ପୁରୀ : ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ପାଇଁ ସ୍ୱପ୍ନ ଦେଖୁଥିବାବେଳେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପୂର୍ବରୁ କିଛି ସରକାରୀ ଅଧିକାରୀ ଏହାର କିସମ ପରିବର୍ତ୍ତନ କରି ସରକାରୀ ଅର୍ଥ ହରିଲୁଟ କରିବାକୁ ଚେଷ୍ଟା କରିଛନ୍ତି। ଏହି କେଳେଙ୍କାରୀ ଧରପଡ଼ିବା ପରେ ପୁରୀ ତହସିଲର ଅତିରିକ୍ତ ତହସିଲଦାର ସରୋଜ ସ୍ୱାଇଁ, ଶାସନ ଦାମୋଦରପୁର ରାଜସ୍ୱ ନିରୀକ୍ଷକ ରାମଚନ୍ଦ୍ର ପାତ୍ର ଓ ତହସିଲ କିରାଣି ଓମପ୍ରକାଶ ପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣାରେ ପୁରୀ ତହସିଲର ରେକର୍ଡ଼ କିପରଙ୍କୁ ଗୋପ ବ୍ଲକ୍‌କୁ ବଦଳି କରାଯାଇଛି।

Advertisment

ରାଜ୍ୟ ସରକାର ମୂଷା ନଈର ପୁନରୁଦ୍ଧାର ସହ ଏହାର ସୌନ୍ଦର୍ଯ୍ୟୀକରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ହେଲେ ଉପରୋକ୍ତ କର୍ମଚାରୀ ମୂଷା ନଈ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପୂର୍ବରୁ ଏଠାରେ ଥିବା କିଛି ଜମିର କିସମ ପରିବର୍ତ୍ତନ କରି ନିଜ ନିଜ ପରିବାର ଭିତରେ ଜମି କିଣାବିକା କରିବା ସହ ଏହାର କିସମ ପରିବର୍ତ୍ତନ ପାଇଁ ଚେଷ୍ଟା କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।