ପୁରୀ: ଭୋଜି କରି ଯାଇଥିବା ଯୁବକଙ୍କୁ ହତ୍ୟା

ପୁରୀ: ଗୁରୁବାର ରାତିରେ ଟାଉନ୍‌ ଥାନା ଅନ୍ତର୍ଗତ ଧାନକୁଟୀ ସାହିର କୃଷ୍ଣଚନ୍ଦ୍ର ସାହୁ ଓରଫ ବାପିଙ୍କୁ ହତ୍ୟା କରାଯାଇଛି। ଆଜି ସକାଳେ ହାତୀ ଗୋହିରିର ଏକ ପରିତ୍ୟକ୍ତ ଘରର ଏରୁଣ୍ଡିବନ୍ଧରେ ତାଙ୍କର ଶବ ପଡ଼ିଥିବାର ଲୋକେ ଦେଖିଥିଲେ।

ସିଂହଦ୍ୱାର ନିକଟରେ ଉଠା ଶଙ୍ଖମାଳୀ ଦୋକାନ ପକାଉଥିବା କୃଷ୍ଣଚନ୍ଦ୍ର ସାଙ୍ଗମାନଙ୍କ ସହ ଭୋଜି କରିବାକୁ ରାତି ୮ଟାବେଳେ ଘରୁ ବାହାରି ଯାଇଥିଲା। ଭୋଜିର ରୋଷେଇସ୍ଥଳ ଥିଲା ଶ୍ୱେତଗଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପାଖ ହାତୀ ଗୋହିରି।

୩୨ ବର୍ଷିୟ ବାପିଙ୍କର ସାଙ୍ଗମାନଙ୍କ ସହ କୌଣସି କଥାକୁ ନେଇ ବଚସାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥାଇ ପାରେ ବୋଲି କୁହାଯାଉଛି। ବାପିଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୋଟାଳି ମାଡ଼ (ଜାଳେଣି ପାଇଁ ବ୍ୟବହୃତ ଝାଉଁ କାଠ ଖଣ୍ଡ) ଚିହ୍ନ ରହିଛି। ତାଙ୍କୁ ହତ୍ୟା କରାଯିବା ପରେ ଶବକୁ ଘୋଷାରି ନେଇ ସେଠାରେ ପକାଇ ଦିଆଯାଇଛି।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର