ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ : ଅଙ୍ଗାରରେ ମହାପ୍ରସାଦ ପ୍ରସ୍ତୁତିକୁ ନେଇ ହୋହଲ୍ଲା

କାର୍ଯ୍ୟାନୁଷ୍ଠାନ ଦାବି କଲେ ନିଯୋଗ କର୍ମକର୍ତ୍ତା, ମଶାଣି ଅଙ୍ଗାର ବି ମନ୍ଦିରକୁ ଯିବାର ଆଶଙ୍କା ରହିଛି

ପୁରୀ : ଶ୍ରୀମନ୍ଦିରରେ ‘ଅଙ୍ଗାର’ ପ୍ରସଙ୍ଗ ଆଜି ଛତିଶା ନିଯୋଗ ବୈଠକରେ ହୋହଲ୍ଲା ପରିସ୍ଥିତି ସୃ‌ଷ୍ଟି କରିଛି। ମହାପ୍ରସାଦ ରୋଷେଇ ପାଇଁ ଅଙ୍ଗାର ବ୍ୟବହାର କରାଯାଉଥିବାରୁ ନିଯୋଗ କର୍ମକର୍ତ୍ତାମାନେ ଏହାକୁ ଦୃଢ଼ ବିରୋଧ କରିବା ସହ ବୈଠକ ଆରମ୍ଭରୁ ଶ୍ରୀମନ୍ଦିର ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ଭଲ ହେବନି ବୋଲି ଏକପ୍ରକାର ଚେତାଇ ଦେଇଛନ୍ତି। ଯୁକ୍ତି ବାଢ଼ିଛନ୍ତି, ମହାପ୍ରସାଦ ହେଉଛି ‌ସର୍ବଶ୍ରେଷ୍ଠ ପ୍ରସାଦ। ମହାପ୍ରସାଦ ପ୍ରସ୍ତୁତିରେ ଅଙ୍ଗାର ବ୍ୟବହାର କରି ଏହାକୁ ଅସମ୍ମାନ ଓ ଏହାର ମାହାତ୍ମ୍ୟକୁ ନଷ୍ଟ କରାନଯାଉ। ଏଭଳି ପରିସ୍ଥିତିରେ ମହାପ୍ରସାଦ ରୋଷେଇରେ ମଶାଣି ଅଙ୍ଗାର ବ୍ୟବହାର ପ୍ରସଙ୍ଗକୁ ବି ଏଡ଼ାଇ ଦିଆଯାଇ ନପାରେ। ଏଣୁ ତୁରନ୍ତ ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉ। ଶ୍ରୀମନ୍ଦିରରେ ଅଙ୍ଗାର ପ୍ରବେଶ ଉପରେ କଟକଣା ଲଗାଯାଉ ବୋଲି ବୈଠକରେ ନିଯୋଗ ପକ୍ଷରୁ ଦାବି କରାଯାଇଛି।

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂହ, ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ, ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ିଙ୍କ ସମେତ ବିଭିନ୍ନ ନିଯୋଗର ସଭାପତି, ସଂପାଦକମାନେ ଉପସ୍ଥିତ ଥିଲେ। ବୈଠକରେ ଅଙ୍ଗାର ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା। ନିଯୋଗର କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ କି ଯେଉଁମାନଙ୍କ ନାମରେ ଚୁଲା ରହିଛି, ସେମାନେ ଏହାର ଅପବ୍ୟବହାର କରୁଛନ୍ତି। ସେମାନେ ଚୁଲା ନିଲାମ ଦେଇ ଦେଉଥିବାରୁ ଏହାର ପୂରା ଫାଇଦା ଉଠାଉଛନ୍ତି ନିଲାମଧାରୀମାନେ। ମହାପ୍ରସାଦ ପ୍ରସ୍ତୁତି ଆଳରେ ଏମାନେ କାଠ ବଦଳରେ ଅଙ୍ଗାର ବ୍ୟବହାର କରୁଛନ୍ତି। ଦୈନିକ ବସ୍ତା ବସ୍ତା ଅଙ୍ଗାର ଶ୍ରୀମନ୍ଦିରକୁ ମହାପ୍ରସାଦ ରୋଷେଇ ପାଇଁ ଯାଉଛି। ଯାହା ପରମ୍ପରା ବିରୋଧୀ। ଯେଉଁଠି କାଠରେ ମହାପ୍ରସାଦ ପ୍ରସ୍ତୁତି ହେବା କଥା ସେଠି ଅଙ୍ଗାରରେ ମହାପ୍ରସାଦ ପ୍ରସ୍ତୁତି ହେବାଠାରୁ ଦୁର୍ଭାଗ୍ୟଜନକ କଥା ଅନ୍ୟ କିଛି ନାହିଁ। ଶ୍ରୀମନ୍ଦିର ପ୍ରଶାସନ ଆଜି ପର୍ଯ୍ୟନ୍ତ ଏଥିରେ କଟକଣା ଲଗାଇ ନାହିଁ।। ଅବାଧରେ ଏମାନେ ଶ୍ରୀମନ୍ଦିରକୁ ଅଙ୍ଗାର ବୋହି ନେଇ ରୋଷେଇ କରୁଛନ୍ତି। ନିଲାମଧାରୀମାନେ ନିଜେ ଅଙ୍ଗାର ପ୍ରସ୍ତୁତ କରୁନାହାନ୍ତି। ବଜାରରୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କଠାରୁ ଏହାକୁ କ୍ରୟ କରୁଛନ୍ତି। ଆଉ ଯେଉଁମାନେ ଏହି ଅଙ୍ଗାର ବିକ୍ରି କରୁଛନ୍ତି, ସେମାନେ ମଶାଣିରୁ ଅଙ୍ଗାର ଆଣି ବିକ୍ରି କରୁଥିବା ସନ୍ଦେହ କରାଯାଉଛି। ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିରକୁ ବି ମଶାଣି ଅଙ୍ଗାର ଯାଉଥିବା କଥାକୁ ଏଡ଼ାଇ ଦିଆଯାଇ ନ ପାରେ। ମହାପ୍ରସାଦ ଦର୍ଶନ ମହାପ୍ରଭୁଙ୍କ ଦର୍ଶନ ସହ ସମାନ। ମହାପ୍ରସାଦକୁ ଶୁଖାଇ କୈବଲ୍ୟ ଭାବେ ଭକ୍ତମାନେ ବ୍ୟବହାର କରୁଛନ୍ତି। ମହାପ୍ରସାଦର ଏହି ମାହାତ୍ମ୍ୟ ଓ ପବିତ୍ରତାକୁ ଜାଣିଶୁଣି ନଷ୍ଟ କରା ନଯାଉ। କିନ୍ତୁ ବ୍ୟବସାୟ ଉଦ୍ଦେଶ୍ୟରେ ଅନେକ ସମୟରେ ଏହାର ମାହାତ୍ମ୍ୟକୁ ନଷ୍ଟ କରିବାକୁ ବାରମ୍ବାର ଉଦ୍ୟମ ଚାଲିଛି। ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ସତର୍କ ଦୃଷ୍ଟି ଦେଉ। ଯିଏ ବି ଏଭଳି ଦୁଃସାହସ କରୁଛି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିଯୋଗର କର୍ମକର୍ତ୍ତାମାନେ ଯୁକ୍ତି ବାଢ଼ିଥିଲେ।

ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ-ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପ୍ରାୟ ଅଧଘଣ୍ଟା ଧରି ଏହି ପ୍ରସଙ୍ଗ ପୂରା ବୈଠକକୁ ସରଗରମ କରି ରଖିଥିଲା। ଶେଷରେ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ନଜର ଦେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଅବସରରେ ପହିଲି ଭୋଗ ନୀତି, ସୂର୍ଯ୍ୟପରାଗ, ଦେବାଭିଷେକ ନୀତି ଓ ମକର ସଂକ୍ରାନ୍ତି ନୀତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏ ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଥିଲେ, ନୀତି ସବ୍‌କମିଟି ଚୂଡ଼ାନ୍ତ କରିଥିବା ନୀତିକୁ ଆଜି ଅନୁମୋଦନ କରାଯାଇଛି। ଚୂଡ଼ାନ୍ତ ନୀତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କିଭଳି ସୁରୁଖୁରରେ ନୀତି ଶେଷ ହେବ ସେ ଉପରେ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି। ରତ୍ନଭଣ୍ଡାର ସହ ଶ୍ରୀମନ୍ଦିର ସଂପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା ସଂପର୍କରେ କିନ୍ତୁ ଶ୍ରୀ କୁମାର କିଛି ମୁହଁ ଖୋଲିନାହାନ୍ତି। ଆସନ୍ତା ୨୦ ତାରିଖରେ ପରିଚାଳନା ବୈଠକ ଥିବାବେଳେ ଏହି ବୈଠକରେ ରତ୍ନଭଣ୍ଡାର ସହ ଅନ୍ୟାନ୍ୟ ପ୍ରସଙ୍ଗ ସଂପର୍କରେ ଆଲୋଚନା ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର