ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣା : ସିବିଆଇ ତଦନ୍ତ ପାଇଁ ମାମଲା

କଟକ : ନାବାଳିକାକୁ ନିମାପଡାରୁ ଅପହରଣ କରି ଆଣି ପୁରୀରେ ପୁଲିସ କ୍ବାର୍ଟରରେ ଗଣଦୁଷ୍କର୍ମ କରାଯିବା ଘଟଣାର ସିବିଆଇ କିମ୍ବା ଅନ୍ୟ କୌଣସି ସ୍ବାଧୀନ ଏଜେନ୍ସି ଦ୍ବାରା ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହି ଘଟଣା‌କୁ ନେଇ କୁମ୍ଭାରପଡା ଥାନାରେ ରୁଜୁ ମାମଲାରେ ଗିରଫ ରାଜେଶ କୁମାର ସେଠୀଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନର ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପ୍ରାରମ୍ଭିକ ଶୁଣାଣି ‌ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୧୯କୁ ତାରିଖ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ମାମଲାର ସ୍ଥିତି ସଂପର୍କରେ ଅବଗତ କରାଯିବ। ଦାୟର ଆବେଦନରେ ଦର୍ଶାଯାଇଛି ଯେ ଏହି ଦୁଷ୍କର୍ମ ଅଭିଯୋଗକୁ ନେଇ କୁମ୍ଭାରପଡା ଥାନାରେ ରୁଜୁ ଏତଲାରେ ଆବେଦନକାରୀଙ୍କ ନାଁ ନଥିବା ବେଳେ ପୁଲିସ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏଥିରେ ସଂପୃକ୍ତ ବୋଲି ଦର୍ଶାଇଛି। ପୁରୀ ପୁଲିସ କରୁଥିବା ତଦନ୍ତ ଉପରେ ଭରସା ନାହିଁ ବୋଲି ଦର୍ଶାଯାଇଛି। ଏହି ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ। ସିବିଆଇ, କ୍ରାଇମବ୍ରାଞ୍ଚ କିମ୍ବା କୌଣସି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ପ୍ରଦାନ କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି।

ସମ୍ବନ୍ଧିତ ଖବର