ପୁରୀ :‌ ପୁରୀ ବଡ଼ଦାଣ୍ଡ ମରିଚିକୋଟ ଛକରେ ଥିବା ସମ୍ରାଟ ମାର୍କେଟ୍‌ କମ୍ପ୍ଲେକ୍ସ (ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସ)ରେ ବୁଧବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ ୩୦ ଘଣ୍ଟା ପରେ ବି ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିପାରିନାହାନ୍ତି। ପ୍ରବେଶ ପାଇଁ ସଂକୁଚିତ ରାସ୍ତା ସହ ନିଆଁକୁ ଆୟତ୍ତ କରିବାକୁ ବିକଳ୍ପ ବା ଜରୁରୀକାଳୀନ ବାଟ ନ ଥିବାରୁ ଅଗ୍ନିଶମ ବାହିନୀ କୋଠା ଭିତରେ ପଶି ପାରୁ ନାହାନ୍ତି। ଖବର ଲେଖା ହେବାସୁଦ୍ଧା ମାର୍କେଟ୍‌ କମ୍ପ୍ଲେକ୍ସ ହୁତୁହୁତୁ ହୋଇ ଜଳୁଥିବା ବେଳେ ପଛପାର୍ଶ୍ବରୁ କାନ୍ଥ ତାଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି। ଅଗ୍ନିକାଣ୍ଡ ଫଳରେ  ଚାରିମହଲା(ଜି+୩) ବିଶିଷ୍ଟ ଏହି ମାର୍କେଟ୍‌ କମ୍ପ୍ଲେକ୍ସର ଦୁଇଟି ମହଲା ସମ୍ପୂର୍ଣ୍ଣ ଜଳିଯାଇଛି। ବାକି ଦୁଇଟି ମହଲାରୁ ଗୋଟିଏ ମହଲା ଆଂଶିକ ଜଳିଯାଇଛି।  ଅଗ୍ନିକାଣ୍ଡରେ ୪୦ କୋଟିରୁ ଅଧିକ ଟଙ୍କାର ଆସବାବପତ୍ର ପୋଡ଼ି ଯାଇଥିବା ପ୍ରଶାସନ ପ୍ରାଥମିକ ଆକଳନ କରିଛି। ମାର୍କେଟ୍‌ କମ୍ପ୍ଲେକ୍ସର କୌଣସି ମହଲାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି।

Advertisment

publive-image

ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ ବଡ଼ଦାଣ୍ଡ ସମ୍ରାଟ୍‌ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ଥିବା ଏକ ପୋଷାକ ଦୋକାନ‌ରେ ସଟ୍‌ ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ସଙ୍ଗେସଙ୍ଗେ ଏହା ସାରା ମାର୍କେଟ୍‌ ‌କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା। ଯେହେତୁ ନିଆଁ ଲାଗିଥିବା ଦୋକାନ ପାଖରେ ପୋଷାକ, ଚପଲ, ପାର୍ଲର, କସମେଟିକ୍‌ସ ଆଦି ଦୋକାନ ରହିଥିଲା, ଏଥିରେ ଅଗ୍ନି ସଂଯୋଗ ପରେ ପ୍ରକୋପ ବଢ଼ିବାରେ ଲାଗିଥିଲା। ଚାହୁଁଚାହୁଁ ସବୁକିଛି ହୁତୁହୁତୁ ହୋଇ ଜଳିଥିଲା। ପ୍ରଥମେ ପୁରୀ, କୋଣାର୍କ ଓ ଗୋପର ଅଗ୍ନିଶମ ବାହିନୀ ଆସି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ପାଣି ମାଡ଼ କରି ବି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ପାରିନଥିଲେ। ସଂକୁଚିତ ପ୍ରବେଶ ପଥରେ ଭିତରକୁ ଯିବାକୁ ଉଦ୍ୟମ କରି ୫ରୁ ଅଧିକ ଆଗ୍ନିକ ଅଣନିଃଶ୍ବାସୀ ହୋଇପଡ଼ିଥିଲେ।

ମନ୍ତ୍ରୀ, ଆର୍‌ଡିସି, ଅଗ୍ନିଶମ ଡିଜି ଓ ଡିଆଇଜିଙ୍କ ସ୍ଥିତି ଅନୁଧ୍ୟାନ

ବିଜୁଳି ସଂଯୋଗ କାଟି ଦିଆଯାଇଥିଲେ ବି ଡିଜି କରେଣ୍ଟର ଝଟ୍‌କା ଖାଇଥିଲେ ଆଗ୍ନିକମାନେ। ଫଳରେ ଗ୍ରାଉଣ୍ଡ୍‌ ଫ୍ଲୋରରେ ଥିବା ୪୨ଟି ‌ଦୋକାନ ଗୋଟିଏ ପରେ ଗୋଟିଏ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦୋକାନଗୁଡ଼ିକର ସଟର୍‌ ତାଲା ଲାଗିଥିବାରୁ ଏହା ଭିତରକୁ ପାଣି ପଶି ପାରିନଥିଲା। ପରେ କଟକ ଓ ଭୁବନେଶ୍ବରରୁ ଅଗ୍ନିଶମ ବାହିନୀ ଆସି ଗତକାଲି ରାତିତମାମ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଆଁର ପ୍ରକୋପ ବଢ଼ି ଆଜି ସକାଳୁ ଏହା ପ୍ରଥମ ମହଲାକୁ ବ୍ୟାପିଯାଇଥିଲା। ‌ପ୍ରଥମ ମହଲାରେ ଥିବା ପୋଷାକ ଦୋକାନ, ବ୍ୟାଙ୍କ ବି ଜଳିଯାଇଛି। ଦ୍ବିତୀୟ ମହଲା ଓ ତୃତୀୟ ମହଲାରେ ସମ୍ରାଟ ହୋଟେଲ ଚାଲିଥିବା ବେଳେ ଏହି ମହଲାକୁ ନିଆଁ ଡେଇଁବା ପୂର୍ବରୁ ଅଗ୍ନିଶମ ବାହିନୀ ପାଣିମାଡ଼ କରି ତଳ ଦୁଇ ମହଲାରେ ନିଆଁକୁ ନିୟନ୍ତ୍ରଣ କରି ରଖିଛନ୍ତି।

publive-image

ସେପଟେ କୋରାପୁଟ ଜିଲ୍ଲା ଜୟପୁର, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ମହାରାଷ୍ଟ୍ରରୁ ଆସି ମାର୍କେଟ୍‌ କମ୍ପ୍ଲେକ୍ସ ପରିସରରେ ଥିବା ହୋଟେଲ୍‌ରୁ ୧୪୦ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କିନ୍ତୁ ନିଆଁ ଅଣାୟତ୍ତ ଥିବାରୁ ଯେକୌଣସି ମୁହୂର୍ତ୍ତରେ ବି କିଛି ଅଘଟଣ ଘଟିବା ଆଶଙ୍କା ରହିଛି। ଅତ୍ୟଧିକ ତାତି ଫଳରେ କୋଠା ଭୁଶୁଡ଼ି ପଡ଼ିବା ଆଶଙ୍କା ଥିବାରୁ ପାଣି ମାଡ଼ ସହ କୋଠା ଛାତରେ ବାଲିବସ୍ତା ବନ୍ଧ ଜରିଆରେ ପାଣି ଜମା କରି କୋଠା ଓ ପାରିପାର୍ଶ୍ବିକ ପରିବେଶକୁ ଥଣ୍ଡା ରଖିବାକୁ ଆଗ୍ନିକମାନେ ଉଦ୍ୟମ ଜାରି ରଖିଛନ୍ତି।

ଗୁରୁବାର ଦିନ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, କେନ୍ଦ୍ରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇ, ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ, ଡିଆଇଜି ଚରଣ ସିଂହ ମୀନା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ଆମର ପ୍ରାଥମିକତା ହେଉଛି ନିଆଁକୁ ଆୟତ୍ତ କରିବା। ସେ ଦିଗରେ ଆମେ ଯଥାସମ୍ଭବ ପଦକ୍ଷେପ ନେଉଛୁ। ଅଗ୍ନିଶମ ଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି, ପାରିପାର୍ଶ୍ବିକ ପରିସ୍ଥିତି ଯୋଗୁ ନିଆଁ ଲିଭାଇବା ବିଳମ୍ବ ହୋଇଛି। କୋଠାର କୌଣସି ପଟୁ ପ୍ରବେଶ କରିବାର ବ୍ୟବସ୍ଥା ନାହିଁ। ପଛପାର୍ଶ୍ବରୁ ପଶି ଆମେ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛୁ ବୋଲି ଶ୍ରୀ ଉପାଧ୍ୟାୟ କହିଛନ୍ତି।

publive-image

ଅଗ୍ନିଶମ ଡିଆଇଜି ଶ୍ରୀ ମୀନା କହିଛନ୍ତି, ନିଆଁକୁ ଆୟତ୍ତ କରିବାକୁ ୯ଟି ଅଗ୍ନିଶମ ଗାଡ଼ି ଓ ଶହେ ଆଗ୍ନିକ ନିୟୋଜିତ ଅଛନ୍ତି। ଅଗ୍ନି ଲିଭାଇବା ପାଇଁ ଆବଶ୍ୟକ ଆସବାବ ବି ରହିଛି। ଆମେ ଖୁବ୍‌ଶୀଘ୍ର ନିଆଁକୁ ନିୟନ୍ତ୍ରଣ କରିବୁ। କେନ୍ଦ୍ରାଞ୍ଚଳ ଆର୍‌ଡିସି ଶ୍ରୀ ଦଳାଇ କହିଛନ୍ତି, ଯେହେତୁ ଏହି କୋଠା ବହୁ ପୁରୁଣା, ସେ ସମୟର ନିୟମ ଅନୁସାରେ କୋଠା ଚାଲିଥିଲା। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା। ତଥାପି ଆମେ ଏହା ଉପରେ ନଜର ରଖିଛୁ। ଆଗକୁ ଏଭଳି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା କୋଠା ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦଳାଇ କହିଛନ୍ତି।

ପୁରୀ ଏସ୍‌ପି ଡ. କେ. ବିଶାଳ ସିଂହ କହିଛନ୍ତି, ଆଇନଶୃଙ୍ଖଳା ଉପରେ ଆମେ ସମ୍ପୂର୍ଣ୍ଣ ନଜର ରଖିଛୁ। ୨ ପ୍ଲାଟୁନ୍‌ ଫୋର୍ସ କୋଠାର ଚାରିପାର୍ଶ୍ବରେ ମୁତୟନ ହୋଇଛନ୍ତି। ବଡ଼ଦାଣ୍ଡରେ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ କରିବା ପାଇଁ ବାରିକେଡିଂ କରାଯାଇଛି ବୋଲି ଡ. ସିଂହ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର କ୍ଷୀରୋଦ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି।