ମଙ୍ଗୁ ମଠ ଉଚ୍ଛେଦକୁ ନେଇ ଶିଖ ଯୁବକଙ୍କ ପ୍ରତିବାଦ : ମଠ ଛାତରୁ ଡେଇଁବାକୁ ଧମକ ଦେଲେ, ପଚରାଉଚରା ପରେ ଛାଡ଼ିଲା ପୁଲିସ

ପୁରୀ : ମଙ୍ଗୁ ମଠ ଉଚ୍ଛେଦ ବିବାଦ ଥମିବାର ନାଁ ଧରୁନି। ଆଜି ପୁଣି ପୁରୀରେ ମଙ୍ଗୁ ମଠ ଉଚ୍ଛେଦର ପ୍ରତିବାଦ ଦେଖିବାକୁ ମିଳିଛି। ପଞ୍ଜାବର ୪ ଜଣ ଶିଖ୍ ସଂପ୍ରଦାୟର ବ୍ୟକ୍ତି ଏଠାକୁ ଆସି ମଙ୍ଗୁ ମଠ ଛାତରୁ ଡେଇଁବାକୁ ଧମକ ଦେଇଛନ୍ତି। ମଠର ସୁରକ୍ଷା କରାଯାଇ ନଥିବା ଓ ଗୁରୁଙ୍କ ‘ନିଶାନ’ ଭାଙ୍ଗି ଦିଆଯାଇ ଥିବାରୁ ସେମାନେ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ଗୁରୁ ନାନକଙ୍କ ସ୍ମାରକୀ ବହନ କରୁଥିବା ମଠକୁ ଭଂଗାଯିବା ଓ ନିଶାନ ଫିଙ୍ଗି ଦିଆଯାଇ ଥିବାରୁ ସେମାନେ ଏଭଳି ପ୍ରତିବାଦ କରିଥିବା କହିଛନ୍ତି।

ଆଜି ଅପରାହ୍ଣରେ ୪ଜଣ ଶିଖ୍ ସିଂହଦ୍ବାର ସମ୍ମୁଖ ମଙ୍ଗୁ ମଠ ଛାତ ଉପରକୁ ଚଢ଼ି ଯାଇଥିଲେ। ସେଠାରେ ଗୁରୁଙ୍କ ନିଶାନ କୁଆଡ଼େ ଗଲା କହି ପାଟି କରିଥିଲେ। ପରେ ଛାତ ଉପରେ ପୂଜାର୍ଚ୍ଚନା କରି ଏକ ନି‌ଶାନ ସ୍ଥାପନ କରିଥିଲେ। ମଙ୍ଗୁ ମଠ କାହିଁକି ଭଙ୍ଗାଗଲା ବୋଲି ପ୍ରଶ୍ନ କରିଥିଲେ। ପରେ ମଠ ଛାତରୁ ଡେଇଁବାକୁ ଧମକ ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମଠ ନିକଟରେ ପହଞ୍ଚିଥିଲେ। ସେମାନଙ୍କୁ ଛାତରୁ ଓହ୍ଲାଇବାକୁ ନିବେଦନ କରିଥିଲେ। ତେବେ ପ୍ରାୟ ଏକ ଘଣ୍ଟା କାଳ ସେମାନେ ମଠ ଛାତରେ ରହି ପ୍ରତିବାଦ କରିଥିଲେ। ପରେ ଅଗ୍ନିଶମ କର୍ମଚାରୀ ସିଡ଼ି ପକାଇ ସେମାନଙ୍କୁ ତଳକୁ ଓହ୍ଲାଇ ଆଣିଥିଲେ। ଗତ କିଛି ଦିନ ତଳେ ପୁରୀ ମଙ୍ଗୁ ମଠ ଭଂଗା ହେବାର ଏକ ଭିଡିଓ ସେମାନେ ସୋସିଆଲ ମିଡିଆରେ ଦେଖିଥିଲେ। ଭିଡିଓରେ କେହି ଜ‌ଣେ ବ୍ୟକ୍ତି ତାଙ୍କୁ ତୁରନ୍ତ ପୁରୀ ଆସି ମଙ୍ଗୁ ମଠର ରକ୍ଷା କରିବାକୁ ନିବେଦନ କରିଥିବା କହିଛନ୍ତି।‌ ଭିଡିଓ ଦେଖିବା ପରେ ସେମାନେ ଏଠାକୁ ଆସିଥିବା କହିଛନ୍ତି।

ଖବର ପାଇ ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ଶିଖ ଯୁବକମାନଙ୍କୁ ବୁଝାସୁଝା କରିଥିଲେ। ପରେ ପୁଲିସ ତାଙ୍କୁ ସିଂହଦ୍ବାର ଥାନାକୁ ନେଇ ପଚରାଉଚରା କରିବା ପରେ ପରିଚୟପତ୍ର ଦେଖାଇବା ପରେ ତାଙ୍କୁ ଛାଡ଼ି ଦେଇଥିଲା। ପୁରୀରେ ୫ରୁ ଅଧିକ ମଠ ଉଚ୍ଛେଦକୁ ନେଇ ପ୍ରତିବାଦ ହୋଇନଥିବା ବେଳେ ମଙ୍ଗୁ ମଠକୁ ନେଇ ବହୁବାର ପ୍ରତିବାଦର ସ୍ବର ଉଠିଲାଣି। ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ସାରିଛନ୍ତି। ଏକାଧିକ ଥର ଶିଖ ସଂପ୍ରଦାୟ ବ୍ୟକ୍ତିମାନେ ମଙ୍ଗୁ ମଠ ଉଚ୍ଛେଦକୁ ନେଇ ପୁରୀ ଆସି ପ୍ରତିବାଦ କଲେଣି।

ସମ୍ବନ୍ଧିତ ଖବର