ଛିଣ୍ଡୁନି ବିବାଦ : କିଏ କରିବ ମୁକୁଟ ମରାମତି?

ମାର୍ଗଶିରରେ ମୁକୁଳା ପଡ଼ିଛି ମା’ଲକ୍ଷ୍ମୀଙ୍କ ମସ୍ତକ

ପୁରୀ : ପବିତ୍ର ମାର୍ଗଶୀର ଗୁରୁବାରରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହୋଇଛି। ମାର୍ଗଶୀର ଗୁରୁବାର ମା’ ଲକ୍ଷ୍ମୀଙ୍କୁ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତିର ବିଶ୍ୱାସ ଥିବାରୁ ମା’ଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତ ଧାଡ଼ିବାନ୍ଧି ଦର୍ଶନ କରିଛନ୍ତି। କିନ୍ତୁ ମା’ଙ୍କ ମସ୍ତକରେ ସୁନା ମୁକୁଟ ନ ଥିବାରୁ ଏକ ପୂର୍ଣ୍ଣାଙ୍ଗ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଦୀର୍ଘ ଦିନ ତଳେ ଏହା ଭାଙ୍ଗି ଯାଇଥିବାରୁ ମରାମତି ହୋଇ ପାରିନାହିଁ। ଫଳରେ ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଏହି ସୁନା କିରୀଟ କାହାର ସେ ନେଇ ବିବାଦ ଛିଡ଼ା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ତାଲିକାରେ ଏହି କିରୀଟ ନ ଥିବା ବେଳେ ଅନେକ ଦିନ ତଳେ ଏହା ଚୋରି ହୋଇଥିବା ଏବଂ ଜଣେ ସେବାୟତ ଦଣ୍ଡିତ ହୋଇଛନ୍ତିି। ଏଣୁ ପ୍ରଥମେ ଏହା କାହାର ସେ ନେଇ ଫଇସଲା ହେବ। ଏହା ପରେ ଏହାକୁ ମରାମତି କରାଯିବ ନା ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଭାବେ ନୂଆ ତିଆରି କରିବ ସେ ନେଇ ଚିନ୍ତା କରାଯିବ। ଏଣୁ ଚଳିତ ମାର୍ଗଶୀର ମାସରେ ଏହି କିରୀଟ ମହାଲକ୍ଷ୍ମୀଙ୍କ ମସ୍ତକରେ ଶୋଭା ପାଇବ ନାହିଁ ବୋଲି ନିଶ୍ଚିତ ହୋଇଛି।

ଶ୍ରୀମନ୍ଦିରରେ ମହାପ୍ରଭୁମାନଙ୍କର ଶ୍ରୀଅଙ୍ଗରେ ଲାଗି ହେଉଥିବା ସୁନା ଅଳଙ୍କାରର ତାଲିକା ରହିଛି। ବର୍ଷେ ତଳେ ଏହା ଭାଙ୍ଗିଯିବା ନେଇ ପାଳିଆ ସେବକମାନେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ। ସେତେବେଳେ ଜଣାପଡ଼ିଥିଲା କି ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନକୁ ନ ଜଣାଇ କିରୀଟକୁ କାଢ଼ି ଦେଇଛନ୍ତି। ତା ସହିତ ଏହା ମଧ୍ୟ ଭାଙ୍ଗି ଯାଇଛି। ଏଣୁ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଏହାକୁ ଅଣାଗଲା। ଏହାକୁ ମରାମତି କରିବା ପାଇଁ ଆବଶ୍ୟକ ଖର୍ଚ୍ଚ ଅନୁମୋଦନ ପାଇଁ ଅଳଙ୍କାର ତାଲିକା ଖୋଜାଗଲା। ସେତେବେଳେ ଜଣାପଡ଼ିଲା ଯେ ଏହା ଅଳଙ୍କାର ତାଲିକାରେ ନାହିଁ। ଏଣୁ ମରାମତି ପ୍ରକ୍ରିୟା ଅଟକିଥିଲା। ଖୋଳତାଡ଼ ବେଳେ ଜଣାପଡ଼ିଲା କି ପୂର୍ବରୁ ଏଭଳି ରେକର୍ଡ଼ ରହିଛି। ପୂର୍ବରୁ ଜଣେ ସେବାୟତ ଏହାକୁ ନେଇ ଘରେ ରଖୁଥିଲେ ବୋଲି ମଧ୍ୟ ଜଣାପଡିଥିଲା। ଏଣୁ ଏହାକୁ ନେଇ ବିବାଦ ଛିଡ଼ା ହୋଇଥିଲା। ସେବେଠାରୁ ଏହା ପଡ଼ି ରହିଛି। ଏହା ବାସ୍ତବରେ କାହାର ତାହା ଚିହ୍ନଟ କରାଯିବା ପରେ ମରାମତି ପାଇଁ ବ୍ୟବସ୍ଥା ହେବ। ନଚେତ୍‌ ଶ୍ରୀମନ୍ଦିର ପ୍ରଶାସନ ଏଭଳି ଏକ ନୂଆ କିରୀଟ ନିର୍ମାଣ କରିବ। ଅନ୍ୟପଟେ ଏଭଳି ଅନ୍ୟ ମନ୍ଦିରଗୁଡ଼ିକରେ ସୁନାଗହଣା କଣ ଅଛି, ତାହାର ସ୍ଥିତି କଣ ତାହା ମଧ୍ୟ ଅନୁଧ୍ୟାନ କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସକ(ନୀତି) ଡ. ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର