ଭୁବନେଶ୍ବର: ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲ ଭିତରେ ପୁରୀ-କୋଣାର୍କ ରେଳ ପ୍ରକଳ୍ପ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବତଟ ରେଳପଥକୁ ପ୍ରସ୍ତାବ ଦିଆଯାଇଛି। ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୨୩ରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ କହିଥିଲେ ଯେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ହେଲେ ପ୍ରସ୍ତାବିତ ରେଳ ପ୍ରକଳ୍ପକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ନେବାର ଆବଶ୍ୟକତା ରହିଛି। ପରିବେଶ ପର୍ଯ୍ୟଟନ ହବ୍ ଭାବେ ପୁରୀ ଓ କୋଣାର୍କକୁ ନୂଆ ରେଳ ଲାଇନ୍ ଯୋଡ଼ିହେବା ଦ୍ବାରା ଐତିହ୍ୟ ସହ ସାମୁଦ୍ରିକ ପର୍ଯ୍ୟଟନର ବିକାଶ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ପର୍ଯ୍ୟଟନ କରିଡର୍ ଶୀର୍ଷରେ ପହଞ୍ଚିବ। ତେଣୁ ପ୍ରକଳ୍ପରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି।
ଅଧିକାରୀମାନେ ଦର୍ଶାଇଛନ୍ତି ଯେ ପ୍ରସ୍ତାବିତ ପୁରୀ-କୋଣାର୍କ ନୂତନ ରେଳ ଲାଇନ୍ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ହେଉ। ଟ୍ରେନ୍ରେ ବସି ପର୍ଯ୍ୟଟକମାନେ ଯେପରି ଓଡ଼ିଶା ଉପକୂଳର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ଯୋଜନାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ନ କଲେ ମଧ୍ୟ ଟ୍ରାକ୍ ଯେପରି ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲର ଅଳ୍ପ କିଛି ଅଂଶ ଭିତର ଦେଇ ମେରାଇନ୍ ଡ୍ରାଇଭ୍ ରାସ୍ତା ନିକଟରେ ଯିବ ସେଥିପ୍ରତି ଧ୍ୟାନ ଦିଆଯାଉ। ମେଟ୍ରୋ ରେଳ, ମୋନୋରେଲ୍ ବା କେବୁଲ୍ କାର୍ ବିକଳ୍ପ ଭାବେ ଗ୍ରହଣ କରାଯାଇପାରେ। ସୂଚନା ଅନୁଯାୟୀ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୯୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୩୨ କିମିର ଏହି ପ୍ରକଳ୍ପକୁ ମଞ୍ଜୁର କରିଥିଲେ, ଯାହାକି ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲ ଓ ଇକୋ ସେନ୍ସିଟିଭ୍ ଜୋନ୍ ବାହାରେ ଯାଉଛି।
ବାଲୁଖଣ୍ଡ ଜଙ୍ଗଲରେ ନେବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ
ବିକଳ୍ପ ଭାବେ ମେଟ୍ରୋ ରେଳ, ମୋନୋରେଲ୍ କିମ୍ବା କେବୁଲ୍ କାର୍ ଚାଲୁ
ପ୍ରସ୍ତାବିତ ବିମାନବନ୍ଦର ସହ ରେଳ ଯୋଡ଼ିବାକୁ ମତ ରଖିଲେ
ସେହିପରି ସିପସରୁବାଲି ଅଞ୍ଚଳରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରହିଛି। ତେଣୁ ପୁରୀ ଷ୍ଟେସନ୍ରୁ ମାଳତୀପାଟପୁର ପର୍ଯ୍ୟନ୍ତ ଥିବା ରେଳ ଲାଇନ୍କୁ ବିମାନବନ୍ଦର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ମଲ୍ଟି-ମୋଡାଲ ସଂଯୋଗ କରାଯାଇପାରେ। ଏଥିପାଇଁ ଏକ ସର୍ଭେ କରିବାକୁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ୱରରୁ କୋଣାର୍କ ମଧ୍ୟରେ ସଂଯୋଗୀକରଣ କରିବାକୁ ରେଳ ଲାଇନ ସର୍ଭେକୁ ମଞ୍ଜୁରି ଦିଆଯାଇଥିବାରୁ ଏବେ ଅସ୍ତରଙ୍ଗ ବନ୍ଦର ପର୍ଯ୍ୟନ୍ତ ଅନୁସନ୍ଧାନ କରାଯିବା ଆବଶ୍ୟକ। ଏଥିସହ ରଥଯାତ୍ରା ସମୟରେ ପୁରୀ ଷ୍ଟେସନ୍ରେ ଭିଡ଼ ହେଉଥିବାରୁ ନିକଟସ୍ଥ କୋଣାର୍କ ଓ ଅନ୍ୟାନ୍ୟ ଷ୍ଟେସନ୍ଗୁଡ଼ିକୁ ଟ୍ରାଫିକ ପ୍ରବାହକୁ ସୁବ୍ୟବସ୍ଥିତ କରିବା ଏବଂ କାର୍ଯ୍ୟକ୍ଷମ ପ୍ରତିବନ୍ଧକକୁ ହ୍ରାସ କରିବାକୁ ସାଟେଲାଇଟ୍ ଷ୍ଟେସନ୍/କୋଚିଂ ଡିପୋ ଭାବେ ବ୍ୟବହାର କରାଯାଇପାରେ। ତେଣୁ ଏହି ଉଦ୍ଦେଶ୍ୟରେ ସାଟେଲାଇଟ୍ ଷ୍ଟେସନ୍ ଏବଂ ଆନୁଷଙ୍ଗିକ ସୁବିଧାଗୁଡ଼ିକ ବିକଶିତ କରାଯିବା ଉଚିତ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ତେବେ ପୂର୍ବତଟ ରେଳପଥ ମହାନିର୍ଦ୍ଦେଶକ ପୁରୀ-କୋଣାର୍କ ନୂଆ ରେଳ ଲାଇନ୍ର ଅଗ୍ରଗତି ସମ୍ପର୍କରେ ମତବ୍ୟକ୍ତ କରି କହିଥିଲେ ଯେ ପ୍ରକଳ୍ପରେ ଅଧିକ ପରିବର୍ତ୍ତନ ପ୍ରକଳ୍ପ ଶେଷ ହେବାର ସମୟସୀମାକୁ ବିଳମ୍ବ କରିପାରେ। କାରଣ ବର୍ତ୍ତମାନର ଆଲାଇନ୍ମେଣ୍ଟ ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲ ଓ ପରିବେଶ-ସମ୍ବେଦନଶୀଳ ଅଞ୍ଚଳକୁ ଏଡ଼ାଉଛି ବୋଲି ସେ କହିଥିଲେ।