ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣା : ଅଭିଯୁକ୍ତର ଏନ୍‌କାଉଣ୍ଟର ଭୟ, ହାଇକୋର୍ଟରେ ଆବେଦନ

କଟକ : ନାବାଳିକାକୁ ନିମାପଡ଼ାରୁ ଅପହରଣ କରି ଆଣି ପୁରୀରେ ପୁଲିସ କ୍ବାର୍ଟରରେ ଗଣଦୁଷ୍କର୍ମ କରାଯିବା ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା ରାଜେଶ କୁମାର ସେଠୀଙ୍କୁ ଏନ୍‌କାଉଣ୍ଟର ଭୟ ଘାରିଛି। ଏହି ଆଶଙ୍କାରେ ସେ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ପୂର୍ବରୁ ଘଟଣାର ସିବିଆଇ କିମ୍ବା ଅନ୍ୟ କୌଣସି ସ୍ବାଧୀନ ଏଜେନ୍ସି ଦ୍ବାରା ତଦନ୍ତ ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ। ମୂଳ ଆବେଦନରେ ସେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଉଲ୍ଲେଖ କରି ନ ଥିବାବେଳେ ତାଙ୍କୁ ଏଥିରେ ସଂଶୋଧନ ପାଇଁ ଅନୁମତି ପ୍ରଦାନ କରାଯାଉ ବୋଲି ଦର୍ଶାଇ ସେ ଅନ୍ତରୀଣ ଆବେଦନ ଦାଖଲ କରିଥିଲେ।

ଶ୍ରୀ ସେଠୀ ଆବେଦନରେ ଦର୍ଶାଇଛନ୍ତି ଯେ, ପୁଲିସ ହେପାଜତରେ ସେ ଅସୁରକ୍ଷିତ ମନେ କରୁଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ନିକଟରେ ହାଇଦ୍ରାବଦରେ ଘଟିଥିବା ଘଟଣା ପରେ ତାଙ୍କୁ ନିର୍ଯାତନା ଦିଆଯିବାର ଆଶଙ୍କା ରହିଛି। ଏଥିସହିତ ଏନ୍‌କାଉଣ୍ଟର ମଧ୍ୟ କରାଯିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ତାଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ରା‌ଜେଶଙ୍କ ପକ୍ଷରୁ ଆବେଦନରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜେଶଙ୍କ ମୂଳ ଆବେଦନ ସହିତ ସଂ‌ଶୋଧନ ସଂପର୍କିତ ଅନ୍ତରୀଣ ଆବେଦନର ଶୁଣାଣି କରିଛନ୍ତି। ଅନ୍ତରୀଣ ଆବେଦନକୁ ଖଣ୍ଡପୀଠ ଗ୍ରହଣ କରିବା ସହିତ ଏହି ଘଟଣାର ତଦନ୍ତର ସାନି ସ୍ଥିତି ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ବିସ୍ତୃତ ବିବରଣୀ ଦାଖଲ ପାଇଁ ସରକାରଙ୍କୁ ନ‌ିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ଜାନୁଆରି ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ଶ୍ରୀ ସେଠୀଙ୍କ ପକ୍ଷରୁ ପୂର୍ବରୁ ପୁରୀ ପୁଲିସ କରୁଥିବା ତଦନ୍ତ ଉପରେ ଭରସା ନଥିବା ଦର୍ଶାଇ ସିବିଆଇ, କ୍ରାଇମବ୍ରାଞ୍ଚ କିମ୍ବା କୌଣସି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ପ୍ରଦାନ କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ମାମଲାରେ ଗୃହ ବିଭାଗ, ପୁରୀ ଏସପି, କ୍ରାଇମବ୍ରାଞ୍ଚ ଏସପି, ସିବିଆଇ ଏସପି ଓ କୁମ୍ଭାରପଡା ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ନାବାଳିକାକୁ ନିମାପଡାରୁ ଅପହରଣ ପରେ ପୁରୀରେ ପୁଲିସ କ୍ବାର୍ଟରରେ ତା ସହିତ ଗଣଦୁଷ୍କର୍ମ କରାଯାଇଥିଲା। ଅଭିଯୋଗ ପରେ ଏ ନେଇ କୁମ୍ଭାରପଡ଼ା ଥାନାରେ ଡିସେମ୍ବର ୨ରେ ଆଇପିସିର ଦଫା ୩୬୩, ୩୭୬(ଡିଏ), ୩୯୪ ସହିତ ପୋକ୍ସୋ ଆଇନର ଧାରା ୬ରେ ମାମଲା ରୁଜୁ ହୋଇଥିଲା। ଆରଡି ନିବାସୀ ତଥା ବହିଷ୍କୃତ କ‌ନଷ୍ଟେବଳ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ମାମଲାରେ ପୁଲିସ ଡିସେମ୍ବର ୩ରେ ଗିରଫ କରି କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧିତ ଖବର