସମ୍ବାଦ’ରେ ବି ବାରମ୍ବାର ଖବର ପ୍ରକାଶ ପାଇଥିଲା। କିନ୍ତୁ ପ୍ରଶାସନ ଏହାକୁ ଗୁରୁତ୍ବ ଦେଇନଥିଲା। ଫଳରେ ଆଜି ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା(ଇକୋ ରିଟ୍ରିଟ ସ୍ଥଳ ପାଖକୁ ଲାଗି)କୁ ସମୁଦ୍ର ଜୁଆର ଧୋଇ ନେଇଛି। ଏହି ରାସ୍ତାର ଗୋଟିଏ ପାର୍ଶ୍ବ(ସମୁଦ୍ର ପାର୍ଶ୍ବ)ରୁ ପ୍ରାୟ ୩୦୦ ମିଟର ରାସ୍ତା, ଏହା ଫାଖ ବାଲିକୁ ଅଶାନ୍ତ ଜୁଆର ସମୁଦ୍ର ଗର୍ଭକୁ ଟାଣିନେଇଛି। ଜୁଆର ମାଡ଼ରେ ବାଲି ଓ ରାସ୍ତା ଧସିବାରୁ ଦଶନ୍ଧି ପୁରୁଣା ପଥର ପ୍ରାଚୀର ବି ଭୁଶୁଡ଼ିପଡ଼ିଛି। ବେଳାଭୂମି ରାସ୍ତାକଡ଼ରେ ଥିବା ୩ଟି ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ଫଳରେ ରାସ୍ତା ଉପରୁ ଠିଆ ହେଲେ, ପ୍ରାୟ ୨୦ ଫୁଟରୁ ଅଧିକ ତଳେ ବେଳାଭୂମିର ବାଲି ରହିଥିବା ଦେଖିବାକୁ ମିଳିଛି। କେବଳ ଏହି ଜାଗା ନୁ‌ହେଁ, ଅନ୍ୟାନ୍ୟ ସ୍ଥାନରେ ବି ରାସ୍ତା ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ସମୁଦ୍ର ଜୁଆର ମାଡ଼ରେ ରାସ୍ତା ଧୋଇଯିବା ପରେ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗ ମିଶି ବଲ୍ଲା ପୋତି, ବାଲି ବସ୍ତା ସହ ଟିଣ ଦେଇ ରାସ୍ତାକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି। ଆଜି ଉପଜିଲ୍ଲାପାଳ ଭବତାରଣ ସାହୁ, ସ୍ଥାନୀୟ ତହସିଲଦାର ସେକ୍‌ ସାଗୀର, ଅତିରିକ୍ତ ତହସିଲଦାର ଶରତ ପରିଡ଼ା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।


କିନ୍ତୁ ଏହି କାମ ବିଫଳ ଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଜିଓ ସିନ୍ଥେଟିକ ପଥର ପ୍ରାଚୀର ଏହାର ଏକମାତ୍ର ସ୍ଥାୟୀ ପ୍ରତିକାର ବୋଲି କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ପୂର୍ବରୁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାଠାରୁ ସମୁଦ୍ର ଜୁଆର ପ୍ରାୟ ୩ଶହ ମିଟର ଦୂରରେ ଲହଡ଼ି ଭାଙ୍ଗୁଥିଲା। ଏହି ରାସ୍ତାକୁ ପ୍ରାୟ ୩ଶହ ମିଟରର ଝାମୁଗଛ ଘେରା ବାଲିବନ୍ତ ସୁରକ୍ଷା ଦେଇ ଆସୁଥିଲା। କାଳକ୍ରମେ ସମୁଦ୍ର ବେଳାଭୂମିରୁ ବାଲି ଚୋରା ଚାଲାଣ ଓ ଅନ୍ୟାନ୍ୟ କାରଣ ପାଇଁ ଏହି ରାସ୍ତା କଡ଼ରେ ଥିବା ବାଲିବନ୍ତ, ଝାମୁଗଛ ସବୁ ଧୋଇଗଲା। ଯେଉଁ ସମୟରେ ବାଲିବନ୍ତ ତାଡ଼ି ବାଲି ଚୋରା ଚାଲାଣ ଚାଲିଥିଲା ଓ ସମୁଦ୍ର ଜୁଆର କ୍ରମେ ଆଗକୁ ଆଗକୁ ମାଡ଼ି ଆସୁଥିଲା, ‌ସେ ସମୟରେ ବାରମ୍ବାର ପ୍ରଶାସନର ଦୃଷ୍ଟିଆକର୍ଷଣ କରାଯାଇଛି। ବାଲି ଚୋରାଚାଲାଣ ରୋକିବାକୁ କୁହାଯାଇଛି। ସମୁଦ୍ର ଜୁଆର ଅଟକାଇବାକୁ ଜିଓ ସିନ୍ଥେଟିକ୍‌ ପ୍ରାଚୀର ନିର୍ମାଣ ପାଇଁ ବି ଦାବି ହୋଇଛି। କିନ୍ତୁ କେହି ଶୁଣିଲେଣି। ପରେ ସମୁଦ୍ର ଆଜି ରାସ୍ତା ଛୁଇଁଲାଣି। ଇକୋ ରିଟ୍ରିଟ ଆୟୋଜନ ସ୍ଥଳଠାରୁ କୋଣାର୍କ ଆଡ଼କୁ ଅସ୍ଥାୟୀ କଇଁଛ ସୁରକ୍ଷା ଶିବିର ଦେଇ ଚନ୍ଦ୍ରଭାଗା ବଜାର ଓ ନୋଳିଆ ସାହିଠାରୁ ତଣ୍ଡାହାର ଦେଇ ପ୍ରବାହିତ ସମୁଦ୍ର ବିଭିନ୍ନ ସ୍ଥାନରେ କୂଳ ଖାଇ ଅତଡ଼ା ଖସିବା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ଯେଉଁଠି ବେଳାଭୂମିର ମଜା ଉଠାଉଥିଲେ, ଏବେ ସେଠାରେ ପାଦ ଥୋଇବା ବିପଦଜନକ ହୋଇପଡ଼ିଛି ଲୋକେ କହିଛନ୍ତି।

ସୂଚନାଯୋଗ୍ୟ, ବେଳାଭୂମିରୁ ବାଲିଝଡ଼ରେ ହେଉଥିବା ମୂର୍ତ୍ତିକାକ୍ଷୟ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବେଳାମାର୍ଗ ପାର୍ଶ୍ବରେ ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଯାହାକି ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇନାହିଁ। ଏଣେ ବଙ୍ଗୋପସାଗରର ଭୟଙ୍କର ରୂପ ବେଳାମାର୍ଗରେ ଯାତାୟତ କରୁଥିବା ଯାତ୍ରୀ ଓ ଜନସାଧାରଣଙ୍କ ସହିତ ଚନ୍ଦ୍ରଭାଗା ନୋଳିଆସାହି ର ମତ୍ସ୍ୟଜୀବୀଙ୍କ ପ୍ରତି ମଧ୍ୟ ବିପଦାବସ୍ଥା ସୃଷ୍ଟି କରିବାର ଆଶଙ୍କା ବଢ଼ିବାରେ ଲାଗିଛି।

ଅଜବ ମରାମତି: ରାସ୍ତାକଡ଼ ବାଲିବନ୍ତରୁ ଉଠାଯାଉଛି ବାଲି

ପୁରୀ : ଅଶାନ୍ତ ସମୁଦ୍ରର ଜୁଆର ମାଡ଼ ଫଳରେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା ଧୋଇଯିବା ଆଶଙ୍କା ଦେଖାଦେଇଛି, ଆଖପାଖ ଗାଁ ଗଣ୍ଡା ବି ସମୁଦ୍ର ଆଁକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି। ନେଡିଗୁଡ଼ କହୁଣୀକୁ ବୋହିବା ପରେ ଏବେ ଜାତୀୟ ରାଜପଥ ବିଭାଗ ଓ ଜିଲ୍ଲା ପ୍ରଶାସନ ଖାଇଥିବା ରାସ୍ତା ମରାମତି ଆରମ୍ଭ କରିଛନ୍ତି। ବଲ୍ଲା, ବାଲିବସ୍ତା, ଟିଣ ଆଦି ଦେଇ ସମୁଦ୍ର ଜୁଆରକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ଅସ୍ଥାୟୀ ମରାମତି ଯେ ଫଳ ଓଲଟା ଆଣିଦେବ ତାହା ଜଳଜଳ ଦିଶିଲାଣି। ଠିକାଦାର-ଯନ୍ତ୍ରୀଙ୍କ ଅଜବ ମରାମତି ଏଭଳି ଆଶଙ୍କା ସୃଷ୍ଟି କରିଛି। ପ୍ରଶାସନ ଯେଉଁ ବସ୍ତାରେ ଭର୍ତ୍ତି କରି ରାସ୍ତା ମରାମତି କରୁଛି, ତାହା ରାସ୍ତାର ଅପରପାର୍ଶ୍ବରୁ ଆସୁଛି। ଯେଉଁ ପାର୍ଶ୍ବରୁ ରାସ୍ତା ଧୋଇଛି, ତାହାର ଅପରପାର୍ଶ୍ବ ବାଲିବନ୍ତକୁ କାଟି ଠିକାଦାର ବସ୍ତାରେ ବାଲି ଭର୍ତ୍ତି କରିବା ପରେ ଏହି ବସ୍ତାକୁ ଆଣି ରାସ୍ତାକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି, ଯଦି ଗୋଟିଏ ପାର୍ଶ୍ବରୁ ରାସ୍ତା ଖାଉଛି, ତେବେ ଅପରପାର୍ଶ୍ବରେ ଏହ ଚାପ ପଡ଼ୁଥିବ। ପ୍ରଶାସନ କୌଣସି ପରିସ୍ଥିତିରେ ଯେଉଁ ସ୍ଥାନରେ ରାସ୍ତା ଖାଇଛି, ସେଠାରୁ ବାଲି ଉଠାଇବା କଥା ନୁହଁ। କିନ୍ତୁ ପ୍ରଶାସନ ଅବା ଜାତୀୟ ରାଜପଥ ବିଭାଗର ଅଧିକାରୀଙ୍କ ଜାଣତରେ ଓ ଉପସ୍ଥିତିରେ ଠିକାଦାର ଲୋକ ଲଗାଇ ହଜାର ହଜାର ବସ୍ତା ବାଲି ଏଠାରୁ ତାଡ଼ିନେଲେ। ଏବେ ପୁଣି ନୂଆ ବିପଦ ତିଆରି କଲେ। ପୂର୍ବରୁ ବି ଏଭଳି ବାଲିବନ୍ତକୁ ତାଡ଼ି ବାଲି ବୋହି ନିଆଯାଇଥିଲା, ଯେଉଁଥିପାଇଁ ଆଜି ରାସ୍ତାକୁ ଧୋଇନେଇଛି। ଯଦି ରାସ୍ତାର ଅପରପାର୍ଶ୍ବରୁ ବାଲି ଉଠାଯାଏ, ତେ‌ବେ ରାସ୍ତାର ସୁରକ୍ଷା କେବଳ ଭେଳିକି ସାଜିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର