ଭୁବନେଶ୍ୱର : ପୁରୀ ମେଡିକାଲ୍ କଲେଜ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ସେଠାରେ ହସ୍ପିଟାଲ୍ର ଆବଶ୍ୟକତା ରହିଥିବାରୁ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିବା ଆଜି ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଜଣାଯାଇଛି।
ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଯେତେପର୍ଯ୍ୟନ୍ତ ହସ୍ପିଟାଲ୍ ନିର୍ମାଣ କାର୍ଯ୍ୟ ସରିନାହିଁ, ସେତେପର୍ଯ୍ୟନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନୀତ କରି ସେଠାରେ ଡାକ୍ତରୀ ଶିକ୍ଷା କାର୍ଯ୍ୟ ପରିଚାଳନା କରିହେବ। ପୁରୀ ଜିଲ୍ଲା ସଦର ମହକୁମାର ପ୍ରାୟ ୪ କି.ମି. ଦୂରରେ ନିର୍ମାଣାଧୀନ ମେଡିକାଲ୍ କଲେଜରେ ଶିକ୍ଷାଦାନ ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ତେବେ ଏମ୍ସିଆଇର ପ୍ରତିନିଧି ଦଳ ଆସି ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧା ସଂପର୍କରେ ଅନୁଧ୍ୟାନ କରିବା ପରେ ଶିକ୍ଷାଦାନ କେବେ ଆରମ୍ଭ ହେବ ସେ ନେଇ ସଠିକ୍ ସୂଚନା ମିଳିପାରିବ।