ପ୍ରକଳ୍ପ ଘୋଷଣା ପରେ ଶାରଦ ହେଲା ଘରବାରି
୪ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Advertisment

ପୁରୀ : ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀକୁ ଐତିହ୍ୟ ସହର କରି ଗଢ଼ି ତୋଳିବାକୁ ସ୍ବପ୍ନ ଦେଖୁଥିବାବେଳେ ସରକାରୀ ଅଧିକାରୀ ସରକାରଙ୍କ ଏହି ସ୍ବପ୍ନକୁ ଧୂଳିସାତ କରିବାରେ ଲାଗି ପଡ଼ିଛନ୍ତି। ପ୍ରତ୍ୟକ୍ଷ ହେଉ କି ପରୋକ୍ଷରେ ସରକାରଙ୍କ ଅର୍ଥକୁ ହରିଲୁଟ୍‌ କରିବାକୁ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ମୂଷା ନଈ ପ୍ରକଳ୍ପ ଘୋଷଣା ହେବା କିଛି ମାସ ଯାଇଛି କି ନାହିଁ, ଏହି ପ୍ରକଳ୍ପ ପାଇଁ ଅଧିଗ୍ରହଣ ହେବାକୁ ଥିବା ଜମିର କିସମ ପରିବର୍ତ୍ତନ କରିବାରେ ରାଜସ୍ବ ବିଭାଗର ଅଧିକାରୀମାନେ ଲାଗି ପଡ଼ିବା ଏହି ଦୁର୍ନୀତିକୁ ଧରାପକାଇ ଦେଇଛି। ଯେଉଁଥିପାଇଁ ଅଧିକାରୀଙ୍କ ସହ ମୋଟ ୩ କର୍ମଚାରୀ ଚାକିରିରୁ ନିଲମ୍ବିତ କରାଯାଇଛି।

କିନ୍ତୁ ଏହି ଘଟଣା ପଛରେ ଯେ ରାଜସ୍ବ ବିଭାଗର ବଡ଼ ବଡ଼ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ରହିଛି, ତାହାର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ିଲାଣି। ବଡ଼ବଡ଼ିଆମାନେ ନିଜ ଦୋଷଦୁର୍ବଳତା ଲୁଚାଇବାକୁ ଯାଇ ଛୋଟ ଛୋଟ କର୍ମଚାରୀଙ୍କୁ ବଳି ପକାଉଥିବା ଅଭିଯୋଗ ଉଠିଛି।

ମିଳିଥିବା ସୂଚନା ମୁତାବକ, ପୁରୀ ତହସିଲ ଅଧୀନ ସମଙ୍ଗ ମୌଜାରେ ରହିଛି ୩୯୦୫ ନମ୍ବର ପ୍ଲଟ୍‌। ଏହି ପ୍ଲଟର ୨.୭୫ ଏକର ଜମି ରହିଛି। ଯାହାର କିସମ ପୂର୍ବରୁ ଶାରଦ ରହିଥିଲା। କିନ୍ତୁ ମୂଷା ନଈ ପ୍ରକଳ୍ପ ଘୋଷଣା ପରେ ଏହି କିସମ ହଠାତ୍‌ ଘରବାରିକୁ ପରିବର୍ତ୍ତନ କରି ଦିଆଯାଇଛି। ସେ ପୁଣି ଭାଗ ଭାଗ କରି। କିସମ ପରିବର୍ତ୍ତନ କରି ଏହାକୁ ୧୦ରୁ ଅଧିକ ଭାଗ କରି କିଣାବିକା କରାଯାଇଛି। ବଡ଼କଥା ହେଉଛି, ଜମିର ମାଲିକ ଏହି ଜମିକୁ ଯେଉଁମାନଙ୍କୁ ବିକ୍ରି କରିଛନ୍ତି, ସେମାନେ ତାଙ୍କ ପରିବାର ଲୋକ। କିଏ ଭଉଣୀ ତ’ କିଏ ଭାଇ, ପୁଣି କିଏ ସଂପର୍କୀୟ। ଏପରି କରି ଏକାଧିକ ବ୍ୟକ୍ତିଙ୍କ ନାଁ’ରେ ସରକାରୀ ଅର୍ଥ ହଡ଼ପ ପାଇଁ ଯୋଜନା କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଘରବାରୀ ବାବଦକୁ ମିଳୁଥିବା ସରକାରୀ କ୍ଷତିପୂରଣ ଅର୍ଥ ଶାରଦ କିମସ ବାବଦକୁ ମିଳୁଥିବା କ୍ଷତିପୂରଣଠାରୁ ତିନିରୁ ଚାରିଗୁଣା ଅଧିକ। ଅନ୍ୟପଟେ ଯଦି କୌଣସି ଜାଗା ୨୫ ଡିସିମିଲ୍‌ ଭିତରେ ରହୁଛି, ତେବେ ତହସିଲ ପକ୍ଷରୁ ଅଧିକାରୀମାନେ ଯାଇ ଏହାର ସ୍ଥିତି ଯାଞ୍ଚ କରିବେ। ରିପୋର୍ଟ ଦେଲେ ପରେ ଯାଇ କିସମ ପରିବର୍ତ୍ତନ ହେବ। କିନ୍ତୁ ଜମିର ପରିମାଣ ୨୫ ଡିସିମିଲ୍‌ କିମ୍ବା ଏହା ଠାରୁ ଅଧିକ ହେଲେ ଉପଜିଲ୍ଲାପାଳ ଯାଇ ଘଟଣାସ୍ଥଳ ଯାଞ୍ଚ ପରେ ଯାଇ କିସମ ପରିବର୍ତ୍ତନ ହେବ। ଏହି ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ଯାଇ ଜାଣିଶୁଣି ପ୍ରତି ପ୍ଲଟକୁ ୨୪ ଡିସିମିଲ୍‌ ଭିତରେ ଭାଗ ଭାଗ କରାଯାଇଛି। ତହସିଲ ସ୍ତରରେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଛି। ବଡ଼କଥା ହେଉଛି, ମୂଷା ନଈ ପ୍ରକଳ୍ପ ଘୋଷଣା କେଇ ମାସ ପରେ ଏହି ଜମିର କିସମ ପରିବର୍ତ୍ତନ କରାଯାଇଛି।

୨୦୨୦ ମସିହା ଆରମ୍ଭରୁ ଜମିର କିସମ ପରିବର୍ତ୍ତନର କାଗଜପତ୍ର କରାଯାଇଛି। ଯେଉଁଠି ପ୍ରୋବେସରନାରି ଆଇଏଏସ୍‌, ବଡ଼ ବଡ଼ ଅଧିକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ମୁଣ୍ଡ ଖେଳାଉଛନ୍ତି, ସ୍ବତନ୍ତ୍ର ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି, ସେଠି ଏତେ ବଡ଼ ଘଟଣା ଘଟିଲା କିପରି। କାରଣ କିସମ ପରିବର୍ତ୍ତନ ଏକ ଲମ୍ବା ପ୍ରକ୍ରିୟା। କିନ୍ତୁ ମୂଷା ନଈ ପ୍ରକଳ୍ପ ଘୋଷଣା ହେବାର କିଛି ମାସ ପରେ ହଠାତ୍‌ ୨.୭୫ ଏକର ଜମିର କିସମ ପରିବର୍ତ୍ତନ ହୋଇଯିବା ସବୁ ଘଟଣାକୁ ସନ୍ଦେହ ଘେରକୁ ଟାଣି ଆଣୁଛି। ଏହି ଜମି କେଳେଙ୍କାରୀ ଧରପଡ଼ିବା ପରେ ପୁରୀ ତହସିଲର ଅତିରିକ୍ତ ତହସିଲଦାର ସରୋଜ ସ୍ୱାଇଁ, ଶାସନ ଦାମୋଦରପୁର ରାଜସ୍ୱ ନିରୀକ୍ଷକ ରାମଚନ୍ଦ୍ର ପାତ୍ର ଓ ତହସିଲ କିରାଣି ଓମପ୍ରକାଶ ପାତ୍ରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସେହିଭଳି ଏହି ଘଟଣାରେ ପୁରୀ ତହସିଲର ରେକର୍ଡ଼ କିପରଙ୍କୁ ଗୋପ ବ୍ଲକକୁ ବଦଳି କରାଯାଇଛି।